କଟକ : ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଓ ସଦସ୍ୟଙ୍କ ବର୍ଦ୍ଧିତ ପ୍ରାପ୍ୟ ପ୍ରସଙ୍ଗରେ ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ସହିତ ବର୍ଦ୍ଧିତ ପ୍ରାପ୍ୟ ପ୍ରସଂଗରେ ଆବେଦନକାରୀ ବିସ୍ତୃତ ଦରଖାସ୍ତ ସରକାରଙ୍କ ନିକଟରେ ଦାଖଲ କରିବାର ୨ ସାମ ଭିତରେ ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପ କୁମାର ପଟ୍ଟନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ, ଲିଗାଲ ସର୍ଭିସେସ୍ ଅଥରିଟି ଆଇନ, ୧୯୮୭ ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାୟୀ ଲୋକ ଅଦାଲତ ପ୍ରତିଷ୍ଠା କରାଯାଇଥିଲା। ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ପ୍ରତି ସିଟିଂ ପାଇଁ ୪ ଶହ ଟଙ୍କା ଫି ପ୍ରଦାନ କରାଯାଉଥିଲା। ଏଥିସହିତ ଗସ୍ତ ଖର୍ଚ୍ଚ ବାବଦରେ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା। ୨୦୧୬ ଜୁନ୍ ୨୨ରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରି ପ୍ରତି ସିଟିଂ ପାଇଁ ଫିକୁ ୪ଶହରୁ ୧୫ଶହ ଟଙ୍କାକୁ ବୃଦ୍ଧି କରିଥିଲେ। ଏଥିସହିତ ସଦସ୍ୟ ଓ ଅଧ୍ୟକ୍ଷଙ୍କ ମାସିକ ଗସ୍ତ ଖର୍ଚ୍ଚ ବାବଦ ଅର୍ଥକୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଏହି ବର୍ଦ୍ଧିତ ଫି ଲାଗୁ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଲୋକ ଅଦାଲତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫି ଓ ଗସ୍ତ ଖର୍ଚ୍ଚ ବାବଦ ଅର୍ଥ ବୃଦ୍ଧି କରାଯାଇ ନଥିଲା। ଏ ନେଇ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକାରଣ ଓ ରାଜ୍ୟ ସରକାରଙ୍କ ନିକଟରେ କେତେକ ସଦସ୍ୟ ଓ ଅଧ୍ୟକ୍ଷ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ପ୍ରାୟ ୪ ବର୍ଷ ପରେ ୨୦୨୦, ମେ ୧୮ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ବର୍ଦ୍ଧିତ ଫି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ତାରିଖରୁ ଏହି ବର୍ଦ୍ଧିତ ଫି ଲାଗୁ ବୋଲି ସ୍ପଷ୍ଟ କରାଯାଇଥିଲା। ବର୍ଦ୍ଧିତ ଫି ୨୦୨୦ ମେ ୧୮ରୁ ଲାଗୁ କରାଯିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ ଜୁନ୍ ୨୨ରୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫି ବୃଦ୍ଧି କରାଯିବା ଉଚିତ। ୨୦୨୦ ମେ ୧୮ର ବିଜ୍ଞପ୍ତିରେ ସଂଶୋଧନ କରି ବର୍ଦ୍ଧିତ ଫି ୨୦୧୬ ଜୁନ୍ ୨୨ରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଥିସହିତ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁସାରେ ୨୦୧୬ରୁ ଫି ବୃଦ୍ଧି କରି ଏ ସଂପର୍କିତ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ସତ୍ୟଜିତ ବେହେରା ଓ ସ୍ବୟଂପ୍ରଭୁ ଜେନା ସହାୟତା କରୁଥିଲେ।