ନିଯୁକ୍ତି ଆବେଦନପତ୍ରରେ ମିଥ୍ୟା ତଥ୍ୟ ପ୍ରସଙ୍ଗ: ବଢ଼ିଲା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଡ଼ୁଆ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପାଇଁ ଅଡ଼ୁଆ ବଢ଼ିଛି। କୁଳପତି ପଦ ପାଇଁ ଆବେଦନପତ୍ରରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ଉପରେ କୁଳାଧିପତିଙ୍କ ଦପ୍ତରରୁ ପ୍ରଫେସର ମିତ୍ତଲଙ୍କୁ ଜବାବ ତଲବ କରାଯାଇଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପଦ ନିମନ୍ତେ ଆବେଦନ ସମୟରେ ପ୍ରଫେସର ମିତ୍ତଲ ତାଙ୍କ ପବ୍ଲିକେସନ୍ସ ସଂପର୍କରେ ଆବେଦନପତ୍ରରେ ଭୁଲ୍ ତଥ୍ୟ ଦେଇଥିବା ନେଇ ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ, ଆଇନଜୀବୀ ଦୁର୍ଗା ପାଢ଼ୀ, ସୁମନ୍ତ ସ୍ବାଇଁ ଏବଂ ଅରୁଣ କୁମାର ମିଳିତ ଭାବେ କୁଳାଧିପତିଙ୍କଠାରେ ଅଭିଯୋଗ କରିଥିଲେ। ପ୍ରଫେସର ମିତ୍ତଲ ଆବେଦନପତ୍ରରେ ତାଙ୍କର ୮ଟି ପୁସ୍ତକ ଏବଂ ୧୧୧ଟି ପବ୍ଲିକେସନ୍ସ ରହିଥିବା ଏବଂ ସେଥିରୁ ୨୫ଟି ସ୍କୋପସ୍(ୱେବ୍ ସାଇନ୍ସ), ଏସସିଆଇ/ଇଏସସିଆଇରେ ସ୍ଥାନିତ ହୋଇଥିବା ଉଲ୍ଲେଖ କରିଥିଲେ। ଏଥି ସହିତ ପ୍ରଫେସର ମିତ୍ତଲ ‘ସେ ଦେଇଥିବା ତଥ୍ୟ ଯଦି ମିଥ୍ୟା କିଂବା ତ୍ରୁଟିପୂର୍ଣ୍ଣ ହୋଇଥିବା ପ୍ରମାଣିତ ହୁଏ, ସେ ନିଯୁକ୍ତି ପାଇଥିଲେ ମଧ୍ୟ ବିନା କୌଣସି ନୋଟିସ୍ ଦେଇ ତଥା କୌଣସି କାରଣ ନ ଦର୍ଶାଇ ତାଙ୍କ ନିଯୁକ୍ତି ବାତିଲ କରାଯାଇପାରିବ’ ବୋଲି ତାଙ୍କ ଆବେଦନପତ୍ରରେ ଏକ ଘୋଷଣାନାମା ବି ଦେଇଥିଲେ।

ଗତ ୧୭ ଜୁଲାଇରେ ଶ୍ରୀ ପାଢ଼ୀ ଓ ଅନ୍ୟ ଦୁଇଜଣ କୁଳାଧିପତିଙ୍କୁ ଦେଇଥିବା ପତ୍ରରେ ପ୍ରଫେସର ମିତ୍ତଲ ନିଜ ପୁସ୍ତକ ସଂପର୍କରେ କେତେକ ତଥ୍ୟ ଲୁଚାଇଥିବା, ତାଙ୍କ ପବ୍ଲିକେସନସ୍ ମଧ୍ୟରୁ କେବଳ ୧୦ଟି ଆର୍ଟିକିଲ୍ ସ୍କୋପସ୍(ୱେବ୍ ସାଇନ୍ସ), ଏସସିଆଇ ଓ ଇଏସସିଆଇରେ ସ୍ଥାନିତ ହୋଇଥିବା ସହିତ ଅନ୍ୟ କେତେକ ସାଂଘାତିକ ଅଭିଯୋଗ ଆଣିଥିଲେ। ପ୍ରଫେସର ମିତ୍ତଲ କୁଳପତି ପଦ ହାସଲ କରିବା ନିମନ୍ତେ ତଥ୍ୟ ଲୁଚାଇବା, ଅନେକ ମିଥ୍ୟା ତଥ୍ୟ/ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବାରୁ ତାଙ୍କ ଘୋଷଣା ମୁତାବକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ କୁଳାଧିପତିଙ୍କୁ ଅନୁରୋଧ କରିଥିଲେ। ରାଜ୍ୟପାଳ ତଥା କୁଳାଧିପତିଙ୍କ ସଚିବାଳୟର ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି ଗତ ୨୪ ତାରିଖ ଦିନ ପ୍ରଫେସର ମିତ୍ତଲଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖିଛନ୍ତି। ଯେଉଁମାନେ ଅଭିଯୋଗ ଆଣିଛନ୍ତି, ସେ ସଂକ୍ରାନ୍ତରେ ସେମାନଙ୍କ ମତ ରଖିବାକୁ କହିଛନ୍ତି। ମାନ୍ୟବର କୁଳାଧିପତିଙ୍କ ସଦୟ ଅବଗତି ନିମନ୍ତେ ଶୀଘ୍ର ଏହି ପ୍ରସଂଗ ଉପରେ ଏହି ସଚିବାଳୟକୁ ନିଜ ଉତ୍ତର ଜଣାଇବାକୁ ଶ୍ରୀ ମହାନ୍ତି ପ୍ରଫେସର ମିତ୍ତଲଙ୍କୁ କହିଛନ୍ତି। ଅତିରିକ୍ତ ସଚିବ ଶ୍ରୀ ମହାନ୍ତି ଚିଠି ସହିତ ଅଭିଯୋଗପତ୍ର ଏବଂ ଖବରକାଗଜରେ ଏ ସଂପର୍କରେ ପ୍ରକାଶିତ ଖବରର କ୍ଲିପିଂ ମଧ୍ୟ ପଠାଇଛନ୍ତି।

ଦୀନବନ୍ଧୁ ଆତ୍ମଦାହ ମାମଲାରେ ଛନ୍ଦି ହୋଇଥିବା ପ୍ରଫେସର ମିତ୍ତଲ ହାଇକୋର୍ଟରେ ଜାମିନ ପାଇଥିବା ବେଳେ ଏବେ ଆବେଦନପତ୍ରରେ ମିଥ୍ୟା ତଥ୍ୟ ପ୍ରଦାନ ବିବାଦରେ ଫସିଛନ୍ତି। ବିବାଦ ଏକ ପ୍ରକାର ପ୍ରଫେସର ମିତ୍ତଲଙ୍କ ପିଛା ଛାଡ଼ୁ ନାହିଁ। ପରୀକ୍ଷାକୁ କେନ୍ଦ୍ର କରି ଆନ୍ଦୋଳନ କରିବାକୁ ଆସିଥିବା ବିଭିନ୍ନ କଲେଜର ଛାତ୍ରମାନେ ବିଶ୍ବବିଦ୍ୟାଳୟ ପ୍ରଶାସନର ଆଭିମୁଖ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରି ସେଠାରେ ବ୍ୟାପକ ଭଂଗାରୁଜା କରିଥିଲେ। ଦୀନବନ୍ଧୁଙ୍କ ଆତ୍ମଦାହର କିଛିଦିନ ପୂର୍ବରୁ ପ୍ରଫେସର ମିତ୍ତଲଙ୍କ ବ୍ୟବହାରକୁ ନେଇ ତତ୍କାଳୀନ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ପତ୍ର ଲେଖିଥିଲେ। ଅପରପକ୍ଷରେ ବିଶ୍ବବିଦ୍ୟାଳୟର ଗଛକଟା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର