ପିପିଲି ନିର୍ବାଚନ ପାଇଁ ଜିଲ୍ଲାବାସୀଙ୍କୁ ଭୂତାଉଛି ବିଜେଡି: କଂଗ୍ରେସ

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସଙ୍ଗ

ଭୁବନେଶ୍ବର : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା କେବଳ ଜିଲ୍ଲାବାସୀଙ୍କୁ ଭୂତାଇବା ପାଇଁ ଉଦ୍ଦିଷ୍ଟ। ୫ବର୍ଷ ତଳେ ରାଜ୍ୟ ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ପାର୍ଶ୍ବବର୍ତୀ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ କରିବା ପାଇଁ ଡିଜିସିଏଙ୍କୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଡିଜିସିଏ ଅଗ୍ରାହ୍ୟ କରିଦେଇଥିଲେ। ଏବେ ସେହି ଅଞ୍ଚଳରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରସ୍ତାବ ଦେବା କେବଳ ପିପିଲି ଉପ-ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ଶନିବାର କଂଗ୍ରେସ କାର୍ଯ୍ୟାଳୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଲେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରିନଫିଲ୍‌ଡ ବିମାନବନ୍ଦର ନୀତିକୁ ପାଥେୟ କରି ଭୁବନେଶ୍ବର ନିକଟରେ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ମାଗିଥିଲେ। ମାତ୍ର ତାହା ଫିଜିବିଲିଟି ନ ହେବାରୁ ଚତୁର୍ଥ ପ୍ରସ୍ତାବ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କୁ କହିଥିଲା। ମାତ୍ର ରାଜ୍ୟ ସରକାର ଚତୁର୍ଥ ପ୍ରସ୍ତାବ ନ ଦେଇ ଗତ ଏପ୍ରିଲ ୧୯ତାରିଖରେ ପୁରୀରେ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ବର ବିମାନ ବନ୍ଦରଠାରୁ ପୁରୀର ଆକାଶ ମାର୍ଗର ଦୂରତା ପାଇଁ ୪୯ କି.ମି ଓ ୪୯ କି.ମି ଭିତରେ ଦୁଇଟି ବିମାନ ବନ୍ଦର ପ୍ରତିଷ୍ଠା କରାଯିବା ଭାରତୀୟ ବିମାନବନ୍ଦର କର୍ତୃପକ୍ଷଙ୍କ ଗାଇଡଲାଇନ୍‌ ବାହାରେ। ତେଣୁ ଜିଲ୍ଲାବାସୀଙ୍କୁ ଭ୍ରମିତ କରିବା ଲାଗି ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର