ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପ୍ରସଙ୍ଗ:ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା, ଗଡ଼ଲୋଇସିଂ, କେଶାପାଲି ଓ କୟାକୁଦ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୨୦ ବର୍ଷର ଫସଲ ବୀମା ରାଶି ପ୍ରଦାନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଶେଷରେ କୃଷି ମନ୍ତ୍ରଣାଳୟ ଏବଂ କୃଷକ କଲ୍ୟାଣ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ୧୮ ତାରିଖ ଦିନ ପତ୍ରସଂଖ୍ୟା ୧୭୫୦ ରେ ଦେଇଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଉପରୋକ୍ତ ୪ ପଞ୍ଚାୟତର ଚାଷୀମାନେ ତାଙ୍କୁ ଭେଟି ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଥିବା ସମ୍ପର୍କରେ ଜଣାଇଥିଲେ।

ଏ ବାବଦରେ ସେମାନେ ସମ୍ୱଲପୁର ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା କହିଥିଲେ। ଏହା ସତ୍ତ୍ୱେ ୨୦୨୦ ଖରିଫ ଋତୁରେ ଫସଲ ବୀମା ରାଶି ପ୍ରଦାନ କରାଯାଇ ନଥିବା ଚାଷୀମାନେ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ଯେପରି ଶୀଘ୍ର ବୀମା ରାଶି ପାଇପାରିବେ, ସେ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଫସଲ ବୀମା ରାଶି ପ୍ରଦାନ ନେଇ ଏହି ୪ ପଞ୍ଚାୟତର ଚାଷୀ ମାନେ ଗତ ବର୍ଷ ସେପଟେମ୍ବର ୧୩ ତାରିଖରେ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଫଳରେ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଦାବି ପୂରଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର