ପୁରୀ : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଭିନ୍ନ ବିଶୃଙ୍ଖଳାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅଦିନରେ ରଥଯାତ୍ରା ପ୍ରସଙ୍ଗଟି ପୁଣି ଥରେ ବିବାଦ ଭିତରକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିରର ବିଧି ବ୍ୟବସ୍ଥା ଆଧାରରେ ଭାରତବର୍ଷର ଅନ୍ୟ ସବୁଠି ରଥଯାତ୍ରା ସମେତ ଅନ୍ୟାନ୍ୟ ନୀତି ପାଳନ ଲାଗି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ, ବୁଦ୍ଧିଜୀବୀ ମତ ପ୍ରକାଶ କରି ଆସୁଥିଲେ ହେଁ, ଇସ୍କନ ଭକ୍ତମାନେ କିନ୍ତୁ ରଥଯାତ୍ରାର ତିଥି ଓ ବିଧି ମାନିବାକୁ ନାରାଜ। ସଂପ୍ରତି ଗ୍ବାଲିୟରରେ ଅ-ତିଥିରେ ରଥଯାତ୍ରା ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀ, ଗବେଷକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ହେଲେ ଏତିକି ବେଳେ ଖୋଦ୍ ପୁରୀ ଗଜପତି ମହାରାଜା ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟ ଏହି ବିବାଦକୁ ବଳ ଦେଇଛି।

Advertisment

ଗଜପତି ମହାରାଜା ଗଣମାଧ୍ୟମକୁ କହିଛନ୍ତି ଯେ କିଛି ବର୍ଷ ତଳେ ସେ ପଣ୍ଡିତମାନଙ୍କ ସହିତ ଆଲୋଚନା କରିଥିଲେ। ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ବିଧେୟ। ହେଲେ ଶ୍ରୀକ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ କିଛି ସମସ୍ୟା ରହୁଛି, ସେଠାରେ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ତ୍ରୟୋଦଶୀ ଭିତରେ ରଥଯାତ୍ରା ଆୟୋଜନ ହୋଇପାରିବ। ଯେହେତୁ ମହାପ୍ରଭୁ ଯାତ୍ରାରେ ଅଛନ୍ତି, ଏଣୁ ଏହି ସମୟରେ ରଥଯାତ୍ରା ହୋଇପାରିବ। ଥରେ ଠାକୁରେ ରତ୍ନ ସିଂହାସନକୁ ଫେରିଗଲେ, ରଥଯାତ୍ରା ଆଉ ସମ୍ଭବ ନୁହେଁ।

ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ଶୁକ୍ଳ ତ୍ରୟୋଦଶୀ ଭିତରେ ଅନ୍ୟତ୍ର ରଥଯାତ୍ରା ହୋଇପାରିବ: ଗଜପତି
ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା କେବଳ ଶାସ୍ତ୍ରସମ୍ମତ: ଗବେଷକ

publive-image The News Room

ଗଜପତି ମହାରାଜାଙ୍କ ଏଭଳି ମନ୍ତବ୍ୟ ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଯେତିକି ଆଘାତ ଦେଇଛି, ସେବକ ଏବଂ ଗବେଷକମାନଙ୍କୁ ସେତିକି ତାଜୁବ୍ କରିଛି। ଏଇଥିପାଇଁ ଯେ ଗଜପତି ମହାରାଜା ସବୁବେଳେ ଶାସ୍ତ୍ର କଥା ହିଁ କହିଥାନ୍ତି। ବିଭିନ୍ନ ମତ ଦେବା ବେଳେ ସ୍କନ୍ଦପୁରାଣକୁ ଗୁରୁତ୍ବ ଦେଇଥାଆନ୍ତି। ହେଲେ ଏବେ ଯେଉଁକଥା କହି ଇସ୍କନ ରଥଯାତ୍ରା ଲାଗି ରାସ୍ତା ଖୋଲିଛନ୍ତି, ତାହା ସ୍କନ୍ଦ ପୁରାଣର ନିର୍ଦ୍ଦେଶର ବ୍ୟତିକ୍ରମ।

ଶ୍ରୀଜଗନ୍ନାଥଙ୍କ ଗବେଷକମାନଙ୍କର ମତ ହେଉଛି, ସ୍କନ୍ଦପୁରାଣରେ ଜଗନ୍ନାଥଙ୍କ ରଥଯାତ୍ରାର ୩ଟି ତିଥି ଅଛି। ସେଥିରୁ ଗୋଟିଏ ତିଥି ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟା ତିଥି। ଅନ୍ୟ ଦୁଇ ତିଥି ଅନ୍ୟ ସମୟର- ମାଘ ଓ ଚୈତ୍ର ମାସର; ଯେତେବେଳେ ମହାପ୍ରଭୁ ରତ୍ନ ସିଂହାସନରେ ବସିଥାଆନ୍ତି। ଅଥଚ ଗଜପତି କହୁଛନ୍ତି- ଠାକୁର ସିଂହାସନରେ ବସିଯିବା ପରେ ଆଉ ରଥଯାତ୍ରା ହୋଇ ପାରିବ ନାହିଁ। ଏପଟେ ପୁଣି କହୁଛନ୍ତି, ଆଷାଢ଼ ମାସରେ ଶୁକ୍ଳ ଦ୍ୱିତୀୟା ଗୋଟିଏ ତିଥି ଥିବାବେଳେ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ୧୨ ଦିନ ମଧ୍ୟରେ ଯେ କୌଣସି ଦିନ ରଥଯାତ୍ରା ହୋଇପାରିବ। ଏହା ଆଶ୍ଚର୍ଯ୍ୟ ଓ ବିଚିତ୍ର।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର କହିଛନ୍ତି, ରଥଯାତ୍ରା ଶ୍ରୀମନ୍ଦିରରେ ଦ୍ବାଦଶ ଯାତ୍ରାର ତିଥି ଅନୁସାରେ ହୋଇ ଆସୁଛି। ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ହିଁ ଶ୍ରୀଗୁଣ୍ଡିଚା ଯାତ୍ରା। ପୁରୀରେ ଏହି ଦିନ ରଥ ଗଡ଼େ। ଶ୍ରୀଗୁଣ୍ଡିଚା ଯାତ୍ରା ତିଥିରେ କେଉଁଠି କେବେ ବି ପରିବର୍ତ୍ତନ ହୋଇପାରିବନାହିଁ। ଏମିତି ହୋଇପାରେ, ଅନ୍ୟ ସ୍ଥାନରେ ଅନ୍ୟ ଦିନ ରଥ ଗଡ଼ିପାରେ। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ତିଥି ପାଳନ ପୂର୍ବକ ରଥ ଗଡ଼ିବାର ବିଧି ରହିଛି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଅଦିନରେ ରଥଯାତ୍ରା ଆୟୋଜନ ପାଇଁ ୨୦୦୭ ଏବଂ ୨୦୦୮ ମସିହାରେ ଇସ୍କନକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟ ଚିଠି କରାଯାଇଥିଲା। ଏହାପରେ ଏହି ପ୍ରସଙ୍ଗଟି ଆଉ ଚର୍ଚ୍ଚାର ଅବକାଶ ରଖେ ନାହିଁ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା ଡ. ତୁଳସୀ ଓଝା କହିଛନ୍ତି, ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁ ଜନ୍ମବେଦିକୁ ଯାତ୍ରା କରିବାର ବିଧି ରହିଛି। ଏହା ଶାସ୍ତ୍ରସମ୍ମତ। ଶାସ୍ତ୍ରକୁ ଅବମାନନା କରିବା ଉଚିତ ନୁହେଁ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଯୁଗ ଯୁଗ ଧରି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ହୋଇ ଆସୁଛି। ରଥଯାତ୍ରା କେବଳ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ହେବା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି କେହି ଅନ୍ୟ ଦିନରେ ରଥଯାତ୍ରା କରୁଛନ୍ତି, ତାହା ଶାସ୍ତ୍ରସମ୍ମତ ନୁହେଁ। ଅତଏବ ଗ୍ରହଣୀୟ ନୁହେଁ।

publive-image

ସେହିଭଳି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ତଥା ଶ୍ରୀମନ୍ଦିର ମୁକ୍ତିମଣ୍ଡପର ବରିଷ୍ଠ ସଦସ୍ୟ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ରୀତିନୀତି ସ୍ବତନ୍ତ୍ର। ଏହା କେବେ ବଦଳି ପାରିବନାହିଁ। ନିଶ୍ଚିତ ଭାବେ ଗଜପତି ନିଜ ସୁବିଧା ପାଇଁ ଏହା କହିଥାଇ ପାରନ୍ତି। ଅଦିନରେ ରଥଯାତ୍ରା ଆୟୋଜନ ହେଲେ, ଏହା ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତ କରିବ। ପାଞ୍ଜିରେ ରଥଯାତ୍ରା ତିଥି ସଂପର୍କରେ କ’ଣ ଉଲ୍ଲେଖ ରହିବ? ଏହା ଆଦୌ ଠିକ୍‌ ନୁହେଁ। ଶ୍ରୀଜଗନ୍ନାଥ େଯମିତି ସ୍ବତନ୍ତ୍ର, ତାଙ୍କ ରୀତିନୀତି ସେଭଳି ସ୍ବତନ୍ତ୍ର। ଏଭଳି ଅଦିନରେ ରଥଯାତ୍ରା କରି ବିକୃତ ସଂସ୍କୃତି ଓ ପରମ୍ପରା ସୃଷ୍ଟି କରାଯିବା ଅନୁଚିତ।

ଏଠାରେ ସ୍ମରଣଥାଉକି, ନିଜେ ଗଜପତି ମହାରାଜା ମଧ୍ୟ ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅତ୍ୟନ୍ତ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ ମହାପ୍ରଭୁଙ୍କ ପାଖରେ ଚଳନୀୟ ନୀତି ଅନ୍ୟ ସମସ୍ତେ ଅନୁକରଣ କରିବା ବିଧେୟ। ଏବେ ପୁଣି କେଉଁ ଆଧାରରେ ସେ ତାଙ୍କ ମତ ବଦଳାଇଲେ, ସର୍ବୋପରି ଥରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅ-ତିଥି ରଥଯାତ୍ରା ନେଇ ତାଙ୍କ ମତ ସ୍ପଷ୍ଟ କରିସାରିବା ପରେ ପୁଣି ଥରେ ଏମିତି କି ଆବଶ୍ୟକ ପଡ଼ିଲା ଯେ ଗଜପତି ପଣ୍ଡିତଙ୍କ ପରାମର୍ଶ ନେଇ ସିଦ୍ଧାନ୍ତ ବଦଳାଇବାକୁ ଚାହୁଛନ୍ତି, ତାହା ବୁଝାପଡ଼ୁନାହିଁ। ସର୍ବୋପରି ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି। ଏ ପ୍ରସଙ୍ଗକୁ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସାମ୍ନାକୁ ଆଣିଛନ୍ତି ନା ନାହିଁ, ଯଦି ଆଣିଛନ୍ତି, ତାହା କେବେ ଅନୁମୋଦନ ହେଲା, ଏସବୁର ଉତ୍ତର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇବା ଉଚିତ୍।

ଉଲ୍ଲେଖଥାଉକି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଗଣମାଧ୍ୟମରେ ଗ୍ବାଲିୟରରେ ୨୪ ତାରିଖରେ ହେଉଥିବା ଇସ୍କନ ରଥଯାତ୍ରାକୁ ଖୋଲାଖୋଲି ବିରୋଧ କରିଥିଲେ। ପରିଚାଳନା କମିଟିରେ ଏପରି କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଥିଲେ।