ପୁରୁଣା ଲିଜ୍‌ଧାରୀଙ୍କ ଲୁହାପଥର ଗଚ୍ଛିତ ପ୍ରସଙ୍ଗ: ନିଲାମ କରିବେ ସରକାର

କେନ୍ଦୁଝର : କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଲୁହାପଥର ଖଣିରେ ପୁରୁଣା ଲିଜ୍‌ଧାରୀଙ୍କ ଦ୍ବାରା ଉତ୍ତୋଳନ ହୋଇ ଗଚ୍ଛିତ ଥିବା ୧୭ ମିଲିୟନ ଟନ୍‌ ଲୁହାପଥରକୁ ସରକାର ନିଲାମ କରିବେ। ପୂର୍ବରୁ ଏହି ଲୁହାପଥର ଉଠାଇବା ପାଇଁ ପୁରୁଣା ଲିଜ୍‌ଧାରୀଙ୍କୁ ସରକାର ମାସେ ସମୟ ଦେଇଥିଲେ। ମାତ୍ର ଏହି ସମୟରେ ଲୁହାପଥର ଉଠାଇବା ପାଇଁ କୌଣସି ଲିଜ୍‌ଧାରୀ ସରକାରଙ୍କୁ ଅଣ୍ଡରଟେକିଂ ନ ଦେବାରୁ ଏବେ ସରକାର ଏହି ଲୁହାପଥର ନିଜ ଅଧୀନକୁ ନେଇ ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୭ ତାରିଖରେ ‘ଗଚ୍ଛିତ ଲୁହାପଥର ଉଠାଇବା ପାଇଁ ଆଉ ମାସେ ମହଲତ ନିଷ୍ପତ୍ତି : ସରକାରଙ୍କ କ୍ଷତି ହେବ ୧୦ ହଜାର କୋଟି’ ଶୀର୍ଷକ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ବିରୋଧୀ ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲା। ଏବେ ସରକାର ନିଜେ ଏହି ଗଚ୍ଛିତ ଲୁହାପଥର ନିଲାମ କରିବା ଦ୍ବାରା ରାଜସ୍ବ ବଢ଼ିବ ବୋଲି କୁହାଯାଉଛି।

ଦେଶରେ ସର୍ବାଧିକ ଲୁହାପଥର ଉତ୍ତୋଳନ କେନ୍ଦୁଝର ଜିଲ୍ଲାରୁ ହୋଇଥାଏ। ପୂର୍ବରୁ ଖଣି ଲିଜ୍‌ ନେଇଥିବା ଏକାଧିକ ଲିଜ୍‌ଧାରୀଙ୍କ ଲିଜ୍‌ ଅବଧି ୨୦୨୦ ମସିହା ମାର୍ଚ୍ଚରେ ‌ଶେଷ ହୋଇଥିଲା। ଅବଧି ସରିବା ସତ୍ତ୍ବେ ପୁରୁଣା ଲିଜ୍‌ଧାରୀଙ୍କ ବିପୁଳ ପରିମାଣର ଲୁହାପଥର ଖଣିରେ ଗଚ୍ଛିତ ଥିଲା। ଲିଜ୍‌ ଅବଧି ଶେଷ ହେବା ପରେ ରାଜ୍ୟ ସରକାର ନିଲାମ ମାଧ୍ୟମରେ ଏସବୁ ଖଣିକୁ ନୂଆ ଲିଜ୍‌ଧାରୀଙ୍କୁ ଦେଇଥିଲେ। ଏହାସତ୍ତ୍ବେ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍‌ଧାରୀଙ୍କୁ ସୁଯୋଗ ଦିଆଯାଇଥିଲା। ୨୦୨୦ ସେପ୍ଟମ୍ବର ମାସ ସୁଦ୍ଧା ଗଚ୍ଛିତ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍‌ଧାରୀଙ୍କୁ ସରକାର ସମୟ ଦେଇଥିଲେ। ମାତ୍ର ଲୁହାପଥର ଉଠାଇଲେ ନାହିଁ ଲିଜ୍‌ଧାରୀ। ପ‌ରେ ସରକାର ପୁଣି ଆଉ ମାସେ ସମୟ ଦେଇଥିଲେ। ତଥାପି ଗଚ୍ଛିତ ଲୁହାପଥର ଉଠାଗଲା ନାହିଁ।

ଇତିମଧ୍ୟରେ ଏହି ସମସ୍ତ ଲୁହାପଥର ଖଣି ନୂଆ ଲିଜ୍‌ଧାରୀଙ୍କ ମାଲିକାନାକୁ ଆସିଯାଇଥିଲା। ପୁରୁଣା ଲିଜ୍‌ଧାରୀଙ୍କ ଦ୍ବାରା ଉତ୍ତୋଳନ କରାଯାଇ ଗଚ୍ଛିତ ଥିବା ଲୁହାପଥର ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା। ଦୀର୍ଘ ୮ ମାସ ଧରି ଗଚ୍ଛିତ ଲୁହାପଥରକୁ ସୁରକ୍ଷାକର୍ମୀଙ୍କ ଦ୍ବାରା ସୁରକ୍ଷା ଦେଇଥିଲେ ସରକାର। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଆଉ ମାସେ ମଧ୍ୟରେ ଗଚ୍ଛିତ ଲୁହାପଥର ଉଠାଇବାକୁ ହେଲେ ପୁରୁଣା ଲିଜ୍‌ଧାରୀଙ୍କୁ ଏକ ଅଣ୍ଡରଟେକିଂ ଦେବାକୁ କହିଥିଲେ। ମେ ୫ ତାରିଖରେ ଏନେଇ ଏକ ନୋଟିସ୍‌ ଜାରି ହୋଇଥିଲା। ଇତିମଧ୍ୟରେ କୌଣସି ପୁରୁଣା ଲିଜ୍‌ଧାରୀ ଏପର୍ଯ୍ୟନ୍ତ ଅଣ୍ଡରଟେକିଂ ଲେଖି ଦେଇନାହାନ୍ତି।

ଗୁରୁବାର ଏନେଇ ରାଜ୍ୟ ସରକାରଙ୍କ ଖଣି ବିଭାଗର ଅତିରିକ୍ତ ସଚିବ ଖଣି ନିର୍ଦ୍ଦେଶକଙ୍କୁ ଏକ ଚିଠି କରି ତୁରନ୍ତ ପୁରୁଣା ଲିଜ୍‌ଧାରୀଙ୍କ ଗଚ୍ଛିତ ଥିବା ଲୁହାପଥରକୁ ମାପ କରିବା ସହ ନିଜ ଅକ୍ତିଆରକୁ ନେଇ ନିଲାମ କରିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଆର୍‌ପି ସାଓ, କଳିଙ୍ଗ ମାଇନିଂ କର୍ପୋରେସନ୍‌, ଘନଶ୍ୟାମ ମିଶ୍ର, ସିରାଜ୍ଜୁଦ୍ଦିନ ଏବଂ କେ.‌ଜେ.ଏସ୍‌. ଆଲୁୱାଲିଆ ଖଣି କମ୍ପାନିର ଗଚ୍ଛିତ ଥିବା ପ୍ରାୟ ୧୭ ମିଲିୟନ ଟନ୍‌ ଲୁହାପଥର ସରକାର ନିଲାମ କରିବା ସ୍ପଷ୍ଟ ହୋଇଛି। ଏ ସଂପର୍କରେ ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମେଶ ଜେନାଙ୍କୁ ପଚାରିବାରୁ, ପୁରୁଣା ଲିଜ୍‌ଧାରୀଙ୍କୁ ମାସେ ମଧ୍ୟରେ ଗଚ୍ଛିତ ଲୁହାପଥର ଉଠାଇ ନେବାକୁ ଏକ ଅଣ୍ଡରଟେକିଂ ଲେଖି ଦେବାକୁ କୁହାଯାଇଥିଲା। ମାତ୍ର କୌଣସି ଲିଜ୍‌ଧାରୀ ଅଣ୍ଡରଟେକିଂ ଦେଲେ ନାହିଁ। ଫଳରେ ସରକାର ଗଚ୍ଛିତ ଲୁହାପଥର ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର