କଟକ : ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଉଚ୍ଚପ୍ରାଥମିକ ଓ ପ୍ରାଥମିକ ସ୍କୁଲ୍‌ଗୁଡ଼ିକରେ ମୌଳିକ ସୁବିଧା ବ୍ୟବସ୍ଥା କରିବା ପ୍ରସଂଗରେ ମେ ୪ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଆଜି ଶୁଣାଣି ସମୟରେ ଫେବ୍ରୁଆରି ୨୮ର ନିର୍ଦ୍ଦେଶ ପାଳନ କରି ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ପ୍ରଦାନ କରାଯାଉ ବୋଲି ଗଣଶିକ୍ଷା ବିଭାଗ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ମେ ୪ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ସହିତ ନକଲି ଶିକ୍ଷକ ଓ ଜାଲ୍‌ ସ୍କୁଲ୍‌ ପ୍ରସଂଗ ସଂପର୍କିତ ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି ପାଇଁ ଏପ୍ରିଲ୍‌ ୬ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାମଲାର ମେ ୪ରେ ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।