ପୁରୀ : ନନ୍ଦିଘୋଷ ରଥ ଉପରେ ଡ୍ରେସ୍ ପିନ୍ଧା ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିବା ମହଙ୍ଗା ପଡ଼ିଛି ସେବାୟତଙ୍କୁ। ନିଜ ଜ୍ବାଇଁ ଓ ପୁତୁରାଙ୍କୁ ପାସ୍ ଦେଇ ଫସିଛନ୍ତି କନକମୁଣ୍ଡି ସେବାୟତ। ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ସଂଗ୍ରହ କରି ପୁଲିସ ତନାଘନା ଆରମ୍ଭ କରି ଶେଷରେ ଏହି ସେବାୟତଙ୍କୁ ଚିହ୍ନଟ କରିଛନ୍ତି। ସେବାୟତ ଜଣକ ଚୁଡ଼ଙ୍ଗ ସାହି ମାତାଗୋସାଇଁ ଲେନ୍ରେ ରହୁଥିବା କନକମୁଣ୍ଡି ସେବାୟତ ହାଡ଼ିବନ୍ଧୁ ନାୟକ ବୋଲି ଜଣାପଡ଼ିଛି। ତେଣୁ ତାଙ୍କୁ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ ତିନି ରଥ ନିର୍ମାଣ ସମୟରେ ଶ୍ରୀଜିଉମାନଙ୍କ ସିଂହାସନ ଉପରକୁ ପିତଳର ଚାଦର ଲଗାଯାଇଥାଏ। ଏଥିପାଇଁ କନକମୁଣ୍ଡି ସେବାୟତଙ୍କୁ ନିୟୋଜିତ କରାଯାଇଥାଏ। ହାଡ଼ିବନ୍ଧୁ କନକମୁଣ୍ଡି ସେବାୟତ ହୋଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ରଥ ପାଇଁ ତିନୋଟି ପାସ୍ ଦିଆଯାଇଥିଲା। ହାଡ଼ିବନ୍ଧୁ ଏହି ତିନି ରଥ ପାଇଁ ନିଜ ନାମରେ ଗୋଟିଏ, ସାନଭାଇ ଦେବେନ୍ଦ୍ର ନାୟକଙ୍କ ନାମରେ ଗୋଟିଏ ଏବଂ ପୁତୁରା ଧନଞ୍ଜୟ ନାୟକଙ୍କ ନାମରେ ଗୋଟିଏ ପାସ୍ ନେଇଥିଲେ। ମାତ୍ର ହାଡ଼ିବନ୍ଧୁ ଏହି ପାସ୍କୁ ନିଜ ଜ୍ବାଇଁ ଭୁବନେଶ୍ବରର ପ୍ରକାଶ ପଲେଇ ଏବଂ ପୁତୁରା ବିଶ୍ବଜିତ୍ ନାୟକଙ୍କୁ ଦେଇଥିଲେ। ପ୍ରକାଶ ଓ ବିଶ୍ବଜିତ ଏହି ଦୁଇଟି ପାସ୍ ନେଇ ଡ୍ରେସ୍ ପିନ୍ଧି ରଥ ଉପରକୁ ଚଢ଼ି ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ପୁଲିସ ଏହାକୁ ଗୁରୁତ୍ବର ସହିତ ନେଇ ତଦନ୍ତ କରି ହାଡ଼ିବନ୍ଧୁଙ୍କୁ ଚିହ୍ନଟ କରିଥିଲା। ତେଣୁ ତାଙ୍କୁ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।