ଦମନ ପ୍ରତିରୋଧ ମଞ୍ଚକୁ ବେଆଇନ ଘୋଷଣା ପ୍ରସଂଗ: ଲିଖିତ ଯୁକ୍ତି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସରକାରଙ୍କ ଦ୍ବାରା ‘ଦମନ ପ୍ରତିରୋଧ ମଞ୍ଚ’କୁ ବେଆଇନ ଘୋଷଣା ସଂପର୍କିତ ୨୦୦୬ର ବିଜ୍ଞପ୍ତିକୁ ଚାଲେଞ୍ଜ୍‌ କରି ଦାୟର ମାମଲାର ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୨୧ରେ ହାଇକୋର୍ଟରେ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ଓ ରାଜ୍ୟ ସରକାରଙ୍କୁ ଲିଖିତ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତ୍ବରିତ ଶୁଣାଣି ପାଇଁ  ୨୦୧୭, ଜାନୁଆରି ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ଅକ୍ଟୋବର ୨୧ରେ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଢ଼ିଉଠିଥିଲା ଦମନ ପ୍ରତ‌ିରୋଧ ମଞ୍ଚ। କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆଇନର ଧାରା ୧୬ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାର ମଞ୍ଚକୁ ଏକ ବେଆଇନ ସଂଘ ଭାବେ ଘୋଷଣା କରିଥିଲେ। ଏ ନେଇ ୨୦୦୬, ଜୁନ୍ ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେତେକ ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ‌ରେ ଦମନ ପ୍ରତିରୋଧ ମଞ୍ଚକୁ ବେଆଇନ ସଂଘ ଭାବେ ଘୋଷଣା କରାଯାଇଥିଲା। ଏହି ବିଜ୍ଞପ୍ତିକୁ ଚାଲେଞ୍ଜ୍‌ କରି ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତି ୨୦୦୬ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୌଣସି ‌ପୂର୍ବ ନୋଟିସ୍ ଓ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ସରକାରଙ୍କ ପକ୍ଷରୁ ଏପରି ଘୋଷଣା କରାଯାଇଥିଲା ବୋଲି ଆବେଦନରେ ଦର୍ଶାଯାଇଥିଲା। ଏଭଳି ବିଜ୍ଞପ୍ତି ଅସାମ୍ବିଧାନିକ ଓ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ ମଞ୍ଚର କାର୍ଯ୍ୟକଳାପ ରାଜନୈତିକ ଧରଣର, କିନ୍ତୁ ଭାରତର ନିର୍ବାଚନ କମିସନଙ୍କ ନିକଟରେ ଜନ ପ୍ରତିନିଧି ଆଇନ ଅନୁସାରେ ଏହି ସଂଘ ପଞ୍ଜୀକୃତ ନୁହେଁ। ରାଜନୈତିକ ଦଳ ଭାବେ ପଞ୍ଜୀକରଣ ପାଇଁ ଆବେଦନକାରୀ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ କରିପାର‌େବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ୨୦୧୧, ଏପ୍ରିଲ ୧୮ରେ ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମଞ୍ଚ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ଦମନ ପ୍ରତିରୋଧ ମଞ୍ଚ ବେଆଇନ ଘୋଷଣା ସଂପର୍କିତ ୨୦୦୬, ଜୁନ୍ ୨୦ର ବିଜ୍ଞପ୍ତିର ‌ବୈଧତା ପ୍ରସଂଗରେ ହାଇକୋର୍ଟଙ୍କ ରାୟରେ କିଛି ଉଲ୍ଲେଖ କରାଯାଇ ନଥିଲା। ସମାନ ଧରଣର ‘ମାଡ୍ରାସ ରାଜ୍ୟ ବନାମ ଭି.ଜି.ରୋ’ ମାମଲାରେ ସୁପ୍ରିମକୋର୍ଟ ପ୍ରକାଶ କରିଥିବା ରାୟରେ କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟରେ ପ୍ରକାଶିତ ବିଜ୍ଞପ୍ତିକୁ ଅସାମ୍ବିଧାନିକ କୁହାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ। ସୁପ୍ରିମକୋର୍ଟ ୨୦୧୭, ଜାନୁଆରି ୩୦ରେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଥିଲେ। ଏଥି ସହିତ ଏହି ମାମଲାରେ ସାନି ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୭, ଜାନୁଆରି ୩୦ର ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ହାଇକୋର୍ଟରେ ସାନି ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର