ନିର୍ବାଚନ ଖର୍ଚ୍ଚ ହ୍ରାସ ସହ ବିକାଶ ତ୍ୱରାନ୍ୱିତ ହେବ : ଅପରାଜିତା

ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ପ୍ରସଙ୍ଗ

ଭୁବନେଶ୍ୱର : ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ୍‌ କାର୍ଯ୍ୟକାରୀ ହେବା ପରେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ। ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ। ଏହି ବ୍ୟବସ୍ଥାରେ ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସହ ଦେଶରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହା ହେଲେ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବୋଝ କମ୍ ପଡ଼ିବ। ଏହାକୁ ଲାଗୁ କରାଗଲେ ଜିଡିପି କ୍ଷତି କିଛି ମାତ୍ରାରେ ରୋକାଯାଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ସପକ୍ଷରେ ଯୁକ୍ତି ବାଢ଼ି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ଆମ ଦେଶରେ ୧୯୫୧-୫୨ ରୁ ୧୯୬୭ ମଧ୍ୟରେ ଯେଉଁ ନିର୍ବାଚନ ମଡେଲ୍‌ ପ୍ରଚଳନ ଥିଲା ସେଥିରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା। ପରବର୍ତୀ ସମୟରେ ସମ୍ବିଧାନର ଧାରା ୩୫୬କୁ ଦୁରୂପଯୋଗ କରି ନିର୍ବାଚିତ ସରକାରକୁ ଭାଙ୍ଗି ଦିଆଯାଇଥିବାରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରି ନ ଥିଲା। ୧୯୮୩ରେ ନିର୍ବାଚନ କମିସନ୍‌ ଏକକ ନିର୍ବାଚନ ପାଇଁ ଯୁକ୍ତି ଉପସ୍ଥାପନା କରିଥିଲେ । ୧୯୯୯ ମସିହାରେ ‘ଜାତୀୟ ବିଧି କମିସନ୍‌’ ଅଧ୍ୟକ୍ଷ ବିଚାରପତି ଜୀବନ ରେଡ୍ଡୀଙ୍କ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସ୍ତାବ ଉପରେ ନୀତି ଆୟୋଗ ଏବଂ ନିର୍ବାଚନ କମିସନ୍ ବିଚାର ବିମର୍ଶ କରିଥିଲେ। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଏହା ଗ୍ରହଣୀୟ ହୋଇ ପାରି ନ ଥିଲା। ୨୦୧୫ରେ ସଂସଦୀୟ ଷ୍ଟାଣ୍ଡିଙ୍ଗ୍‌ କମିଟି ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ କରିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ନୀତି ଆୟୋଗ ୨୦୧୭ରେ ଏକକ ନିର୍ବାଚନ ପାଇଁ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ। ୨୦୧୯ ଓ ୨୦୨୪ ନିର୍ବାଚନରେ ଏହି ପ୍ରସ୍ତାବ ଉପରେ ବିଚାରପତି ବି.ଏସ୍‌.ଚୌହ୍ୱାନଙ୍କ ନେତୃତ୍ୱରେ ୨୧ତମ ‘ବିଧି କମିସନ୍‌’ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ସପକ୍ଷରେ ଏକ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ପ୍ରଦାନ କରିଥିଲେ। ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାର ବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଶୀର୍ଷକ ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ସାଧାରଣ ସମ୍ପାଦକ ସଙ୍ଗଠନ ମାନସ ମହାନ୍ତି ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଜେପି ରଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ସହଶ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର