୨୦୦୬ରେ ଦମନ ପ୍ରତିରୋଧ ମଞ୍ଚକୁ ବେଆଇନ ଘୋଷଣା ପ୍ରସଂଗ : ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

ମେ ୧୧ରେ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି

କଟକ : ସରକାରଙ୍କ ଦ୍ବାରା ‘ଦମନ ପ୍ରତିରୋଧ ମଞ୍ଚକୁ ବେଆଇନ ଘୋଷଣା ସଂପର୍କିତ ୨୦୦୬ର ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ମେ୧୧ରେ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଏବେ ଏହି ସଂଘର କଣ ସ୍ଥିତି ରହିଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରବାକୁ ଆବେଦନକାରୀ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଢି ଉଠିଥିଲା ଦମନ ପ୍ରତ‌ିରୋଧ ମଞ୍ଚ। କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟର ଧାରା ୧୬ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାର ‘ଦମନ ପ୍ରତିରୋଧ ମଞ୍ଚ’କୁ ଏକ ବେଆଇନ ସଂଘ ଭାବେ ଘୋଷଣା କରିଥିଲେ। ଏ ନେଇ ୨୦୦୬ ଜୁନ୍ ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତି ୨୦୦୬ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ ଆବେଦନକାରୀ ମଞ୍ଚର କାର୍ଯ୍ୟକଳାପ ରାଜନୈତିକ ଧରଣର, କିନ୍ତୁ ଭାରତର ନିର୍ବାଚନ କମିସନଙ୍କ ନିକଟରେ ଜନ ପ୍ରତିନିଧି ଆଇନ ଅନୁସାରେ ଏହି ସଂଘ ପଞ୍ଜୀକୃତ ନୁହେଁ। ରାଜନୈତିକ ଦଳ ଭାବେ ପଞ୍ଜୀକରଣ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ କରି ପାର‌ବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ୨୦୧୧ ଏପ୍ରିଲ ୧୮ରେ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ମଞ୍ଚ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ଦମନ ପ୍ରତିରୋଧ ମଞ୍ଚ ବେଆଇନ ଘୋଷଣା ସଂପର୍କିତ ୨୦୦୬ ଜୁନ୍ ୨୦ର ବିଜ୍ଞପ୍ତିର ବୈଧତା ପ୍ରସଂଗରେ ହାଇକୋର୍ଟଙ୍କ ରାୟରେ କିଛି ଉଲ୍ଲେଖ କରାଯାଇ ନଥିଲା। ସମାନ ଧରଣର ‘ମାଡ୍ରାସ ରାଜ୍ୟ ବନାମ ଭି.ଜି.ରୋ ମାମଲାରେ ସୁପ୍ରିମକୋର୍ଟ ପ୍ରକାଶ କରିଥିବା ରାୟରେ କ୍ରିମିନାଲ ଲଆମେଣ୍ଡମେଣ୍ଟ ଆକ୍ଟରେ ପ୍ରକାଶିତ ବିଜ୍ଞପ୍ତିକୁ ଅସାମ୍ବିଧାନିକ ବୋଲି କୁହାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୭ ଜାନୁଆରି ୩୦ରେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଥିଲେ। ଏଥି ସହିତ ଏହି ମାମଲାକୁ ହାଇକୋର୍ଟଙ୍କ ନିକଟକୁ ସୁପ୍ରିମକୋର୍ଟ ଫେରାଇ ଦେଇଥିଲେ। ଏହି ପ୍ରସଂଗରେ ସାନି ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୭ ଜାନୁଆରି ୩୦ର ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ହାଇକୋର୍ଟରେ ସାନି ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର