ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗ ମାମଲା: ପଞ୍ଚାୟତିରାଜ ସଚିବଙ୍କ ବିଜ୍ଞପ୍ତିକୁ ଚାଲେଞ୍ଜ

ରାଜ୍ୟ ନିର୍ବାଚନ କମିସନଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଗ୍ରହଣୀୟ ପ୍ରସଂଗ ସହିତ ଆବେଦନରେ ଉଲ୍ଲେଖ କରାଯାଇଥିବା ଅନ୍ୟାନ୍ୟ ଅଭିଯୋଗ ଉପରେ ଡିସେମ୍ବର ୨୦ରେ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଞ୍ଚଳର ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଅକ୍ଟୋବର ୧ରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ସଂରକ୍ଷଣ ସଂପର୍କିତ ନିୟମାବଳୀ ଜାରି କରାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି। ଗତ ୪ଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନେଇ ଆସନ ସଂରକ୍ଷଣରେ ପରିବର୍ତ୍ତନ (ରୋଟେସନ୍) କରିବାକୁ  ଅକ୍ଟୋବର ୧ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଥିରୁ ୨୦୦୨ ପଞ୍ଚାୟତ ନିର୍ବାଚନକୁ ବିଚାରକୁ ନିଆଯିବନାହିଁ ବୋଲି ସ୍ପଷ୍ଟ ହୋଇଛି। ଫଳରେ ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ କରାଯିବା ବେଳେ ସମସ୍ୟା ଦେଖାଦେବ। ଏଥିସହିତ ସାରାରାଜ୍ୟରେ ଏସ୍‌ସି ଓ ଏସ୍‌ଟି ଜନସଂଖ୍ୟାକୁ ବିଚାରକୁ ନିଆଯାଇ ଆସନ ସଂରକ୍ଷଣ କରାଯିବା କଥା। କିନ୍ତୁ ଗତ ଅକ୍ଟୋବର ୧ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରାମ/ ପଞ୍ଚାୟତ/ ବ୍ଲକ/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟି ‌ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ। ଏପରି କରାଯିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଅନୁସଚିବ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏହି ଆବେଦନ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୨୨, ମାର୍ଚ୍ଚ ୧୧ରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ୨୦୨୨, ଜାନୁଆରେ ପଞ୍ଚାୟତ ନିର୍ବାଚନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ କି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ତେଣୁ ଏହି ମାମଲା ଏବେ ଗ୍ରହଣୀୟ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯିବା ସହିତ ଗୋଆ ପୌର ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର