ସାମାଜିକ କର୍ମୀଙ୍କ ବିରୋଧରେ ମିଛ ମାମଲା ଓ ବେଆଇନ ଗିରଫଦାରୀ ପ୍ରସଂଗ: ହାଇକୋର୍ଟଙ୍କ ନୋଟିସ୍

କଟକ : ସାମାଜିକ କର୍ମୀ ତଥା ଆଇନଜୀବୀ ପ୍ରତିମା ଦାସଙ୍କୁ ମିଛ ମାମଲାରେ ଫସାଇ ବେଆଇନ ଭାବେ ଗିରଫ କରାଯାଇଥିବା ଅଭିଯୋଗ ସଂପର୍କିତ ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ଏହି ମାମଲାରେ ରାଜ୍ୟ ଗୃହ ବିଭାଗ ସହିତ ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାର ନିର୍ଦ୍ଦିଷ୍ଟ ତତ୍କାଳୀନ ପୁଲିସ ଅଧିକାରୀଙ୍କୁ ହାଇକୋର୍ଟ ୨୦୧୨ରେ ନୋଟିସ୍ ଜାରି କରିଥିଲେ। ‌ନୋଟିସ୍ ସମସ୍ତ ପ୍ରତିପକ୍ଷ ପାଇଛନ୍ତି କି  ନାହିଁ ତାହା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇ ନଥିଲା। ଏଭଳି ସ୍ଥିତିରେ ପ୍ରତିପକ୍ଷ ପୁଲିସ ଅଧିକାରୀଙ୍କ ସାନି ଠିକଣା ୪ ସପ୍ତାହ ଭିତରେ ଦେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୁଲିସ ଅଧିକାରୀଙ୍କ ଠିକଣା ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିମା ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮, ଅଗଷ୍ଟ ୧୩ରେ ପ୍ରତିମାଙ୍କୁ ମାଓବାଦୀ ସମର୍ଥନ କାର୍ଯ୍ୟକଳାପରେ ସଂପୃକ୍ତି ନେଇ ଗିରଫ କରାଯାଇଥିଲା। ତାଙ୍କୁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଓ ସମ୍ବଲପୁର ଜିଲ୍ଲାର ଜମନକିରା ଥାନା ମାମଲାରେ ଗିରଫ କରାଯାଇଥିଲା। ଏହି ଦୁଇ ମାମଲାରେ ପରବର୍ତ୍ତୀ ସମୟରେ ଅଦାଲତ ଉପଯୁକ୍ତ ପ୍ରମାଣ ଅଭାବରୁ ପ୍ରତିମାଙ୍କୁ ୨୦୧୦ରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୨ ବର୍ଷ ୩ ମାସ ୫ ଦିନ ଜେଲରେ ରହିବା ପରେ ପ୍ରତିମା ବାହାରକୁ ବାହରିଥିଲେ। ତାଙ୍କୁ ମିଛ ମାମଲାରେ ଫସାଇ ବେଆଇନ ଭାବେ ଗିରଫ କରାଯାଇଥିବା ଦର୍ଶାଇ ପ୍ରତିମା ୨୦୧୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର