କଟକ : ସଚିବାଳୟ କୋଠା ‘ଲୋକସେବା ଭବନ’କୁ ବିଭିନ୍ନ ମାମଲାର ଶୁଣାଣି ପାଇଁ ଲୋକମାନଙ୍କୁ ଯିବାକୁ ଅନୁମତି ମିଳୁନାହିଁ। ସରକାରଙ୍କ ବିଭିନ୍ନ ବିଭାଗର ବିଧିସମ୍ମତ କର୍ତ୍ତୃପକ୍ଷ ମାମଲା ଶୁଣାଣି କରୁଥିବା ବେଳେ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପକ୍ଷମାନଙ୍କୁ ସଚିବାଳୟ କୋଠା ଭିତରକୁ ପ୍ରବେଶ ପାଇଁ ବହୁସମୟରେ ପାସ୍ ଦିଆଯାଉ ନାହିଁ। ଫଳରେ, ସଂପୃକ୍ତ ବ୍ୟକ୍ତିବିଶେଷ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସମସ୍ୟା ସମାଧାନ ଖୋଜି ବାହାର କରିବା ପାଇଁ ଗୃହ ବିଭାଗକୁ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ ଅତିରିକ୍ତ ସଚିବ ଏନେଇ ସପ୍ତାହକ ଭିତରେ ସତ୍ୟପାଠ ଦାଖଲ କରିବେ।

Advertisment

ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟୁ.ସୁଲତାନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ପରେ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

publive-image The New Indian Express

ଏହି ମାମଲାରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ମାମଲାର ପରବର୍ତ୍ତୀ ଶୁଣାଣିରେ ଅଂଶଗ୍ରହଣ କରିବା ପାଇଁ ସଚିବାଳୟ ପାସ୍ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଅନ୍ୟପକ୍ଷରେ, ବହୁ ମାମଲାରେ ପାସ୍ ଦିଆଯାଉ ନଥିବାରୁ ସଚିବାଳୟ ଭିତରେ ଥିବା ବିଧିସମ୍ମତ କର୍ତ୍ତୃପକ୍ଷଙ୍କ ନିକଟରେ ଶୁଣାଣିରେ ପକ୍ଷମାନେ ଅଂଶଗ୍ରହଣ କରି ପାରୁ ନଥିବା ଘଟଣା ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

ବିଚାରାଧୀନ ମାମଲା ଶୁଣାଣିରେ ଅଂଶଗ୍ରହଣ ପାଇଁ ପକ୍ଷମାନଙ୍କୁ ଯଥେଷ୍ଟ ସୁଯୋଗ ମିଳୁନାହିଁ। ଫଳରେ, ଯେଉଁମାନେ କର୍ତ୍ତୃପକ୍ଷଙ୍କ ନିକଟରେ ମାମଲାରେ ଉପସ୍ଥିତ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଜଣାପଡ଼ିଥିଲା। ଏଭଳି ପ୍ରସଂଗକୁ ହାଇକୋର୍ଟ ବିଚାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଧିସମ୍ମତ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ମାମଲାର ଅଂଶଗ୍ରହଣ କରିବା ପାଇଁ ଆବେଦନକାରୀ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କୁ ସଚିବାଳୟ କୋଠା ଭିତରକୁ ‌ପ୍ରବେଶ ପାଇଁ ଅନୁମତି ମିଳି ନଥିଲା। ଫଳରେ, ସେ ମାମଲାର ଶୁଣାଣିରେ ଭାଗ ନେଇ ପାରି ନଥିଲେ। ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷ ନ ଶୁଣି ବିଧିସମ୍ମତ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏକ ଅନ୍ତରୀଣ ଆଦେଶ ପ୍ରଦାନ କରିଥିଲେ। ଏଭଳି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।