ଥାନାରେ ଅଭିଭାବକ ଅଟକ ରହିବା ଘଟଣା: ପୁଲିସ ଡିଜି, ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନୋଟିସ୍‌

କେନ୍ଦୁଝର : ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଅଭିଯୋଗ କରିବାକୁ ଆସିଥିବା ଅଭିଭାବକଙ୍କୁ ଥାନାରେ ଅଟକ ରଖିବା ଘଟଣାକୁ ଜାତୀୟ ଜନଜାତି ଆୟୋଗ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଘଟଣାରେ ପୁଲିସ ମହାନିର୍ଦ୍ଦେଶକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନୋଟିସ୍ ଜାରି କରି କୈଫିୟତ ତଲବ କରିଛନ୍ତି।

କେନ୍ଦୁଝର ସଦର ବ୍ଲକ୍‌ ଡିମିରିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ଶିକ୍ଷକ ନଥିଲେ। ଗତ ମେ ୨ ତାରିଖରେ କିଛି ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଗୁହାରି କରିବାକୁ ଆସିଥିଲେ। ଛାତ୍ରଛାତ୍ରୀଙ୍କୁ କାହିଁକି ଅଭିଯୋଗ ଶୁଣାଣିକୁ ଆଣିଲ ବୋଲି ପ୍ରଶ୍ନ କରି ପ୍ରଶାସନିକ ଅଧିକାରୀମାନେ ଅଭିଭାବକଙ୍କ ଉପରେ ଚିହିଁକି ଉଠିଥିଲେ। ପୁଲିସ ପହଞ୍ଚି ଅଭିଭାବକମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠାଇ ନେଇ ଟାଉନ ଥାନାରେ ଅଟକ ରଖିଥିଲା। କେନ୍ଦୁଝର ସଦର ବ୍ଲକ୍‌ ଉପାଧ୍ୟକ୍ଷ ଦିଲୀପ କୁମାର ବେହେରାଙ୍କ ସମେତ ଅଭିଭାବକ ରୋହିତ କୁମାର ମହାନ୍ତ, ଗୋବର୍ଦ୍ଧନ ମହାନ୍ତ, ଗୌତମ ମହାନ୍ତ, ଯୋଗେନ୍ଦ୍ର ମୁଣ୍ଡାଙ୍କୁ ପୁଲିସ ୪ ଘଣ୍ଟା ଧରି ଅଟକ ରଖିବା ପରେ ଛା‌ଡ଼ିଥିଲା। ପରେ ବ୍ଲକ୍‌ ଉପାଧ୍ୟକ୍ଷଙ୍କ ସମେତ ସମ୍ପୃକ୍ତ ଅଭିଭାବକଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ଜାତୀୟ ମାନବାଧିକାର କମିସନ ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାଏକ।

ସମ୍ବନ୍ଧିତ ଖବର