ମନ୍ଦିର ଖୋଲିବା ପ୍ରସଙ୍ଗ ପୁଣି ହାଇକୋର୍ଟରେ

କଟକ : ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗକୁ ନେଇ ପୁଣି ହାଇକୋର୍ଟରେ ଆବେଦନ ଦାୟର ହୋଇଛି। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗରେ ନିଷ୍ପତ୍ତି ନେବାକୁ କହିବା ସହିତ ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି।

ଆଇନଜୀବୀ ଜୟନ୍ତ କୁମାର ବଳ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରାଦେଶରେ ସଟ୍‌ଡା‌ଉନ/ଲକଡାଉନ କରାଯାଇଥିବାବେଳେ କେନ୍ଦ୍ର ସରକାର ମେ ୩୦ରେ ସାନି ନିୟମାବଳୀ ଜାରି କରି ଜୁନ୍‌ ୮ରୁ ସାରା ଦେଶରେ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଏହି ନିୟମ ନ ମାନି ଓଡ଼ିଶାରେ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିିର୍ଦ୍ଦେଶନାମା ଦେଇଥିଲେ। ପରବର୍ତୀ ସମୟରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରିବ ନାହିଁ ବୋଲି କହିଥିଲେ। ସୀମିତ ଦର୍ଶନ ବ୍ୟବସ୍ଥା ସପକ୍ଷରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଥିଲେ। ଏ ସଂପର୍କିତ ଦୁଇଟି ମାମଲାର ହାଇକୋର୍ଟ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ରାୟ ଆଧାରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗରେ ନିଷ୍ପତ୍ତି ନେବେ ବୋଲି ନିର୍ଦେଶ ଦେଇଥିଲେ। ବିଭିନ୍ନ ସମୟରୁ ସମୟ ଓ ସ୍ଥାନରୁ ସ୍ଥାନର ପରିସ୍ଥିତି ଦେଖି ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ପ୍ରସଂଗରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଥିଲେ। ରାଜ୍ୟ ସରକାର ଏହାପରେ ଏ ପ୍ରସଂଗରେ ସାନି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ରାଜ୍ୟ ସରକାର ଏହି ପ୍ରସଂଗରେ ଚୁପ୍ ରହିଥିଲେ। ଏପରି ପରିସ୍ଥିତିରେ ଆବେଦନକାରୀ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରଛନ୍ତି।

ସମ୍ବନ୍ଧିତ ଖବର