୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ; ରାଜ୍ୟ ସରକାର ଦାୟୀ: ଧର୍ମେନ୍ଦ୍ର

ଅସହଯୋଗ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନି, ବହୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି

ଦେବଗଡ଼: ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଯିବେ ବୋଲି ଡରରେ ରାଜ୍ୟରେ ଅନେକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ କାମ ଅଟକି ରହିଛି। ବିଜେପିର ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ୫୫ ନମ୍ବର ଜାତୀୟ ରାଜପଥର ୯୦ ପ୍ରତିଶତ କାମ ଶେଷ ହୋଇଛି।

ଅସହଯୋଗ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନି
ବହୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି
ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଯିବାର ଡର ଘାରିଛି

ଆଉ ଯାହା କାମ ବାକି ଅଛି, ତାହା ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ହୋଇପାରୁନି। ରାଜ୍ୟ ସରକାର ଜାଣିଶୁଣି ଜମି ଅଧିଗ୍ରହଣରେ ବିଳମ୍ବ କରୁଛନ୍ତି। ସେହିପରି, ବ୍ରାହ୍ମଣୀ ନଦୀ ଅବବାହିକାରେ ଚାଲିଥିବା ‘ୱାଟର ୱେ’ କାମ ଧାମରାରୁ ପାରାଦୀପ ଦେଇ ତାଳଚେର ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହାକୁ ବାରକୋଟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ପ୍ରତିଷ୍ଠା ହେଲେ ସମସ୍ତ କାମ ସହଜ ହେବ ବୋଲି ‌ସେ କହିଥିଲେ। ସେହିପରି, ରେଳଲାଇନ ବାରକୋଟରୁ ଆରମ୍ଭହୋଇ ଝାରସୁଗୁଡ଼ା, ତିଲେଇବଣି, ରିଆମାଳ, ଦେବଗଡ଼ ସହର ପର୍ଯ୍ୟନ୍ତ ଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଅନ୍ୟପକ୍ଷରେ ରାଜ୍ୟସରକାରଙ୍କୁ ଟାର୍ଗେଟ୍‌କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ଯାହାସବୁ କେନ୍ଦ୍ରୀୟ ଯୋଜନା ଆସୁଛି, ସେସବୁକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି। କା‌ଳେ ପ୍ରଧାନମନ୍ତ୍ରୀଙ୍କ ନାଁ ହୋଇଯିବ, ସେହି ଡର ବିଜେଡି ସରକାରକୁ ଘାରିଛି ଏବଂ ସେଇଥିପାଇଁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର