ମି​ଳିମିଶି ହଜାଇଦେଲେ ଖଣି ଦୁର୍ନୀତି ପ୍ରସଙ୍ଗ: ବଡ଼ବଡ଼ିଆଙ୍କୁ ସୁରକ୍ଷା, ତଳିଆ ପାଇଲେ ଦଣ୍ଡ

ଭୁବନେଶ୍ବର : ‘‘ଖଣି ମାଲିକ, ସରକାରୀ ଅଧିକାରୀ ଏବଂ ରାଜନେତାଙ୍କ ସହଯୋଗରେ ଯୋଜନାବଦ୍ଧ ଭାବେ ବର୍ଷ ବର୍ଷ ଧରି ଖଣି ଦୁର୍ନୀତି ଚାଲିଥିଲା। ଏହି ପ୍ରସଙ୍ଗ ସହିତ ଶକ୍ତିଶାଳୀ ବ୍ୟକ୍ତିବିଶେଷ ଯୋଡ଼ି ହୋଇଥିବାରୁ ଏବଂ ଆଇନର ବ୍ୟାପକ ଉଲ୍ଲଂଘନ ଦୃଷ୍ଟିରୁ ଏହାର ସିବିଆଇ ତଦନ୍ତ ହେବା ଦରକାର। ରାଜ୍ୟ ସରକାରଙ୍କ ଦ୍ବାରା ଏହାର ସଠିକ୍ ଭାବେ ଅନୁସନ୍ଧାନ କରିପାରିବେ; ଏ ବିଶ୍ବାସ ହେଉନାହିଁ।’’

ଆଇନରେ ସଂଶୋଧନ, ଖଣି ନିଲାମ ହେଲା
ଅଳ୍ପ କିଛି ଜରିମାନା ଆଦାୟରେ ଅଟକିଗଲା
ଭିଜିଲାନ୍ସ ତଦନ୍ତର ଅଗ୍ରଗତି ନେଇ ସମସ୍ତେ ଚୁପ୍
ଶାହ କମିସନଙ୍କ ସୁପାରିସକୁ ଫୁ, ବିରୋଧୀ ନିରବ

ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲାର ତଦନ୍ତ କରି ଏଭଳି ରିପୋର୍ଟ ଦେଇଥିଲେ ଜଷ୍ଟିସ୍ ଏମ୍ ବି ଶାହ କମିସନ। ଆଉ କିଛି ଦିନ ପରେ ଏହି ମାମଲାକୁ ଦଶ ବର୍ଷ ଛୁଇଁବ। ହେଲେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର ଏହି ଘଟଣାରେ ରାଜନୈତିକ ନେତାଙ୍କ କଥା ଦୂରେ ଥାଉ; କୌଣସି ଜଣେ ବି ବଡ଼ବଡ଼ିଆ ଅଧିକାରୀଙ୍କୁ ଗିରଫ କରିନାହାନ୍ତି ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁଠାରୁ ବଡ଼ କଥା ହେଲା, କମିସନଙ୍କ ସିବିଆଇ ତଦନ୍ତ ସୁପାରିସ ବି ଫାଇଲ ଭିତରେ ରୁନ୍ଧି ହୋଇଯାଇଛି। ଓଲଟା ଶାହ କମିସନ ଯେଉଁ ବଡ ପରିମାଣର ଜରିମାନା ଆଦାୟ ପାଇଁ ସୁପାରିସ କରିଥିଲେ, ତାହା ଆଇନର ଫାଶ ଭିତରେ ପ୍ରାୟ ଏକ ତୃତୀୟାଂଶକୁ ହ୍ରାସ ପାଇଗଲା। ଖଣି ଆଇନରେ ସଂଶୋଧନ ଓ ପାଖାପାଖି ୧୮ ହଜାର କୋଟିର ଫାଇନ ଆଦାୟରେ ଏହି କେଳେଙ୍କାରୀଟି ସମାଧି ନେଇଛି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ମଧ୍ୟ ଏହି ଘଟଣାରେ ଯେଉଁ ତନାଘନା ଚଳାଇଥିଲେ, ସେ ତଦନ୍ତ କେତେ ବାଟ ଆଗେଇଲା, ଆଉ କୌଣସି ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିଲା ନା ନାହିଁ, ସେ ନେଇ ଆଉ କିଛି ସୋର୍ ଶବ୍ଦ ନାହିଁ। ଏହି ବଡ଼ କେଳେଙ୍କାରୀରେ ଖଣି ମାଲିକଙ୍କ ବିରୋଧରେ ଅଳ୍ପବହୁତେ କାର୍ଯ୍ୟାନୁଷ୍ଠାନ ହେଲା, କିଛି ଖଣି ଅଧିକାରୀ ଅଡୁଆରେ ପଡ଼ିଲେ, ହେଲେ କାର୍ପଟଦାର ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

India News Diary

ନିକଟରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ଏହି ପ୍ରସଙ୍ଗଟି ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହେଲାଣି। ନିକଟରେ ଖଣି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ନେଇ ଦଶବର୍ଷରୁ ଅଧିକ ସମୟ ଧରି ଥିବା ମାମଲାଗୁଡିକ ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଥିଲେ। କମନ୍ କଜ୍ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଏହି ମାମଲାରେ ଆଉ କୌଣସି ନିର୍ଦେଶର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର
ଓ ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ୯ଟି ମାମଲାର ଶୁଣାଣି ପରେ କୋର୍ଟଙ୍କ ଏଭଳି ନିର୍ଦେଶ ଆସିଥିଲା।

ଏବେ ପ୍ରଶ୍ନ ଉଠୁଛି ଯେ ଗୋଟିଏ ଘଟଣାରେ ଅଳ୍ପ କିଛି ଦୋଷୀଙ୍କୁ ଦଣ୍ଡ ଦିଆଯିବ, ଅନ୍ୟମାନେ ନିର୍ଦୋଷ ବୁଲିବେ? ସେ ସମୟର ଖଣି ବିଭାଗର ସଚିବ, ନିର୍ଦେଶକ, ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ, ଆଇବିଏମ୍ ଅଧିକାରୀ, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ କାହା ବିରୋଧରେ ବି କାର୍ଯ୍ୟାନୁଷ୍ଠାନ େହବନାହିଁ? କେବଳ ତଳତଳିଆ କିଛି ଖଣି ଅଧିକାରୀଙ୍କ ମାଧ୍ୟମରେ ଏତେ ବଡ଼ ଦୁର୍ନୀତି ହୋଇଥିଲା? ଏସବୁ ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହେଲାଣି। ରାଜ୍ୟରେ ସଂପ୍ରତି ଖଣିଜ ପରିବହନ ବ୍ୟବସ୍ଥାରେ ଅନେକ ସଂସ୍କାର ଆସିଛି। ଖଣି ଅଯାଚିତ ଭାବେ ପଟ୍ଟାଦାରଙ୍କ ହାତରେ ଟେକି ନ ଦିଆଯାଇ ନିଲାମ ହେଉଛି। ହେଲେ ପୂରା ବ୍ୟବସ୍ଥା ଯେ ତ୍ରୁଟିଶୂନ୍ୟ; ଏକଥା କୁହାଯାଇପାରିବ ନାହିଁ। ନିକଟରେ ବିଧାନସଭାରେ ବିଧାୟକମାନେ ଉଠାଇଥିବା ଅନେକ ଅଭିଯୋଗ ଏହି ସନ୍ଦେହକୁ ଘନୀଭୂତ କରୁଛି।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ତୃତୀୟ ପାଳିରେ ଖଣି ଦୁର୍ନୀତିକୁ ନେଇ ଓଡ଼ିଶା ପଡ଼ିଲା ଉଠିଲା। ସିବିଆଇ ତଦନ୍ତ; ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା; ସରକାରୀ ଅଧିକାରୀଙ୍କୁ ଗିରଫ ଏମିତି ମାଳ ମାଳ ଦାବି ସାମ୍ନାରେ ରଖି ବିରୋଧୀ ତମ୍ବିତୋଫାନ କଲେ। ବିଧାନସଭା ଭିତରେ, ବାହାରେ ବି ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ପାଳିର ଅଧାରୁ ଅଧିକ ସମୟ ମଧ୍ୟ ଏହି ପ୍ରସଙ୍ଗ ଚର୍ଚ୍ଚାରେ ରହିଲା। ହେଲେ ନା ରାଜ୍ୟ ସରକାର ନିଜ ଆଡୁ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଲେ ନା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର କିମ୍ବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସେ ଦିଗରେ ଆଗକୁ ବଢ଼ିଲେ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଜେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗକୁ ଏଡ଼ାଇ ଗଲେ।

ତେବେ କୌତୂହଳ କଥା ହେଲା, ଏମ୍ ବି ଶାହ କମିସନଙ୍କ ରିପୋର୍ଟକୁ ତର୍ଜମା କରି କେନ୍ଦ୍ରୀୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ପଟ୍ଟାଦାରଙ୍କ ଉପରେ ଜରିମାନାର ପରିମାଣକୁ ୬୧ହଜାର କୋଟିକୁ ବୃଦ୍ଧି କରିଥିଲେ। ହେଲେ ଅଦାଲତୀ ପ୍ରକ୍ରିୟା ପରେ ଏହା ୧୮ ହଜାର କୋଟିକୁ ଖସିଆସିଲା। ତାହା ମଧ୍ୟ ଶତ ପ୍ରତିଶତ ଆଦାୟ ହୋଇପାରିଲାନି।
ଅର୍ଥାତ୍ ଅଳ୍ପ କିଛି ତଳତଳିଆ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଭିଜିଲାନ୍ସ ତନାଘନା, ରାଜନୈତିକ ଦଳର ବୟାନବାଜି ଭିତରେ ଶେଷରେ ଏହି ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗଟି ରାଜ୍ୟରେ ଆପାତତଃ ସମାଧି ନେଇଛି। ଓଲଟା ସଂଶୋଧିତ ଖଣି ଆଇନ କାର୍ଯ୍ୟାନ୍ବୟନ ନେଇ ରାଜ୍ୟ ସରକାରଙ୍କ ଆଗ୍ରହକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିବା ସହିତ ସଂଘୀୟ ବ୍ୟବସ୍ଥାର ଏହା ଏକ ଶ୍ରେଷ୍ଠ ଉଦାହରଣ ବୋଲି ଦର୍ଶାଇବା ଏହି ପ୍ରସଙ୍ଗକୁ ନାଟକୀୟ ମୋଡ଼ ଦେଇଛି।

ସେ ସମୟରେ ଏହି ପ୍ରସଙ୍ଗକୁ ନେଇ ଗର୍ଜନ କରିଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜଷ୍ଟିସ ଶାହ କମିସନଙ୍କ ରିପୋର୍ଟ ଏବଂ ସୁପାରିସକୁ ନେଇ ଦେଶରେ ହଇଚଇ ସୃଷ୍ଟି ହେଲା। ହେଲେ ବିନା ଦଣ୍ଡରେ ଏହି ମାମଲାର ପୂର୍ଣ୍ଣଛେଦ ପଡ଼ିଲା। କମିସନ ଯେଉଁ ଉଚ୍ଚବର୍ଗର ନେତା, ଅଫିସରଙ୍କ କଥା କହିଥିଲେ, ସେମାନଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଆଇନ ଆଖିରେ ଧୂଳି ଦେଇ ସମସ୍ତେ ଖସିଗଲେ। ଏଥିରେ ଆଇନ ପ୍ରତି ସମ୍ମାନ ବଢ଼ିଲା କି କମିଲା, ତାହା ଉପରେ ଏବେ ବିତର୍କର ଆବଶ୍ୟକତା ରହିଛି।

ଏହି ମାମଲାରେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ ଜଷ୍ଟିସ ଏମ ବି ଶାହ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି। ସିବିଆଇ ତଦନ୍ତ ଲାଗି କମିସନଙ୍କ ସୁପାରିସ ଉପରେ କେନ୍ଦ୍ର ସରକାର ଗୋଟିଏ ସ୍ପଷ୍ଟ ଆଭିମୁଖ୍ୟ ନେବାର ଥିଲା। ଜଷ୍ଟିସ ଶାହଙ୍କ ରିପୋର୍ଟର ଅନ୍ୟ ଅଂଶଟି ଅର୍ଥାତ୍ ଫାଇନ ଆଦାୟ ପ୍ରସଙ୍ଗରେ ସିଇସିଙ୍କ ରିପୋର୍ଟ ଭିତ୍ତିରେ ସର୍ବୋଚ୍ଚ ନ୍ୟାୟାଳୟ ପଦକ୍ଷେପ ନେଇସାରିଛନ୍ତି।

ଏତିକି କୁହାଯାଇପାରିବ ଯେ ଆଇନରେ ସଂଶୋଧନ ହେଲା ଓ ଖଣି ନିଲାମ ହେବା କାରଣରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏବେ ଆର୍ଥିକ ଦୃଷ୍ଟିରୁ ଲାଭରେ ରହିଲେ।

ସମ୍ବନ୍ଧିତ ଖବର