କୋଣାର୍କ : ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି କାଢ଼ିବା ପାଇଁ ନିଷ୍ପତ୍ତି ହେବାପରେ ଏବେ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ପାଇଛି। ମନ୍ଦିରରୁ ବାଲି କଢ଼ାଯିବା ପରେ ମନ୍ଦିରର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷୀରେ ଆଜି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ନିଯୁକ୍ତ ଆମିକସ୍ କ୍ୟୁରି ଏନ୍କେ ମହାନ୍ତି ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
୧୯୦୩ ମସିହାରେ ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ୍ ଟନ୍ ବାଲି କାଢ଼ିବାକୁ ଏଏସ୍ଆଇ ନିଷ୍ପତ୍ତି ନେବାପରେ ଏଥିପାଇଁ ପୂଜାର୍ଚ୍ଚନା ସହ ଟିକିନିଖି ଯାଞ୍ଚ କରାଯାଇଥିଲା। ଆଜି ଆମିକସ୍ କ୍ୟୁରି ଏନ୍କେ ମହାନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ବାଲିକାଢ଼ିବା ପାଇଁ ଏଏସ୍ଆଇ ସୁରକ୍ଷିତ ଭାବେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି। ଏପରିକି ବାଲି କଢ଼ାଯିବା ପରେ ମନ୍ଦିର ସୁରକ୍ଷିତ ରହିବ ବୋଲି ମଧ୍ୟ ଆମିକସ୍ କ୍ୟୁରି ଶ୍ରୀ ମହାନ୍ତି କହିଛନ୍ତି। ଓଡ଼ିଶା ଓ ଓଡ଼ିଆଙ୍କ ନିଖୁଣ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖଶାଳାର ସୁରକ୍ଷା ଦିଗରେ ଏଏସ୍ଆଇ ଅଦ୍ୟାବଧି ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛି। ତେଣୁ ମନ୍ଦିରରୁ ବାଲି କଢ଼ାଯିବା ପରେ ପ୍ରାୟତଃ କୌଣସି ଅସୁବିଧା ଉପୁଜିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ତଥା ବୈଷୟିକ କମିଟିର ପରାମର୍ଶଦାତା ଏନ୍ସି ପାଲ ମଧ୍ୟ ସୂର୍ଯ୍ୟ ମନ୍ଦିରର ମୁଖଶାଳାକୁ ସୁରକ୍ଷିତ ରଖିବା ଦିଗରେ ସମସ୍ତ ପଦକ୍ଷେପ ନେଇ ଏଏସ୍ଆଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି। ମନ୍ଦିରର ସ୍ଥିତାବସ୍ଥାରେ ଯେପରି କୌଣସି ପ୍ରକାରର ଆଞ୍ଚ ନଆସେ, ତାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ବାଲି କାଢ଼ିବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ବାଲି କଢ଼ାଯିବା ନେଇ ବୈଷୟିକ କମିଟି ଯାହା ରିପୋର୍ଟ ପ୍ରଦାନ କରିଥିଲେ ସେହି ଆଧାରରରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଶ୍ରୀ ପାଲ ସୂଚନା ଦେଇଛନ୍ତି।
ଆଜି ଆମିକସକ୍ୟୁରୀଙ୍କଏହି ଗସ୍ତ ସମୟରେ ଏଏସ୍ଆଇର ଭୁବନେଶ୍ବର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକ, ସ୍ଥାନୀୟ ଏଏସ୍ଆଇ ଅଧିକାରୀ ନିରଜ ସିଂହଙ୍କ ସମେତ ଏଏସ୍ଆଇର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ କମିଟିର ସଦସ୍ୟ ଉପସ୍ଥିତଥିଲେ ।
ସୂଚନାଯୋଗ୍ୟ ଯେ ସୂର୍ଯ୍ୟମନ୍ଦିର ମୁଖଶାଳାରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ ଟନ୍ ବାଲି ମଧ୍ୟରୁ ୧୭ ଫୁଟ ବାଲି ଦବିଥିବା ନେଇ ପୂର୍ବରୁ ସୂଚନା ରହିଥିଲା। ଏନେଇ ଉଭୟ ଆମିକସ୍ କ୍ୟୁରି ଓ ବୈଷୟିକ କମିଟି ମଧ୍ୟ ରିପୋର୍ଟ ଦେଇଥିଲେ। ମନ୍ଦିରର ସ୍ଥିତି ଯାଞ୍ଚ କରୁଥିବା ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ପ୍ରତିଷ୍ଠାନ (ସିବିଆର୍ଆଇ) ବିଶେଷଜ୍ଞ ଟିମ୍ଙ୍କ ରିପୋର୍ଟ ଆସିବାପରେ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଯେହେତୁ ୧୯୦୩ ମସିହାରୁ ମନ୍ଦିର ଗର୍ଭଗୃହରେ ଯେଉଁ ବାଲି ଭର୍ତ୍ତି କରାଯାଇଛି, ତାହା ନିଜର ମୌଳିକତା ହରାଇଥିବାରୁ ଏହାକୁ କଢ଼ାଯିବା ନିଷ୍ପତ୍ତି ନିଆଯାଇଛି।