ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା ପ୍ରସଙ୍ଗ: ଭାଷା ପାଇଁ ସ୍ୱର ଉଠିଲା

ଆବଶ୍ୟକସ୍ଥଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ନବୀନ: ଗଣଶିକ୍ଷା ମନ୍ତ୍ରୀ
ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ଝାଡ଼ଖଣ୍ଡ ସରକାର ସେଠାକାର ସ୍କୁଲ୍‌ରେ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେବା ପରେ ତାହାକୁ ନେଇ ଓଡ଼ିଶା ଓ ଝାଡ଼ଖଣ୍ଡରେ ବିରୋଧର ସ୍ବର ଉଠିଛି। ଝାଡ଼ଖଣ୍ଡ ସରକାର ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସେଠାରେ ଓଡ଼ିଆ ଭାଷାଭାଷୀ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ଓଡ଼ିଶାରେ ବିଭିନ୍ନ ରାଜନୈତିକ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଏହାକୁ କଡ଼ା ବିରୋଧ କରିଛନ୍ତି। ଝାଡ଼ଖଣ୍ଡରେ ବହୁ ଓଡ଼ିଆ ଭାଷାଭାଷୀ ଲୋକ ରହୁଥିବାରୁ ସେଠାକାର ସରକାର ଏପରି ଏକଚାଟିଆ ପଦକ୍ଷେପ ନେବା ଠିକ୍ ହୋଇନାହିଁ। ଦୁଇ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ‌ଝାଡ଼ଖଣ୍ଡ ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ବର ସହ ନେବାକୁ ମତପ୍ରକାଶ ପାଇଛି।

ବିରୋଧ ତୀବ୍ର ରୂପ ନେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଝାଡ଼ଖଣ୍ଡ ସହିତ ଆମର ଭଲ ସମ୍ପର୍କ ଭଲ ଅଛି। ସେଠାରେ ୧୫୦ଟି ଓଡ଼ିଆ ସ୍କୁଲ ଅଛି। ତେଣୁ ସେଠାରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯିବ ସେଥିପ୍ରତି ଆମେ ନଜର ରଖିଛୁ। ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ମୁଁ କଥା ହୋଇ ଏ ବିଷୟରେ ଆଲୋଚନା କରିବି। ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟଗୁଡିକରେ ଓଡ଼ିଆ ଭାଷା ରହିବ ଓ ଓଡ଼ିଆ ପିଲା ଯେପରି ଓଡ଼ିଆ ଭାଷା ପଢ଼ିପାରିବେ ସେଥିପାଇଁ ରାଜ୍ୟ ସରକାର ସବୁ ସମୟରେ ଠୋସ ପଦକ୍ଷେପ ନେଇଛନ୍ତି। ଏ ସମସ୍ୟାର ମଧ୍ୟ ସମାଧାନ କରାଯିବ। ଆବଶ୍ୟକ ପଡ଼ିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ‌ଆଲୋଚନା କରିବାକୁ ଆମ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବି।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ବୁଝି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ତୁରନ୍ତ ପଦକ୍ଷେପ ‌ନେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି ଯେ ଭାରତରେ ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବାର ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି। ଝାଡ଼ଖଣ୍ଡ ସରକାରଙ୍କର ଏହି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ। ଝାଡ଼ଖଣ୍ଡ ସରକାର ଏବେ ଓଡ଼ିଆ ଭାଷାକୁ ସ୍କୁଲ କଲେଜରୁ ଉଚ୍ଛେଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ଏଣିକି ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢେଇକଳା, ଖରସୁଆଁ, ସିଂହଭୂମି ଆଦିରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ପିଲାମାନେ ଆଉ ସ୍କୁଲ କଲେଜରେ ଓଡ଼ିଆ ଭାଷା ପଢ଼ିପାରିବେ ନାହିଁ। ଆମ ପାଇଁ ଆମ ଭାଷା ସ୍ବାଭିମାନର ପ୍ରତୀକ। ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ସେମାନଙ୍କ ମୂଳ ସଂସ୍କୃତିରୁ ବିଚ୍ଛିନ୍ନ କରିବା ପାଇଁ ଝାଡ଼ଖଣ୍ଡ ସରକାରଙ୍କର ଏହା ଏକ କୁଯୋଜନା। ଏହି ନିଷ୍ପତ୍ତି ଲାଗୁ ହେଲେ ଆଉ କିଛି ବର୍ଷ ପରେ ସେଠାରେ ଓଡ଼ିଆ କହିବା, ଲେଖିବା ଲୋକ ମିଳିବେନି। ଝାଡଖଣ୍ଡରେ ଓଡ଼ିଆ ଭାଷା ମରିଯିବ।

ଶ୍ରୀ ନାଏକ ଆହୁରି କହିଛନ୍ତ ଯେ ୨୦୧୧ ମସିହାରେ ଝାଡ଼ଖଣ୍ଡରେ ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଆ ଭାଷା ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପାଇଥିଲା। ହଠାତ୍ ୧୦ ବର୍ଷ ପରେ ଝାଡ଼ଖଣ୍ଡ ସରକାର ନେଇଥିବା ଏପରି ନିଷ୍ପତ୍ତିକୁ ଓଡ଼ିଶା ସରକାର ପ୍ରତିବାଦ କରିବା ଉଚିତ୍। ଆମେ ଯେଉଁମାନେ ଓଡ଼ିଶାରେ ରହୁଛେ ଆମର କ’ଣ କିଛି କର୍ତ୍ତବ୍ୟ ନାହିଁ କି? ଅନେକ ଦିନ ହେଲାଣି ଏହା ଓଡ଼ିଶା ସରକାରଙ୍କ ଦୃଷ୍ଟିକୁ ଆସିସାରିଥିବା ବେଳେ କାହିଁକି ସରକାର ଚୁପ୍ ବସିଛନ୍ତି ବୁଝି ହେଉନାହିଁ। ସେହିପରି ଯଦି ଲୋକସଂଖ୍ୟା କମ୍‌ ଥାଇ ବି ଝାଡ଼ଖଣ୍ଡରେ ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ପାଠ ପଢାଯାଇପାରିବ ତାହେଲେ ଓଡ଼ିଆରେ କାହିଁକି ନୁହେଁ? ଏହାର ଜବାବ ମଧ୍ୟ ଝାଡ଼ଖଣ୍ଡ ସରକାରଙ୍କୁ ଦେବାକୁ ପଡ଼ିବ। ଯଥାଶୀଘ୍ର ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ।

ସଂସ୍କୃତି ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଟିମ୍ ଝାଡ଼ଖଣ୍ଡ ଯାଉ: ଯୁବ ଓଡ଼ିଶା
ସେହିପରି ଯୁବ ଓଡ଼ିଶାର ସଭାପତି ତେଜେଶ୍ବର ପରିଡ଼ା କହିଛନ୍ତି ଯେ ଝାଡଖଣ୍ଡ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷରୁ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନେଇଥିବା ନିନ୍ଦନୀୟ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ତୁରନ୍ତ ଆଲୋଚନା କରନ୍ତୁ। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ସରକାରୀ ତଥା ରାଜନୈତିକ ଚକ୍ରାନ୍ତ ବୋଲି ସନ୍ଦେହ ହେଉଛି। ତେଣୁ ଓଡ଼ିଶା ସରକାର ତୁରନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସରକାରୀ ଦଳକୁ ଦିନେ ଦୁଇ ଦିନ ମଧ୍ୟରେ ଝାଡ଼ଖଣ୍ଡ ପଠାନ୍ତୁ। ସେମାନେ ସେଠାରେ ଓଡ଼ିଆ ଭାଷାଭାଷୀ ସମସ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ ଓଡ଼ିଆ ଅନୁଷ୍ଠାନ, ସଂଗଠନ ଓ ଓଡ଼ିଆମାନଙ୍କର ନେତୃତ୍ୱ ନେଉଥିବା ଭାଇଭଉଣୀମାନଙ୍କୁ ଭେଟନ୍ତୁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ‌ଭେଟି ଏହି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରନ୍ତୁ।

ଉତ୍କଳ ସମ୍ମିଳନୀର ବିକ୍ଷୋଭ
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ପ୍ରତିବାଦ ସଭା ଆଜି ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହାପରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଝାଡଖଣ୍ଡ ସରକାରଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କୁହାଯିବା ସହ ଏଥିରେ ହସ୍ତକ୍ଷେପ କରିବା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଦ୍ବାରିକା ନାଥ ମହାନ୍ତି, ନିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର