ଭିମ୍‌ସାରରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଅବହେଳା ପ୍ରସଙ୍ଗ: ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ କରିବେ ତଦନ୍ତ

ତିନି ମାସ ଭିତରେ ଦାଖଲ ହେବ ରିପୋର୍ଟ
ତଦନ୍ତକାରୀ ଅଧିକାରୀ ଆହ୍ବାନ କରିବେ ସତ୍ୟପାଠ
ରାଜ୍ୟରେ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିରେ ଉନ୍ନତି ପ୍ରସଂଗରେ ପ୍ରସ୍ତାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଭିମ୍‌ସାର୍‌)ରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅବହେଳା ପ୍ରସଂଗର ସ୍ବାଧୀନ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ଗଠିତ ଖଣ୍ଡପୀଠ ଜ୍ଞାନଦତ୍ତ ଚୌହ୍ବାନଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ତିନି ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଭିମ୍‌ସାର୍‌ ସହିତ ରାଜ୍ୟର ଅନ୍ୟ ସରକାରୀ ମେଡିକାଲ ଓ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ପଦକ୍ଷେପ ସଂପର୍କରେ ରିପୋର୍ଟରେ ପ୍ରସ୍ତାବ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ କହିଛନ୍ତି। ଏଥି ସହିତ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ମଧ୍ୟ ତଦନ୍ତକାରୀ ଅଧିକାରୀ ପ୍ରସ୍ତାବ ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି ଦେବା ସହିତ ୨୦୨୧, ନଭେମ୍ବର ୧ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବାର ଏକ ସପ୍ତାହ ଭିତରେ ରାଜ୍ୟ ସରକାର ତଦନ୍ତ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ସପ୍ତାହ ଭିତରେ ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମରେ ସର୍ବସାଧାରଣ ନୋଟିସ୍ ଜରିଆରେ ତଦନ୍ତ ପ୍ରକ୍ରିୟା ନେଇ ଅବଗତ କରିବେ। ଭିମ୍‌ସାର୍‌ରେ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ନ ପାଇ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ତଦନ୍ତକାରୀ ଅଧିକାରୀ ସତ୍ୟପାଠ ଆହ୍ବାନ କରିବେ। ଏଥିପାଇଁ ସମ୍ବଲପୁର ଜିଲ୍ଲା ଅଦାଲତ ପରିସର ତଦନ୍ତର ସ୍ଥାନ ଭାବେ ଧାର୍ଯ୍ୟ କରାଯାଇଛି। ତଦନ୍ତକାରୀ ଅଧିକାରୀ ଆବଶ୍ୟକ କରୁଥିବା ଭିତ୍ତିଭୂମି ପୁଲିସ, ପ୍ରଶାସନ ଯୋଗାଇ ଦେବେ। ତଦନ୍ତକାରୀ ଅଧିକାରୀଙ୍କୁ ମାସିକ ୨ ଲକ୍ଷ ଟଙ୍କା ସମ୍ମାନଦେୟକ ପାରିଶ୍ରମିକ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ବରଗଡର ବାସିନ୍ଦା ଶ୍ରୀ ଚୌହ୍ବାନ କନେରା ଦ୍ବିତୀୟ ଲହର ସମୟରେ ପଶ୍ଚିମ ଓଡ଼ିଶାରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ୨୦୨୧, ମେ ୨୩ରେ ହାଇକୋର୍ଟଙ୍କ ନିକଟକୁ ଏକ ଇ-ମେଲ ପଠାଇଥିଲେ। ଆବେଦନକାରୀଙ୍କ ଚିଠି ଉପରେ ପକ୍ଷ ରଖିବାକୁ ଆଡଭୋକେଟ ଜେନେରାଲଙ୍କୁ କୁହାଯାଇଥିଲା। ମେ ୨୫ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ପକ୍ଷରୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସମ୍ବଲପୁର ସିଡିଏମଓ, ଏମଏମସି କମିସନର ଓ ଏଡିଏମ(ରାଜସ୍ବ)ଙ୍କୁ ନେଇ କମିଟି ଦାଖଲ କରିଥିବା ରିପୋର୍ଟରେ ତଥ୍ୟ ଠିକ୍ ନଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ। ଫଳରେ ପୀଡିତ ଅଥବା ସେମାନଙ୍କ ସଂପର୍କୀୟଙ୍କ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୀଡିତ ଓ ସେମାନଙ୍କ ସଂପର୍କୀୟଙ୍କ ପକ୍ଷରୁ ୯ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ରହିଥିବା ତଥ୍ୟ ପ୍ରମାଣକୁ ବିଚାରକୁ ନେଇ ହାଇକୋର୍ଟ ଭିମ୍‌ସାର୍‌ରେ ଚିକିତ୍ସା ଅବହେଳା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର