ନକଲି ଔଷଧ କାରବାର ପ୍ରସଙ୍ଗ: ଏପଟେ ଚଢ଼ଉ ସେପଟେ ସଂସ୍ଥାର ଚ୍ୟାଲେଞ୍ଜ

ମହାରାଷ୍ଟ୍ର ଲିଙ୍କ୍‌ରେ କଟକ ସମେତ ୫ଟି ସହରରେ ଚଢ଼ଉ

ଯଦି ନକଲି ଔଷଧ, ବ୍ୟବସାୟୀଙ୍କୁ ଗିରଫ କରାଯାଉନି କାହିଁକି: ଔଷଧ ବ୍ୟବସାୟୀ ସଂଘ

କଟକ : କରୋନା କାଳରେ ଲୋକଙ୍କ ଜୀବନ ରକ୍ଷା କରୁଥିବା ଔଷଧର ନକଲି କାରବାର କଟକରେ ଆଉ ଓଡ଼ିଶାରେ ଚାଲିବା ଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିବା ପରେ ଲୋକଙ୍କ ହୋସ୍ ଉଡି ଯାଇଛି। ଗୋଟିଏ ପଟେ ଏହି କାରବାର ପର୍ଦ୍ଦାଫାସ୍ ପାଇଁ କଟକ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ଚଢଉ ଚାଲିଥିବା ବେଳେ ଅନ୍ୟପଟେ ଗତକାଲି ଚଢଉ ହୋଇଥିବା ସଂସ୍ଥାର ମାଲିକ ସାମନାକୁ ଆସି ଏହାକୁ ଚ୍ୟାଲେଞ୍ଜ କରିବା ଘଟଣା ଏକପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

କଟକର ତୁଳସୀପୁରରେ ଥିବା ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ ଉପରେ ଗତକାଲି ଡ୍ରଗସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢଉ ହୋଇଥିଲା। ଫାବିଫିରାଭିର୍ ସମେତ ଥଣ୍ଡା, କାଶ, ଏସିଡିଟି ପାଇଁ ବ୍ୟବହାର ହେଉଥିବା ପ୍ରାୟ ୭୦ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଥିଲା। କିନ୍ତୁ ଏହାର ମାଲିକ ଶିବ ପ୍ରସନ୍ନ ଜେନା କହିଛନ୍ତି ଯେ ସେ ଏସବୁ ଔଷଧ ବିଲ୍‌ରେ କିଣିଛନ୍ତି ଓ ବିଲ୍‌ରେ ବି ବିକ୍ରି କରିଛନ୍ତି। ସେ ଆଣିଥିବା ଫାବିପିରାଭିର୍ ବଟିକାକୁ ଆଦୌ ଓଡିଶା ବଜାରରେ ବିକ୍ରି କରି ନାହାନ୍ତି। ସବୁ ଗ୍ବାଲିୟରକୁ ପଠାଇଛନ୍ତି। ଅନ୍ୟ ଔଷଧ କଥା ଯାହା କଥା କୁହାଯାଇଛି ତାହା ରାଜ୍ୟର ଯେଉଁ ସବୁ ପଏଣ୍ଟରେ ଦିଆଯାଇଛି, ସମସ୍ତଙ୍କୁ ଯେଉଁଭଳି ପ୍ରକ୍ରିୟାରେ ଔଷଧ କିଣି ଥିଲେ,ସେହି ପ୍ରକ୍ରିୟାରେ ଏବେ ଔଷଧ ଫେରାଇ ଦେବାକୁ କହି ସାରିଛନ୍ତି। ଯାହା ଫଳରେ ସେ ତାଙ୍କର ଷ୍ଟକ୍‌ ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ସଂପୂର୍ଣ୍ଣ ତଥ୍ୟ ପ୍ରମାଣ ଦେଇ ପାରିବେ। ସେ ଏସବୁ ଔଷଧ ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ ଆଣିଛନ୍ତି। ଟ୍ରାନ୍ସପୋର୍ଟରେ ମାଲ ଆସିଛି, ଆକାଉଣ୍ଟରେ ବିଲ୍‌ ପଇଠ କରାଯାଇଛି। ଜିଏସ୍‌ଟି ମଧ୍ୟ ଦିଆଯାଇଛି। ସବୁ କାଗଜପତ୍ର ସେ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେଇଛନ୍ତି।

ତେବେ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ଏବଂ ମାମଲା ବି ରୁଜୁ ହୋଇଛି। ଏ ସଂପର୍କରେ କୋର୍ଟକୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ। ଏହି ଘଟଣାରେ ୨/୩ଟି ରାଜ୍ୟର ସଂପୃକ୍ତି ସାମ୍ନାକୁ ଆସୁଛି। ରାଜ୍ୟ ଲାବ୍ରୋଟୋରିରେ ଯଦି ସବୁ ନମୁନା ପରୀକ୍ଷା ହୋଇ ନପାରିବ ତେବେ ସେଣ୍ଟ୍ରାଲ ଡ୍ରଗ୍ସ ଲାବ୍ରୋଟୋରୀ କୋଲକାତାକୁ ତାହା ପଠାଯିବ। ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କୁହାଯାଇଛି ଯେ ୫୮ହଜାର କରୋନା ଔଷଧ ଫେବିମେକ୍ସ-୪୦୦ ବଟିକା ଏହି ସଂସ୍ଥା ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାରରୁ କଣିଥିଲେ। ସେଥିରୁ ୪୦ହଜାର ୬୦୦ ବଟିକା ଗ୍ବାଲିୟର ମହାଦେବ ମେଡିକାଲ୍‌ସ୍‌ ଓ ସର୍ଜିକାଲ ସଂସ୍ଥାକୁ ବିକ୍ରି କରିଛି। ୧୭,୪୦୦ ବଟିକାରୁ ୪୦୦ ବଟିକା ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ୧୭ହଜାର ବଟିକା ଜବତ୍‌ ହୋଇଛି। ମ୍ୟାକ୍ସ ରିଲିଫ୍‌ ହେଲଥ୍‌ କେୟାର ନାମକ କୌଣସି ସଂସ୍ଥା ନଥିବା ତଦନ୍ତରୁ ଜଣାପଡିଛି। ଏ ସଂପର୍କରେ ମଧ୍ୟପ୍ରଦେଶ ଡ୍ରଗ୍ସ କଂଟ୍ରୋଲ ବିଭାଗକୁ ସୂଚନା ମଧ୍ୟ ଦିଆଯାଇଛି। କଟକର ସଂସ୍ଥା ୯ପ୍ରକାରେ ଔଷଧ ସେହି ସୋଲାନ୍‌ସ୍ଥିତ ‌ମ୍ୟାକ୍ସ ରିଲିଫ୍ କେୟାରରୁ କିଣିଥିବା ବେଳେ ସେଗୁଡିକ ମଧ୍ୟ ଜବତ୍‌ କରାଯାଇ ତାର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏ ସଂପର୍କରେ ସମସ୍ତ ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ଜଣାଇ ଦିଆଯାଇଛି। କଟକ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉଲକେଲା, ଭୁବନେଶ୍ବରଠାରେ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ଘଟଣାର ତଦନ୍ତ ସରିବା ପରେ ସ୍ବତନ୍ତ୍ର କୋର୍ଟରେ ଏସଂପର୍କରେ ମାମଲା ରୁଜୁ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କିଛି ଦିନ ତଳେ ମହାରାଷ୍ଟ୍ରରେ ସେ ରାଜ୍ୟର ଡ୍ରଗ୍ଧ କଂଟ୍ରୋଲ ବିଭାଗ ହିମାଚଳପ୍ରଦେଶରୁ ତିଆରି ହୋଇଥିବା ଲେବୁଲର ଔଷଧ ଜବତ୍‌ କରିବା ସହ ଜଣଙ୍କୁ ଗିରଫ କରିଥିଲେ। ସଂପୃକ୍ତ ସଂସ୍ଥା ଉପରେ ନକଲି ଔଷଧ କାରବାରକୁ ନେଇ କୋଟିଏ ଟଙ୍କାର ଜରିମାନା କରାଯାଇଥିଲା। ସେହି ବ୍ୟକ୍ତିଙ୍କ ସୂଚନା ଆଧାରରେ କଟକରେ ଏଭଳି ଚଢଉ କରାଯାଇଥିବା ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କୁହାଯାଉଛି।

ଅନ୍ୟପକ୍ଷରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସଂପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ ନକଲି ଔଷଧ ଜବତ୍‌ ସଂପର୍କରେ ଅଭିଯୋଗ ହେବା ପରେ କମ୍ପାନିର ଯାହା ଔଷଧ ଗତକାଲି ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଳାର ରିଟେଲର ଓ ହୋଲସେଲର ପଏଣ୍ଟକୁ ଯାଇଛି, ତାର ବିକ୍ରି ବନ୍ଦ କରିବା ଓ ସେଗୁଡିକୁ ଫେରାଇ ଦେବା ଓ ନିଜ ନିଜ ଜିଲ୍ଲାର ଡ୍ରଗ୍ଦ ଇନ୍‌ସପେକ୍ଟରଙ୍କୁ ଜଣାଇଦେବାକୁ ସଂଘ ପକ୍ଷରୁ ଚିଠି କରାଯାଇଛି। ଜବତ୍‌ ହୋଇଥିବା ସମସ୍ତ ଔଷଧ ପରୀକ୍ଷା ପାଇଁ  ଯିବ। କିନ୍ତୁ ଆଜି ଉକ୍ତ ଜବତ୍‌ ହୋଇଥିବା ସଂସ୍ଥାର ମାଲିକ ଔଷଧ ସବୁ ବିଲ୍‌ରେ କିଣିଥିବା ଓ ବିଲ୍‌ରେ ବିକ୍ରି କରିଥିବା କହୁଛନ୍ତି। ଯଦି ଔଷଧ ନକଲି ବୋଲି ପ୍ରମାଣିତ ହୁଏ ତାହେଲେ ସଂପୃକ୍ତ ସଂସ୍ଥାର ଫାର୍ମ ଲାଇସେନ୍ସ ରଦ୍ଦ କରାଯିବ ଓ ସେ ଯେପରି ଔଷଧ ବ୍ୟବସାୟ କରିପାରିବେ ନାହିଁ ତାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ। କିନ୍ତୁ ଯଦି ଔଷଧ ସବୁ ନକଲି ତା’ହେଲେ କଣ ପାଇଁ ସଂପୃକ୍ତ ମାଲିକଙ୍କୁ ଏଯାଏ ଗିରଫ କରାଯାଇନାହିଁ ବୋଲି ‌ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଜଣଙ୍କ ପାଇଁ ୨୫ ଜଣ ବଦନାମ ହେଉଛନ୍ତି। ତେଣୁ ଏ ସଂପର୍କରେ ଡ୍ରଗ୍ଧ କଣ୍ଟ୍ରୋଲ ବିଭାଗ ତୁରନ୍ତ ସ୍ପଷ୍ଟ କରୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ଆଜି ବି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। କଟକର ମଙ୍ଗଳାବାଗ ମହ୍ଲାସାହିରେ ଥିବା ଏକ ହୋଲସେଲ୍ ସଂସ୍ଥା ଉପରେ ଚଢଉ କରାଯାଇ ପ୍ରାୟ ୧୦ ହଜାର ଟଙ୍କାର ୪୫୦ ଷ୍ଟ୍ରିପ୍ ଔଷଧ ଜବତ କରାଯାଇଛି। ଗତକାଲି ଚଢଉ ହୋଇଥିବା ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ର ଔଷଧ ଏଠାରୁ ଜବତ କରାଯାଇଛି। ଡ୍ରଗସ୍ ଇନ୍ସପେକ୍ଟର ଧର୍ମଦେବ ପୁହାଣଙ୍କ ନେତୃତ୍ବରେ ଏହି ଚଢଉ ହୋଇଥି‌ଲେ ବି ସଂପୃକ୍ତ ସଂସ୍ଥାର ମାଲିକଙ୍କ ସଂପର୍କରେ ଏବେ ସୂଚନା ଦେବାକୁ ବିଭାଗ ପକ୍ଷରୁ ମନା କରି ଦିଆଯାଇଛି।

କିଏ ସତ, କିଏ ମିଛ?
ନକଲି ଔଷଧ କାରବାରକୁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଦ୍ବନ୍ଦ୍ବ ଆଉ ସନ୍ଦେହ ବଢୁଛି। କିନ୍ତୁ ଚଢଉ ହୋଇଥିବା ସଂସ୍ଥାର ମାଲିକ, ଔଷଧ ବ୍ୟବସାୟୀ ସଂଘ ଯେଭଳି ମନ୍ତବ୍ୟ ଦେଉଛନ୍ତି, ସେଥିରେ କିଏ ସତ ଆଉ କିଏ ମିଛ, ତାହାକୁ ନେଇ ବି ଦ୍ବନ୍ଦ୍ବ ବଢିବାରେ ଲାଗିଛି। ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର ମାଲିକ ଶିବ ଜେନାଙ୍କ ଦାବି ଯଦି ସତ ହୋଇଥାଏ, ତେବେ ସମଗ୍ର ଦେଶରେ ଔଷଧ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଥିବା ପୂରା ବ୍ୟବସ୍ଥା ଯେ ବିପର୍ଯ୍ୟସ୍ତ ତାହା ପ୍ରମାଣିତ ହୋଇଯିବ। ଏହା ଔଷଧ କାରବାର ଉପରେ ନଜର ରଖିଥିବା ଡ୍ରଗ୍ସ କଂଟ୍ରୋଲ ବିଭାଗର ଅପରାଗତା ଓ ଅକ୍ଷମତାକୁ ମଧ୍ୟ ପଦାରେ ପକାଇବ। କାରଣ ପ୍ରତିଟି ଔଷଧର ହୋଲସେଲ କରୁଥିବା ବ୍ୟବସାୟୀଙ୍କୁ ସେହି କମ୍ପାନି ନିଜ ଔଷଧ ସଂପର୍କରେ ‘ଆନାଲିଟିକାଲ୍ ସାର୍ଟିଫିକେଟ୍’ ଦେଇଥାଏ। ସେହି ସାର୍ଟିଫିକେଟ୍ ବଳରେ ବ୍ୟବସାୟ ଚାଲିଥାଏ। ଯଦି ହିମାଚଳ ପ୍ରଦେଶର ସିଲୋନ ଠାରେ ଥିବା ମାକ୍ସ ରିଲିଫ୍ ହେଲ୍‌ଥ କେୟାର କଂପାନି ନାମରେ ନକିଲି ଔଷଧ ପ୍ରସ୍ତୁତ ହୋଇ କାରବାର ଚାଲିଥିଲା, ତେବେ ଗାଜିଆବାଦର ସଂସ୍ଥା ଆଉ କଟକର ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ଙ୍କ ପାଖରେ ସେହି ଆନାଲିଟିକାଲ୍ ସାର୍ଟିଫିକେଟ୍ ଥିଲା ନା ନାହିଁ। ଯଦି ତାହା ରହିଛି, ତାହାକୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଯାଞ୍ଚ ନ କରି କଣ ବ୍ୟବସାୟ ପାଇଁ ଅନୁମତି ଦେଇଥିଲେ। ଯଦି ନାହିଁ, ତେବେ ବି କିଭଳି ସେମାନେ ଔଷଧ ବିକ୍ରି କରୁଥିଲେ। ଉଭୟ ଉତ୍ତର ପ୍ରଦେଶ ଓ ଓଡ଼ିଶାର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଉପରକୁ ଏବେ ଅଙ୍ଗୁଳି ଉଠୁଛି। ନକଲି ଔଷଧ ପ୍ରସ୍ତୁତି ଓ କାରବାରକୁ ନେଇ ପୂର୍ବରୁ ବି ଅଭିଯୋଗ ରହି ଆସିଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଗୋଟିଏ ପଟେ ସଂସ୍ଥା ସବୁ କିଛି ସ୍ବଚ୍ଛ ଭାବେ କରୁଛି ବୋଲି ଦାବି କରୁଥିବା ବେଳେ ସ୍ବଚ୍ଛତା ଭିତରେ ନକଲି କାରବାର କିଭଳି ସମ୍ଭବ ହେଉଛି, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର