ଭାରତର ଗଣତନ୍ତ୍ର ଇତିହାସରେ ସ୍ମରଣୀୟ ଦିନ : ଧର୍ମେନ୍ଦ୍ର

ନୂଆ ସଂସଦ ଭବନର ଶିଳାନ୍ୟାସ ପ୍ରସଙ୍ଗ

ଭୁବନେଶ୍ୱର : ସ୍ୱାଧୀନୋତ୍ତର ଭାରତର ୭୫ ବର୍ଷ ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନ ଭାରତୀୟଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ଗୁଞ୍ଜରଣ ସୃଷ୍ଟି କରିବ। ଭାରତର ଗଣତନ୍ତ୍ର ଇତିହାସରେ ଏହି ଦିନଟି ସ୍ମରଣୀୟ ହୋଇ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଟ୍ବିଟ୍‌ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତର ବିଚାରଧାରାରେ ପ୍ରେରିତ ଓ ଭାରତୀୟତା ସହ ଓତଃପ୍ରୋତ ଭାବେ ଜଡ଼ିତ ନୂଆ ସଂସଦ ଭବନ ନିର୍ମାଣର ଶୁଭାରମ୍ଭ ହୋଇଛି। ଏକବିଂଶ ଶତାବ୍ଦୀର ନୂଆ ଭାରତରେ ନୂଆ ସଂସଦ ଦେଶର ନାଗରିକଙ୍କ ଆକାଂକ୍ଷା ସହିତ ଜଡ଼ିତ ଏବଂ ଏଥି ପାଇଁ ଆମେ ଗର୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଭାରତୀୟ ଗଣତନ୍ତ୍ରର ନୂଆ ମନ୍ଦିରରେ ଭାରତୀୟଙ୍କ ସ୍ୱର ଗୁଞ୍ଜରିତ ହେବ। ଯେଉଁଠାରେ ସମସ୍ତ ବିବିଧତାର ମିଶ୍ରଣ ହେବ ଓ ସମସ୍ତ ବିଚ୍ଛିନ୍ନତା ଦୂର ହେବ। ନୂଆ ସଂସଦ ଭବନରେ ଅନେକ ଅତ୍ୟାଧୁନିକ ସୁବିଧା ଉବଲବ୍ଧ କରାଯିବ, ଯାହା ଦ୍ୱାରା କି ସାଂସଦଙ୍କ ଦକ୍ଷତା ବଢ଼ିବା ସଙ୍ଗେ ସଙ୍ଗେ ସଂସଦର କାର୍ଯ୍ୟଦକ୍ଷତା ମଧ୍ୟ ଉନ୍ନତ ହେବ। ପୁରୁଣା ସଂସଦ ଭବନ ଯେଭଳି ଭାବେ ଦେଶର ମାର୍ଗ ନିର୍ଦ୍ଧାରଣରେ କାର୍ଯ୍ୟବାହକ ହୋଇଥିଲା ସେଭଳି ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସଶକ୍ତ, ଆତ୍ମନିର୍ଭର ଭାରତ ନିର୍ମାଣରେ ସାକ୍ଷୀ ହେବ ଓ ୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର