ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଂଗ: ସ୍ବାଗତଯୋଗ୍ୟ କିନ୍ତୁ, ଏହା ସମୁଦ୍ରକୁ ଶଙ୍ଖେ

ସମ୍ବଲପୁର : କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଧାନର ସର୍ବନିମ୍ମ ସମର୍ଥନ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ସାଧାରଣ ମାନର ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କାରୁ ୨୦୪୦ ଟଙ୍କା ଏବଂ ଏ’ ଗ୍ରେଡ୍‌ ଧାନ କୁଇଣ୍ଟାଲ ପ୍ରତି ୧୯୬୦ ଟଙ୍କାରୁ ୨୦୬୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ, ଚାଷୀମାନେ ପୂର୍ବାପେକ୍ଷା ଏଣିକି କୁଇଣ୍ଟାଲ ପ୍ରତି ଶହେ ଟଙ୍କା ଅଧିକ ପାଇବେ। ଚାଷୀମାନେ ଦର ବୃ୍ଦ୍ଧିକୁ ସ୍ବାଗତ କରିଥିଲେହେଁ ଏହାକୁ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି।

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ ଦର ବୃଦ୍ଧି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଦେଶର ଖାଦ୍ୟ ନିରାପତ୍ତା ରକ୍ଷା ପାଇଁ ଚାଷୀର ବଡ଼ ଭୂମିକା ରହିଛି। ଚାଷୀକୁ ବି ସମ୍ମାନ ସହିତ ନିଜ ପରିବାର ବଞ୍ଚାଇ ରଖିବା ହେବ। ପୂର୍ବ ସରକାର ସମୟରେ କୃଷି ଉତ୍ପାଦ ବୃଦ୍ଧି ପାଇଁ ଚାଷୀ ପ୍ରତିନିଧିମାନଙ୍କୁ ଦିଲ୍ଲୀ ଡକାଇ ଦର ବୃଦ୍ଧି ନେଇ ମତାମତ ନେଉଥିଲେ। ଚାଷୀ ପ୍ରତିନିଧି ସଂପୃକ୍ତ ଆୟୋଗର ବୈଠକରେ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦର ବୃଦ୍ଧି ପାଇଁ ପ୍ରସ୍ତାବ ରଖିପାରୁଥିଲେ। ବିଜେପି ନେତୃତ୍ବାଧୀନ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ କିନ୍ତୁ, ସେହି ବ୍ୟବସ୍ଥା ବନ୍ଦ କରିଦେଲେ। ସ୍ବାମୀନାଥନ କମିସନର ସୁପାରିଶ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ବିଜେପି ୨୦୧୪ ମସିହା ନିର୍ବାଚନ ବୈତରଣୀ ପାରି ହୋଇଗଲା। କିନ୍ତୁ, କ୍ଷମତାକୁ ଆସିବାର ଏତେ ଦିନ ପରେ ବି ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ସବୁ ଜିନି‌ଷର ମୂଲ୍ୟ ବୃଦ୍ଧି ଘଟୁଛି। ଚାଷୀର ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ସେହି ଅନୁପା‌ତରେ କିନ୍ତୁ କୃଷି ଉତ୍ପାଦର ଦର ବୃଦ୍ଧି ଘଟୁ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଚାଷୀ ନେତା ସରୋଜ ମହାନ୍ତି କହିଛନ୍ତି, ଧାନର କୁଇଣ୍ଟାଲ ପିଛା ଶହେ ଟଙ୍କା ଦର ବୃଦ୍ଧି ଅସଲ ଅର୍ଥରେ ବୃଦ୍ଧି ନୁହେଁ। ମୁଦ୍ରା ସ୍ପିତିକୁ ଯଦି ବିଚାରକୁ ନେବା ଏହି ଶହେ ଟଙ୍କା ଦର ବୃଦ୍ଧିକୁ ବାସ୍ତବ କ୍ଷେତ୍ରରେ ଧାନର ଏମ୍‌ଏସ୍‌ପି ବଢ଼ିଛି ବୋଲି କହାଯାଇପାରିବ ନାହିଁ। ଚାଷୀମାନେ ସ୍ବାମୀନାଥନ କମିଟିର ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ବହୁ ବର୍ଷରୁ ଦାବି କରି ଆସୁଛନ୍ତି। କୃଷି ଖର୍ଚ୍ଚ ବଢ଼ିବାରେ ଲାଗିଛି। ପେଟ୍ରୋଲ, ଡିଜେଲ, କୃଷି ଯନ୍ତ୍ରପାତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ସାର, କୀଟନାଶକ ଆଦିର ଦର ଯେଉଁ ଅନୁପାତରେ ବଢ଼ିଚାଲିଛି ଏହି ଶହେ ଟଙ୍କା ବୃଦ୍ଧି ହାସ୍ୟାସ୍ପଦ ଅଟେ। ସରକାର ୩ କୃଷି ଆଇନ ହଟାଇବା ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଶୀଘ୍ର କାର୍ଯ୍ୟକାରୀ କରନ୍ତୁ। ଏମଏସ୍‌ପି ନିମନ୍ତେ କମିଟି ଗଠନ ସହିତ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର