ତୃତୀୟ ଲିଙ୍ଗଙ୍କୁ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ସରକାର ସମୟ ନେଲେ

କଟକ : ପଞ୍ଚାୟତ ଓ ପୌର ନିର୍ବାଚନରେ ତୃତୀୟ ଲିଙ୍ଗ(ଥାର୍ଡ ଜେଣ୍ଡର)ଙ୍କୁ ସଂରକ୍ଷଣ ପ୍ରସଂଗ ନେଇ ଦାୟର ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଅଧିକ ସମୟ ଲୋଡ଼ିଛନ୍ତି। ସୋମବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାମାଜିକ କର୍ମୀ ମୀରା ବେଉରାଙ୍କ ଆବେଦନର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାରଙ୍କ ତରଫରୁ ଅଧିକ ମହଲତ ଲୋଡ଼ା ଯାଇଥିଲା। ଖଣ୍ଡପୀଠ ଏଥି ପାଇଁ ଅନୁମତି ପ୍ରଦାନ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଫେବ୍ରୁଆରି ୨୩କୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଅଗଷ୍ଟ ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହିତ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ଦୁଇ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଟ୍ରାନ୍ସଜେଣ୍ଡରଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ରହିଛି। ୨୦୦୯ରେ ଭାରତର ନିର୍ବାଚନ କମିସନ୍ ମଧ୍ୟ ତୃତୀୟ ଲିଙ୍ଗଙ୍କୁ ସ୍ବୀକୃତି ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ତୃତୀୟ ଲିଙ୍ଗଙ୍କୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରଦାନ କରାଯିବା କଥା। କିନ୍ତୁ ଏପରି କରାଯାଉ ନାହିଁ। ସ୍ଥାନୀୟ ନିର୍ବାଚନରେ ତୃତୀୟ ଲିଙ୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର