ପୁରୀ : ହିନ୍ଦୁଙ୍କ ଭଳି ଅଣହିନ୍ଦୁଙ୍କୁ ବି ଚକାଆଖି ସହ ଆଖି ମିଳାଇବାକୁ ସୁଯୋଗ ମିଳୁ। ଅଣହିନ୍ଦୁଙ୍କୁ ବି ମହାପ୍ରଭୁଙ୍କ ଦର୍ଶନ ମିଳୁ। ରାଜ୍ୟପାଳଙ୍କ ଏହି ମନ୍ତବ୍ୟକୁ ମହନ୍ତ, ସେବାୟତ, ଭକ୍ତମାନେ ପରାମ୍ପରା ବିରୋଧୀ ବୋଲି କହିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ରାଜ୍ୟପାଳ କ’ଣ କହିଛନ୍ତି, କେଉଁଠି କହିଛନ୍ତି, ମୁଁ ଜାଣିନାହିଁ। ଶ୍ରୀମନ୍ଦିରରେ ବିଦେଶୀମାନଙ୍କ ପ୍ରବେଶ ନେଇ ରାଜ୍ୟପାଳଙ୍କ ପାଖରୁ ଲିଖିତ କିଛି ଆମ ପାଖକୁ ଆସିନାହିଁ। ଯଦି ଆସେ ପରମ୍ପରା ଅନୁଯାୟୀ ଏ ଦିଗରେ ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ।
ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜା କହିଛନ୍ତି, ଶ୍ରୀମନ୍ଦିରକୁ କେବଳ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ପ୍ରବେଶ ଅନୁମତି ରହିଛି। ଏହି ବିଧିବ୍ୟବସ୍ଥା କାହିଁ କେଉଁ କାଳରୁ ରହି ଆସିଛି। ଅଣହିନ୍ଦୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗୁମୁଟରେ ପତିତପାବନଙ୍କ ବିଗ୍ରହ ରହିଛି। ରାଜା ରାମଚନ୍ଦ୍ରଦେବ ଯେତେବେଳେ ହିନ୍ଦୁ ଧର୍ମ ତ୍ୟାଗ କରିଥିଲେ, ସେତେବେଳେ ସେ ବି ଶ୍ରୀମନ୍ଦିରକୁ ଯାଇପାରିନଥିଲେ। ପତିତପାବନଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରୁଥିଲେ। ତେଣୁ ଏହି ପରମ୍ପରା ମୁତାବକ ଯେଉଁମାନେ ଶ୍ରୀମନ୍ଦିରକୁ ଯାଇ ପାରୁନାହାନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରିପାରିବେ। ଯେଉଁମାନେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରି ପାରିନଥାନ୍ତି, ସେମାନଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ରଥଯାତ୍ରା ସମୟରେ ବାହାରକୁ ଆସିଥାନ୍ତି। ଅଣହିନ୍ଦୁମାନେ ଚାହିଁଲେ ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଯାହା ପରମ୍ପରା ରହିଛି, ତାହା ଆଜି ପର୍ଯ୍ୟନ୍ତ ଅନୁପାଳନ ହୋଇ ଆସୁଛି। ଏହା ସମସ୍ତେ ମାନିବା ଦରକାର ବୋଲି ଶ୍ରୀ ଦାସମହାରାଜା କହିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ କହିଛନ୍ତି, କେବଳ ହିନ୍ଦୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ରହିଛି। ଯାହା ପରମ୍ପରା ଆମକୁ ମାନିବାକୁ ପଡ଼ିବ। ବାକି ଅଣହିନ୍ଦୁମାନେ ପତିତପାବନଙ୍କୁ ଦର୍ଶନ କରିପାରିବେ। ନଚେତ୍ ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ଦେଖିପାରିବେ। ମହାପ୍ରଭୁଙ୍କ ସହ ଶଙ୍କରଚାର୍ଯ୍ୟ ଓ ଗଜପତିଙ୍କୁ କେବେ ବି ତୁଳନା କରାଯାଇ ନପାରେ।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦିରରେ ଯାହା ପରମ୍ପରା ରହିଛି, ତାକୁ ସମ୍ମାନ ଦେବା ଦରକାର। ଅଣହିନ୍ଦୁଙ୍କ ଦର୍ଶନ ପାଇଁ ପତିତପାବନ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଇସ୍କନ ଧର୍ମାବଲମ୍ବୀ ବିଦେଶୀ ଭକ୍ତ ଚିନ୍ମୟପ୍ରସନ୍ନ ଦାସ କହିଛନ୍ତି, ମୁଁ ୩୦ ବର୍ଷ ହେବ ପୁରୀରେ ରହିଆସୁଛି। ଏହା ମୋ ପାଇଁ ସୌଭାଗ୍ୟର କଥା। ମହାପ୍ରଭୁଙ୍କ କୃପାରୁ ମୁଁ ଏଠାରେ ରହିପାରିଛି। ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଏକ ବଡ଼ ସମସ୍ୟା ନୁହେଁ। ଶ୍ରୀମନ୍ଦିରରେ ଯାହା ପରମ୍ପରା ରହିଛି, ତାକୁ ଆମେ ଅନୁପାଳନ କରିବା ଦରକାର। ମୁଁ ଶ୍ରୀମନ୍ଦିର ପରମ୍ପରାକୁ ଯଥେଷ୍ଟ ସମ୍ମାନ ଦେଉଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଏହା ମୁକ୍ତି ମଣ୍ଡପ ନିଷ୍ପତ୍ତି ଉପରେ ଏହା ନିର୍ଭର କରେ। ମୁକ୍ତି ମଣ୍ଡପ ଯାହା ନିଷ୍ପତ୍ତି ନେବ ଆମେ ତାକୁ ଗ୍ରହଣ କରୁଛୁ। ସନାତନ ଧର୍ମ ଆଉ ଡିଫେନସିଭ ହେବାର ନାହିଁ, ଆମେ ଅଗ୍ରେସିଭ ହେବାର ଆବଶ୍ୟକତା ଅଛି। ସମୟ ଥିଲା ମୁସଲମାନମାନେ ଅତ୍ୟାଚାର କରୁଥିଲେ, ଆମ ମନ୍ଦିର ଭାଙ୍ଗି ଦେଉଥିଲେ। ସେଥିପାଇଁ ଅଣ-ସନାତନ ଧର୍ମର ଲୋକଙ୍କୁ ମନ୍ଦିର ମନା ଥିଲା। ଭାରତୀୟ ଧର୍ମକୁ ମନ୍ଦିର ଯିବାକୁ ଅନୁମତି ରହିଛି। କିନ୍ତୁ ଥାଇଲାଣ୍ଡ ରାଣୀଙ୍କୁ ମନ୍ଦିର ଭିତରକୁ ଅନୁମତି ମିଳିଲା ନାହିଁ। ଆମର ସନାତନ ଧର୍ମ ସଂକୁଚିତ ହେଉଛି। ବୌଦ୍ଧ ଧର୍ମ ହିନ୍ଦୁ ଧର୍ମ ସମାନ। ଦେଶର ବୌଦ୍ଧ ଧର୍ମର ଲୋକଙ୍କୁ ଯଦି ଅନୁମତି ମିଳୁଛି ତେବେ ଥାଇଲାଣ୍ଡ ରାଣୀଙ୍କୁ କାହିଁକି ଅନୁମତି ମିଳୁନି, ମୁଁ ବୁଝି ପାରୁନି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେହିଭଳି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଜଗନ୍ନାଥଙ୍କ ପାଇକ ସେବାୟତ ଓ ଭକ୍ତ ହିସାବରେ, ଯେଉଁ ପରମ୍ପରା ରହିଛି ସେ ପରମ୍ପରାକୁ ଭାଙ୍ଗିବାକୁ କେବେ ସୁଯୋଗ ଦିଆଯିବନି। ବାହାର ଦେଶରୁ ଅଣ-ହିନ୍ଦୁମାନେ ଦର୍ଶନ କରିବେ ସେଥିରେ ମୁଁ ଏକମତ ନୁହେଁ। ସେମାନଙ୍କ ପ୍ରତି ସମ୍ମାନ ଦେବା। ଯେତେବେଳେ ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯାଉଛନ୍ତି ସେତେବେଳେ ବିଦେଶୀମାନେ, ଯେଉଁ ଦେଶର ହୋଇଥାନ୍ତୁ ନା କାହିଁକି ଆସନ୍ତୁ ଦର୍ଶନ କରନ୍ତୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।