ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ବିନା ଅନୁମତିରେ ଛତୁଆ ୟୁନିଟ୍‌ ଚାଲିବା ପ୍ରସଙ୍ଗ: କ୍ଷତି ଭରଣା ପ୍ରସଙ୍ଗରେ ଏନ୍‌ଜିଟିଙ୍କ ରିପୋର୍ଟ ତଲବ

କଟକ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ୨୦୧୧ରୁ ଚାଲିଥିବା ଛତୁଆ ଉତ୍ପାଦନ ୟୁନିଟ ଯୋଗୁଁ ପରିବେଶର ହୋଇଥିବା କ୍ଷତି ସଂକ୍ରାନ୍ତରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ରିପୋର୍ଟ ତଲବ କରିଛନ୍ତି। ଏଥି ସହିତ ପରିବେଶର ହୋଇଥିବା କ୍ଷତି ଭରଣା ପାଇଁ ଏହି ଛତୁଆ ୟୁନିଟ ନିକଟରୁ କେତେ ଟଙ୍କା କ୍ଷତିପୂରଣ ବାବଦରେ ଆଦାୟ କରାଯିବ ସେ ନେଇ ମଧ୍ୟ ରିପୋର୍ଟରେ ସ୍ପଷ୍ଟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାଖିଠାରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏକ ଛତୁଆ ଉତ୍ପାଦନ କେନ୍ଦ୍ର ପରିବେଶ ନିୟମ ଉଲ୍ଲଂଘନ କରି ଚାଲୁଛି ବୋଲି ଅଭିଯୋଗ ନେଇ ଏନଜିଟିରେ ମାମଲା ଦାୟର ହୋଇଥିଲା। ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦାଖଲ କରିଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା ଯେ ବୋର୍ଡ ବିନା ଅନୁମତିରେ ଏହି ୟୁନିଟ ଚାଲିଛି। ଏହି ୟୁନିଟକୁ କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ଜଣା ପଡିଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହି ୟୁନିଟକୁ ବନ୍ଦ ରଖାଯାଉ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଅନୁମୋଦନରେ କୁହାଯାଇଥିଲା। ଆବାସିକ ଅଞ୍ଚଳରେ ଚାଲିଥିବା ଏହି ୟୁନିଟରେ ବାୟୁ ପ୍ରଦୂଷଣ ସଂକ୍ରାନ୍ତୀୟ କେତେକ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ। ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ରିଲ୍ସ, ୨୦୧୬ର ମଧ୍ୟ ଉଲ୍ଲଂଘନ ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ରିପୋର୍ଟରେ ରହିଥିବା ଅନୁମୋଦନ ଗୁଡିକ କାର୍ଯ୍ୟକାରୀ ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଞ୍ଚି ନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର