ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ରହିଛି। କିନ୍ତୁ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଏହାକୁ ଉଲ୍ଲଂଘନ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆସନ୍ତା ୨୩ ତାରିଖରେ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏଥିରେ ବିଭିନ୍ନ ଅଞ୍ଚଳରୁ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସାମିଲ ହେବେ।
ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଓ ପ୍ରମିଳା ମଲ୍ଲିକ କହିଲେ, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ ବିଧି ବ୍ୟବସ୍ଥାକୁ ଦଳିଚକଟି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ସରକାର ଅପଚେଷ୍ଟା କରୁଛି। ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ତଥା ଅଧ୍ୟକ୍ଷଙ୍କୁ ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରାଯାଉଛି। ପ୍ରଶାସନିକ କଳକୁ ହାତବାରିସି କରି ନିର୍ବାଚିତ ପ୍ରତିନିଧିଙ୍କ ସମ୍ମାନ କ୍ଷୁଣ୍ଣ କରିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରାଯାଉଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ରବର ଷ୍ଟାମ୍ପ ଭାବେ ବ୍ୟବହାର କରିବା ପାଇଁ ବିଜେପି ସରକାର ସରକାରୀ ଅଧିକାରୀଙ୍କ ହାତରେ ଅଧିକ କ୍ଷମତା ଦେବାକୁ ପଛାଉନାହାନ୍ତି। ଲୋକଙ୍କ ପାଖରେ ଉତ୍ତରଦାୟୀ ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବିଧାନ ସଂଶୋଧନ ଜରିଆରେ ଅଧିକ କ୍ଷମତା ଦିଆଯାଇଥିଲା ବେଳେ ନିଜ ଦଳୀୟ ସାଂସଦ, ବିଧାୟକ ଓ କର୍ମୀଙ୍କ ଜରିଆରେ ଏହି କ୍ଷମତାକୁ ହଡ଼ପ କରିବା ପାଇଁ ବିଜେପି ଚାହୁଁଛି। ପ୍ରତ୍ୟେକ ସରକାରୀ ଅଫିସକୁ ବିଜେପି ନିଜ ଦଳୀୟ କର୍ମୀଙ୍କ ଜରିଆରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେଉଥିଲେ। ବିଜେପି ସରକାର ଏହି ଯୋଜନାର ନାଁ ବଦଳାଇ ଏକଚତୁର୍ଥାଂଶ ଅନୁଦାନ ମଧ୍ୟ ଦେଉନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HjuoSAG3o7Edmv3bqQZi.jpeg)