ବିଧାନସଭା ବାହାରକୁ ଆସିଲା ସାନିଟାଇଜର ପ୍ରସଙ୍ଗ : ବିଜେପି କାହିଁକି ଚୁପ୍, ଆଭିମୁଖ୍ୟ ସ୍ପଷ୍ଟ କରୁ: ବିଜେଡି

ସୁବାସଙ୍କ କାର୍ଯ୍ୟକୁ ନିନ୍ଦା କଲା ଦଳ, ଅତନୁ କହିଲେ ସବୁ ଘରକୁ ଭୁଲ୍ ବାର୍ତ୍ତା ଗଲା
ବିଜେପି କହିଲା ସୁବାସ କିଛି ଭୁଲ କରିନାହାନ୍ତି, ଆଗ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ମାଗନ୍ତୁ

ଭୁବନେଶ୍ବର : ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର୍ ପିଇବା ପ୍ରସଙ୍ଗ ବିଧାନସଭା ବାହାରକୁ ଆସିଛି। ଗୃହରେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ତମ୍ବିତୋଫାନ କରିବା ସହିତ ଶ୍ରୀ ପାଣିଗ୍ରାହୀଙ୍କ ଠାରୁ କ୍ଷମା ଯାଚନା କରିଥିଲେ। ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡି ସାମ୍ବାଦିକ ସମ୍ମିଳନୀ ଡାକି ଏହି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟିକା ସ୍ନେହାଙ୍ଗିନି ଛୁରିଆ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ କଡ଼ା ନିନ୍ଦା କରିଥିଲେ।

ଅତନୁ କହିଥିଲେ ଯେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ବିଧାନସଭାର ଗରିମାକୁ ନଷ୍ଟ କରିଛି। ସାରା ଭାରତରେ ବିଭିନ୍ନ ଗୃହରେ ଓ ସଂସଦରେ ବିରୋଧୀ ଶାସକ ଆଲୋଚନା କରନ୍ତି, ତର୍କ ହୁଏ। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା ଯେ ଜଣେ ବିଧାୟକ ଅତି ନୀଚ୍ଚସ୍ତରକୁ ଯାଇ ସାନିଟାଇଜର ପିଇଲେ। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ େହବ। ବର୍ତ୍ତମାନ କୋଭିଡ ସମୟରେ ପ୍ରତି ଘରେ ଘରେ ସାନିଟାଇଜର ଅଛି। ଲୋକଙ୍କୁ ସଚେତନ କରାଯାଉଛି ଯେ ସେମାନେ ସାନିଟାଇଜର ବ୍ୟବହାର କରନ୍ତୁ। ଏମିତି ସମୟରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ସୁବାସଙ୍କ ଏଭଳି ପଦକ୍ଷେପ ଆଗାମୀ ପିଢି ପାଇଁ ଭୁଲ ବାର୍ତ୍ତା ଦେଇଛି। ସାନିଟାଇଜର ଯେ ବିଷ ଭାବେ ବ୍ୟବହାର ହୋଇପାରିବ ସେଭଳି ସଙ୍କେତ ଦେଇଛନ୍ତି ସୁବାସ। ବିଧାୟକମାନେ ହେଉଛନ୍ତି ଲୋକଙ୍କ ଆଦର୍ଶ। ସୁବାସ କଣ ନିଜ ନା ନିଜ ଦଳ ମାଧ୍ୟମରେ ଲୋକଙ୍କୁ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଶିଖାଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅତନୁ । ସାରା ଦେଶରେ ସୁବାସଙ୍କ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି। ସେ ଜାତୀୟ ଦଳର ବିଧାୟକ ହୋଇଥିଲେ ମଧ୍ୟ ବିଜେପି ଚୁପ୍ ବସିଛି। ଏହା ବିଧାୟକଙ୍କର ନିଜସ୍ୱ ନିଷ୍ପତ୍ତି ନା ଦଳର? ଦଳ ଚୁପ ରହି ଏହାକୁ ସମର୍ଥନ ଦେଉଛି କି? ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ।
ଏହାର ଜବାବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ଆମ ଭୁଲ କୋଉଠି ରହିଲା ଯେ ଆମେ ଆମ ଷ୍ଟାଣ୍ଡ କ୍ଲିୟର କରିବୁ? ମଣ୍ଡିରୁ ଧାନ ଉଠାଇ ପାରି ନାହାନ୍ତି ରାଜ୍ୟ ସରକାର। ସେଥିପାଇଁ ନବୀନ ପଟ୍ଟନାୟକ ପ୍ରଥମେ କ୍ଷମା ମାଗନ୍ତୁ। ସାନିଟାଇଜରରେ ଲୋକ ମରନ୍ତି ନାହିଁ। ଲୋକଙ୍କ ଦାବି ପୂରଣ କରିବାକୁ କେଉଁ ସ୍ତରକୁ ଯାଇପାରିବେ ତାହାର ଝଲକ ଦେଖାଇଛନ୍ତି ସୁବାସ। ସୁବାସ ପାଣିଗ୍ରାହୀଙ୍କର ଯଦି ଭୁଲ ଅଛି, ତେବେ ତାଙ୍କୁ ସସପେଣ୍ଡ କରିଦିଅନ୍ତୁ। ତଦନ୍ତ କରନ୍ତୁ, ଥାନାକୁ ଦିଅନ୍ତୁ। ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ।

କେବଳ ସେତିକି ନୁହେଁ, ସୁବାସଙ୍କ ସମର୍ଥନରେ ବିଜେପି ବାହାରିଛି। ବିଜେପି ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଚାଷୀଙ୍କ ହିତ ପାଇଁ ସୁବାସ ଯାହା କରିଛନ୍ତି,ତାହା ଭୁଲ ନୁହେଁ। ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡ଼ିରହୁଛି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ଧାନ ଉଠୁନି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୬୦୦ କିଲୋମିଟର ଦୂରରେ ଦଳୀୟ ସଭାରେ ଯୋଗ ଦେଇପାରିଲେ କିନ୍ତୁ ଦେଢ କିଲୋମିଟର ଦୂରରେ ଥିବା ବିଧାନସଭାକୁ ଆସିଲେନି? ଏହା ଠାରୁ ବିରଳ ଘଟଣା କଣ ହୋଇପାରେ? ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ତଥାପି ଆସି ସେ ବିଧାନସଭା କାର୍ଯ୍ୟରେ ଯୋଗ ଦେଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ବିଜେଡିର ନେତା ବାରିପଦାରେ କ୍ରିକେଟ ଖେଳୁଥିଲେ, ଏହାଠାରୁ ବଡ ବିରଳ ଘଟଣା ହୋଇପାରେ। ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଆଗ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ରାଜ୍ୟ ସରକାର ନିଜ ଦାୟିତ୍ୱ ମୁଣ୍ଡରୁ ଓହ୍ଲାଇ ପାରିବେ ନାହିଁ। ଯିଏ ଟୋକନ ପାଇଥାଉ ବା ନ ପାଇଥାଉ ସମସ୍ତଙ୍କର ଧାନ ଉଠିବ, ଏ ଦାୟିତ୍ୱ ରାଜ୍ୟ ସରକାର ନ ନେବା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିବ। ଯଦି ଚାଷୀଙ୍କ ଧାନ ନ ଉଠେ ତେବେ ପ୍ରତିବାଦ ଆହୁରି ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦେଇଛି।

ଲେଖାଶ୍ରୀଙ୍କ ମନ୍ତବ୍ୟ ପରେ ବିଜେପି ମୁଖପାତ୍ର ଇସ୍ପିତା ସାହୁ ପ୍ରତିକ୍ରୟା ଦେଇ କହିଛନ୍ତି ଯେ ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା ଉଚିତ ଥିଲା। ହେଲେ, ଲେଖାଶ୍ରୀ ମତ ରଖିଛନ୍ତି। ଏହା ତାଙ୍କର ନିଜସ୍ୱ ମତ ଭଳି ଲାଗୁଛି, ଦଳର ମତ ଭଳି ଲାଗୁନାହିଁ। ପିପିଲି ଉପ ନିର୍ବାଚନରେ ଟିକେଟ ପାଇଁ ଆଜେ ବାଜେ କଥା କହୁଛନ୍ତି। ୨୦୧୪ ଓ ତା’ ପୂର୍ବରୁ ବିଜେଡି ଟିକେଟ ନ ପାଇ ଆଜେ ବାଜେ କଥା କହିଥିଲେ। ଏବେ ପୁଣି ପିପିଲି ଉପନିର୍ବାଚନର ଟିକେଟ ଆଶାରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେଣି। ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କୁ ଅନୁରୋଧ କି ତାଙ୍କ ଉପରେ କଡା ନଜର ରଖନ୍ତୁ ବୋଲି ଇସ୍ପିତା କହିଛନ୍ତି।

ସମ୍ବନ୍ଧିତ ଖବର