ଧାନ କିଣା ଅବ୍ୟବସ୍ଥା ନେଇ କମ୍ପିଲା ବିଧାନସଭା

ଗୃହରେ ବିଧାୟକ ପିଇଲେ ସାନିଟାଇଜର୍‌
ଧାନ ନ ଉଠିବା ଯାଏ ଗୃହ ଅଚଳ ରହିବ: ବିରୋଧୀ
ସରକାର ମାନନ୍ତୁ ଧାନ କିଣିବାକୁ ଅକ୍ଷମ: ପ୍ରଦୀପ୍ତ
ବିଶ୍ବାସଘାତକତା: ନରସିଂହ

ଭୁବନେଶ୍ବର : ଧାନ କିଣା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀ ଆତ୍ମହତ୍ୟା କରିବା ଅପେକ୍ଷା ନିଜେ ଆତ୍ମହତ୍ୟା କରିଦେବା ଭଲ ବୋଲି ଜଣାଇ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନକିଣା ସଂପର୍କରେ ଗୃହରେ ବିବୃତି ରଖୁଥିବାବେଳେ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗୋଟିଏ ବୋତଲରେ ଥିବା ତରଳ ପଦାର୍ଥ (ସାନିଟାଇଜର ବୋଲି ଗୃହ ବାହାରେ କହିଥିଲେ) ପିଇ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ତୁରନ୍ତ ତାଙ୍କୁ ଏଥିରୁ ବାରଣ କରିଥିଲେ। ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା ଓ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଧାନ କିଣା ଅବ୍ୟବସ୍ଥା ନେଇ ବିରୋଧୀ ଆରମ୍ଭରୁ ଗୃହକୁ ଅଚଳ କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ଚାଷୀଙ୍କର ସମସ୍ତ ଧାନ ସରକାର କିଣିନାହାନ୍ତି କିମ୍ବା ସେ ନେଇ ପ୍ରତିଶ୍ରୁତି ଦେଇନାହାନ୍ତି ଗୃହ ଚଲାଇଦେବୁନି ବୋଲି କହି ବିରୋଧୀ ଗର୍ଜନ କରିଥିଲେ। ଏପରିକି ମନ୍ତ୍ରୀଙ୍କ ବିବୃତିକୁ ବି ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାର ଚାଷୀ ବିରୋଧୀ ବୋଲି ନାରା ଦେଇଥିଲେ। ବାଚସ୍ପତିଙ୍କ ଆଗରେ ଥିବା କାଚକୁ ହୁଗାଳି ଦେଇଥିଲେ।

‘ସରକାର ଚାଷୀଙ୍କୁ ଭଣ୍ଡାଇଛନ୍ତି। ଧାନ କିଣା ନେଇ ସରକାର ଗୃହରେ ପ୍ରତିଶ୍ରୁତି ଦେଇ ବି ପାଳନ କରିନାହାନ୍ତି। ଏ ସରକାର ଚାଷୀ ବିରୋଧୀ। ଏ ଗୃହର ସଦସ୍ୟମାନଙ୍କ ଇଜ୍ଜତ ଗଲା। ବାଚସ୍ପତି ଆପଣ ଆମମାନଙ୍କୁ ସୁରକ୍ଷା ଦିଅନ୍ତୁ।’ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଜବାବ ମାଗିଥିଲେ। କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧୀଙ୍କ କଥା ନ ଶୁଣି ପ୍ରଶ୍ନକାଳ ଆରମ୍ଭ କରିବାରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି ଦେଇଥିଲେ। ବାଚସ୍ପତି ଶ୍ରୀ ପାତ୍ର ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଯେତେ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ଫଳରେ ଗୃହର ଅଚଳାବସ୍ଥା ସୃ୍ଷ୍ଟି ହେବାରୁ ବାଚସ୍ପତି ପୂର୍ବାହ୍ନ ୧୦ଟା ୩୧ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମେ ଗୃହକୁ ମୁଲତବୀ ରଖିଥିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗତଥର ଧାନ କିଣା ନେଇ ଗୃହ ଅଚଳ ହେଲା। ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ। ନିଷ୍ପତ୍ତି ହେଲା ପ୍ରକୃତ ଚାଷୀଙ୍କର ସବୁ ଧାନ ସରକାର କିଣିବେ। ହେଲେ ବିଧାନସଭା ଅବକାଶ ସରିଲା ସିନା ଚାଷୀଙ୍କର ଧାନ ସେପରି ପଡ଼ିରହିଛି। ସରକାର ଚାଷୀଙ୍କୁ ଭଣ୍ଡାଇଛନ୍ତି। ଧାନ ବିକ୍ରି କରି ନପାରି କେତେକ ଚାଷୀ ଆତ୍ମହତ୍ୟା କରିବାକୁ ବସିଲେଣି। ଏପରିକି ଚାଷୀଙ୍କ ଧାନ ଷଣ୍ଢ ଓ ଗୋରୁ ଖାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ସବୁଠୁ ଦୁର୍ଭାଗ୍ୟ ହେଉଛି ପବିତ୍ର ଗୃହରେ ସରକାର ନିଜ ଘୋଷଣାକୁ ପାଳନ କରିନାହାନ୍ତି। ଏପରି ପରମ୍ପରା କେବେ ବିଧାନସଭା ଇତିହାସରେ ଦେଖିବାକୁ ମିଳିନଥିଲା। ଗୃହର ସଦସ୍ୟଭାବେ ଆମେ ଯେଉଁ ସମସ୍ୟା ସମ୍ପର୍କରେ ଏ ଗୃହରେ ଉଠାଉଛୁ ତାହା କଣ ଚାରିକାନ୍ଥକୁ କହିବା ପାଇଁ? ଧାନ କିଣା ଅବ୍ୟବସ୍ଥା ନେଇ ବିରୋଧୀଙ୍କ ସ୍ବରକୁ ମଧ୍ୟ ସରକାରୀ ଦଳର ସଦସ୍ୟମାନେ ବିରୋଧ କରୁନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଗୃହରେ ସମସ୍ତ ସଦସ୍ୟମାନଙ୍କ ଉଦବେଗ ରହିଛି ଧାନ କିଣାରେ ଅହେତୁକ ଅବ୍ୟବସ୍ଥା ହେଉଛି। ଚାଷୀଙ୍କର ଧାନ କିଣିବାକୁ ବିଧାନସଭାରେ ପ୍ରତିଶ୍ରୁତି ଦେଇ ଯଦି ସରକାର ପାଳନ ନ କରନ୍ତି ତାହେଲେ ଏ ଗୃହ ଉପରେ ସବୁ ଲୋକଙ୍କ ବିଶ୍ବାସ ଉଠିଯିବ। ଏହା ପବିତ୍ର ଗୃହ ପ୍ରତି ଅପମାନ। ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବି ଏ ସରକାର ମାନିନାହାନ୍ତି। ବାଚସ୍ପତି ନିଜ ଆଡ଼ୁ ସରକାରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିପାରିବେ। ଯଦି ବିଧାନସଭାରେ ବାହାରୁଥିବା ନିଷ୍କର୍ସକୁ ସରକାର ଗ୍ରହଣ କରିବେ ନାହିଁ କି ପାଳନ କରିବେ ନାହିଁ ତାହେଲେ ଏ ବିଧାନସଭା ଚାଲିବାର ଅର୍ଥ କ’ଣ? ବିଧାନସଭା ପ୍ରତି ସରକାର ବେଇମାନି କରିଛନ୍ତି। ଯେ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସରକାର ନିର୍ଭର ପ୍ରତିଶ୍ରୁତି ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ବିରୋଧୀ ସହଯୋଗ କରିବେ ନାହିଁ ବୋଲି ଶ୍ରୀ ମିଶ୍ର ଅସନ୍ତୋଷ ଝାଡ଼ିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କେତେ ଚାଷୀଙ୍କର ଧାନ ପଡ଼ିରହିଛି ସେ ନେଇ ନିଜେ ବିଭାଗୀୟ ମନ୍ତ୍ରୀ ଆକଳନ ବି କଲେନାହିଁ। ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଚାଷୀଙ୍କର ପଡ଼ିରହିଛି। କିନ୍ତୁ ମନ୍ତ୍ରୀଙ୍କ ପାଖରେ ସେ ହିସାବ ନାହିଁ। ଏ ରାଜ୍ୟରେ ଏକ ବିଚିତ୍ର ସରକାର ଚାଲୁଛି। ବିଜେଡିର ମୁଖପାତ୍ରମାନେ କହୁଛନ୍ତି, ମଣ୍ଡିରେ ପ୍ରକୃତ ଚାଷୀମାନଙ୍କର ଧାନ ପଡ଼ିନାହିଁ। ଦଲାଲମାନେ ଧାନ ପକାଇ ରଖିଛନ୍ତି। ତାହେଲେ ଏ ଗୃହର ବିଧାୟକମାନେ କଣ ଦଲାଲ ଓ ମିଲ୍‌ ମାଲିକମାନଙ୍କ ପାଇଁ ସ୍ବର ଉଠାଉଛନ୍ତି। ଧାନ କିଣାରେ ପ୍ରାଥମିକ ସମବାୟ ସମିତି ଜରିଆରେ ସରକାର ୨ ପ୍ରତିଶତ କମିସନ ପାଉଛନ୍ତି। କିନ୍ତୁ ମଣ୍ଡି ଅବ୍ୟବସ୍ଥା ନ କହିଲେ ଭଲ। ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ଆଲୋଚନା କରି ସମାଧାନ ରାସ୍ତା ବାହାର କରନ୍ତୁ। ନହେଲେ ଗୃହ ଚାଲିବ ନାହିଁ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ସଦସ୍ୟମାନେ ଏବେ ଚାଷୀମାନଙ୍କୁ ମୁହଁ ଦେଖାଇପାରୁନାହନ୍ତି। ମଣ୍ଡିରୁ ଯେପରି ଅବିଳମ୍ବେ ସବୁ ଧାନ ଚାଷୀଙ୍କର ଉଠିବ ସେ ନେଇ ବାଚସ୍ପତି ସରକାରଙ୍କୁ ରୁଲିଂ ଦିଅନ୍ତୁ ନ ହେଲେ ଏ ଗୃହ ଚାଲିବନି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଧାନ ବିକ୍ର କରି ନପାରି ଚାଷୀମାନେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଦଲାଲମାନଙ୍କୁ ଏବେ ୧୧୦୦ରୁ ୧୨୦୦ ଟଙ୍କାରେ ଧାନ ବିକିଲେଣି। ବିଧାନସଭାରେ ବିଧାୟକମାନେ ଆଇନ ତିଆରି କରିଥାନ୍ତି। କିନ୍ତୁ ଆଜି ଏ ସରକାର ଗୃହର ପ୍ରତ୍ୟେକ ବିଧାୟକଙ୍କ ବିଶ୍ବସନୀୟତାକୁ ନ୍ୟୂନ କରିଦେଇଛନ୍ତି। ଯେଉଁ ରାଜ୍ୟରେ ବିଧାୟକମାନଙ୍କ ଅଧିକାର ହରଣ କରାଯାଏ; ପରମ୍ପରାକୁ ଧ୍ବଂସ କରାଯାଏ, ସେହି ରାଜ୍ୟରେ ଗଣତନ୍ତ୍ର ଅଛି ବୋଲି କିପରି ଧରାଯିବ? କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ଚାଷୀମାନେ ଏବେ ବିଧାୟକମାନଙ୍କୁ ଧମକ ଦେଲେଣି, ଯଦି ଧାନ ନ ଉଠିବ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଉପରେ ସେମାନେ ଆକ୍ରମଣ କରିବେ। ଏପରି ହେଲେ ବାଚସ୍ପତି ଦାୟୀ ରହିବେ। ଚାଷୀମାନଙ୍କର ଧାନ କିଣା ଯାଉନି ବୋଲି ବିରୋଧୀ ସଦସ୍ୟମାନେ ବାରମ୍ବାର ଗୃହରେ ସ୍ବର ଉଠାଇଆସୁଛନ୍ତି। ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ଗତଥର ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇ ବି ପାଳନ ହେଲାନାହିଁ। ଛତିଶଗଡ଼ର ଚାଷୀ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କା ଧାନ ବିକ୍ରି କରୁଥିବାବେଳେ ଓଡ଼ିଶାରେ ଚାଷୀ ଏମ୍‌ଏସ୍‌ପି ମୂଲ୍ୟ ୧୮୬୮ ଟଙ୍କା ବି ପାଉନାହିଁ। ଏ ପର୍ଯ୍ୟନ୍ତ ବି ଟୋକନ୍‌ ଅବଧି ସରିଥିବା ଚାଷୀମାନଙ୍କୁ ନୂଆ ଟୋକନ୍‌ ପ୍ରଦାନ କରାଗଲନି। ଯଦି ଏବେକାର ଯୋଗାଣ ମନ୍ତ୍ରୀ ପାରୁନାହାନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତ୍ରୀଙ୍କୁ ରଖିଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଥିଲେ, ସରକାର ଏ ଗୃହରେ ପ୍ରତିଶ୍ରୁତି ଦେବାର ୧୨ ଦିନ ବିତିଲା ପଛକେ ଚାଷୀଙ୍କଠାରୁ ଗୋଟିଏ କ୍ବିଣ୍ଟାଲ ଧାନ ଉଠିଲାନାହିଁ। ବିଜେପି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କହିଥିଲେ, ଗତଥର ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ସବୁ ଚାଷୀଙ୍କର ଧାନ କିଣାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ। ଫଳ ଏଇୟା ହେଲା ତାଙ୍କ ନିର୍ବାଚନ ମଣ୍ଡଳୀରେ ଆତ୍ମାହୁତି ଧମକ ଦେଇଥିବା ଜଣେ ଦୁଇଜଣ ଚାଷୀଙ୍କର ଧାନ କିଣାଗଲା। ବାକି ଚାଷୀମାନଙ୍କର ଧାନ ସେପରି ମଣ୍ଡିରେ ପଡ଼ିରହିଛି। ଆଉ ସରକାରଙ୍କ ଉପରେ ବିଶ୍ବାସ ଆସୁନାହିଁ। ଯଦି ସମସ୍ତ ଚାଷୀଙ୍କର ଧାନ କିଣାନଯାଏ, ତାହଲେ ସେ ଏଥର ଆତ୍ମହତ୍ୟା କରିବେ ବୋଲି ପୁଣି ଥରେ ଗୃହରେ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଧାୟକ ଭାସ୍କର ମଡ଼େଇ ସମାନ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ।

ଗୃହରେ ସଦସ୍ୟମାନଙ୍କ ଉଦବେଗକୁ ଦେଖି ବାଚସ୍ପତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଅପରାହ୍ନ ସୁଦ୍ଧା ଗୃହରେ ବିବୃତି ରଖିବାକୁ ରୁଲିଂ ଦେଇ ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ମିନିଟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୃହରେ ବିବୃତି ରଖିଥିଲେ। କିନ୍ତୁ ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବା ସହିତ ବିଜେପି ବିଧାୟକ ନାଉରି ନାୟକ ବାଚସ୍ପତିଙ୍କ ପୋଡ଼ିୟମ ସଂଲଗ୍ନ କାଚ ବାଡ଼େଇ ବାଡ଼େଇ ହୁଗାଳି ଦେଇଥିଲେ। ଏହି ସମୟରେ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହ ମଧ୍ୟ ଭାଗକୁ ଦୈାଡ଼ିଯାଇ ତାଙ୍କ ହାତରୁ ସେହି ବୋତଲଟିକୁ ଟାଣି ଆଣିଥିଲେ। ଗୃହ ବାହାରେ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ, ସମ୍ପୃକ୍ତ ବୋତଲରେ ସେ ସାନିଟାଇଜର ଆଣିଥିଲେ। ସେଥିରୁ କିଛି ଅଂଶ ପିଇଦେଇଛନ୍ତି। ସେ ସୁସ୍ଥ ଅନୁଭବ କରୁଛନ୍ତି। ଚାଷୀ ଆତ୍ମହତ୍ୟା କରିବା ଅପେକ୍ଷା ନିଜେ ଆତ୍ମହତ୍ୟା କରିଦେବା ଭଲ। ଚାଷୀମାନେ ଭୋଟ ଦେଇ ନିର୍ବାଚିତ କରିଥିଲେ। ଧାନ କାହିଁକି ଉଠୁନାହିଁ ବୋଲି ଚାଷୀମାନେ ଜନ ପ୍ରତିନିଧିମାନଙ୍କୁ ଘେରୁଛନ୍ତି। ଏ କଥା ତାଙ୍କ ହୃଦୟକୁ ବାଧୁଛି। ଶ୍ରୀ ପାଣିଗ୍ରାହୀଙ୍କୁ ଜବାବ ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହ ବାହାରେ ନିଜ ପ୍ରତିକ୍ରିୟାରେ କହିଥିଲେ, ବିଜେପି ବିଧାୟକ ଏପରି ଆଚରଣ କରି ଗୃହ ପରମ୍ପରା ନଷ୍ଟ କରୁଛନ୍ତି। ସାନିଟାଇଜର ବୋତଲ ଧରି ନିଜର ଆତ୍ମପ୍ରଚାର କରିବାକୁ ଉଦ୍ୟମ କରିଛନ୍ତି। ଏପରି କରି ସେ ଚାଷୀମାନଙ୍କୁ ଉସୁକାଇଛନ୍ତି। ଲୋକପ୍ରତିନିଧି ଭାବରେ ଏହା ଗ୍ରହଣୀୟ ନୁହେଁ। ଏହାଦ୍ବାରା ଲୋକଙ୍କ ପାଖକୁ ଭୁଲ ବାର୍ତ୍ତା ଯାଉଛି।

ସମ୍ବନ୍ଧିତ ଖବର