ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ସରକାରଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ

ହାଇକୋର୍ଟ ଓକିଲ ସଂଘର ନିଷ୍ପତ୍ତିକୁ ନିନ୍ଦା
ଲଜପତ ରାୟ ଆଇନ କଲେଜକୁ ବିଶ୍ବବିଦ୍ୟାଳୟ ଏବଂ ବୌଦ୍ଧ ଜିଲ୍ଲାକୁ ଉତ୍ତରାଂଚଳ ଆର୍‌ଡିସି ଅଧୀନକୁ ଆଣିବାକୁ ଦାବି

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ସ୍ଥାପନ ସଂକ୍ରାନ୍ତରେ କେନ୍ଦ୍ରକୁ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହି ଅବଧି ମଧ୍ୟରେ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାନଗଲେ ଆସନ୍ତା ୮ ଜୁଲାଇକୁ ସଂକଳ୍ପ ଦିବସ ପାଳନ କରାଯିବ। ଏହି ଦିବସରେ ଓକିଲମାନେ ରାଲିରେ ବାହାରି ନିଜ ନିଜ ଅଂଚଳର ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଦାବିପତ୍ର ଦେବେ। ଆଉ ଏହା ପରେ ସ୍ଥିତି ସମୀକ୍ଷା କରି ଆନ୍ଦୋଳନ ସଂପର୍କରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ ଦାଶ ସୂଚନା ଦେଇଛନ୍ତି।

ଶନିବାର ଅପରା୍‌ହଣରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟିର ଶ୍ରୀ ଦାଶ କହିଲେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଟକ ହାଇକୋର୍ଟ ଓକିଲ ସଂଘ ଏକ ପ୍ରସ୍ତାବ ଗ୍ରହଣ କରିଛି। ଏହାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକରେ ନିନ୍ଦା କରାଯାଇଛି। ହାଇକୋର୍ଟ ଓକିଲ ସଂଘ ଏକ ଦାୟିତ୍ବବାନ ଓ ନିରପେକ୍ଷ ସଂଘ ରୂପେ କାମ କରିବା ପାଇଁ ଓଡ଼ିଶାର ସମସ୍ତ ଓକିଲ ସଂଘ ତଥା ଜନସାଧାରଣ ଆଶା କରନ୍ତି। ମାତ୍ର, ହାଇକୋର୍ଟ ଓକିଲ ସଂଘର ଏଭଳି ଜନବିରୋଧୀ ନିଷ୍ପତ୍ତି ରାଜ୍ୟବାସୀଙ୍କୁ କ୍ଷୁବ୍‌ଧ କରିଛି। ଏହି ନିଷ୍ପତ୍ତି ରାଜ୍ୟବାସୀଙ୍କ ମଧ୍ୟରେ ବିଭେଦର ମଂଜି ବୁଣୁଛି। ଓଡ଼ିଶାର ଏକତା ଓ ଅଖଣ୍ଡତାକୁ କ୍ଷୁଣ୍ଣ କଲାଭଳି ନିଷ୍ପତ୍ତି ନେବାରୁ ହାଇକୋର୍ଟ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନିବୃତ୍ତ ରଖିବା ଏବଂ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ସମ‌ୟ ଉପଯୋଗୀ ନିଷ୍ପତ୍ତିକୁ ସ୍ବାଗତ କରିବା ପାଇଁ ଏହି ସଂଘ(ହାଇକୋର୍ଟ ଓକିଲ ସଂଘ)ର ବରିଷ୍ଠ ସଦସ୍ୟମାନଙ୍କୁ ଅନୁରୋଧ କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି। ହାଇକୋର୍ଟ ଓକିଲ ସଂଘର ବିରୋଧ ଓ ବାହ୍ୟ ଚାପରେ ପ୍ରଭାବିତ ନହୋଇ ଲୋକଙ୍କ ନ୍ୟାୟିକ ଆବଶ୍ୟକତା ପୂରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଯଥାଶୀଘ୍ର ମତାମତ ପ୍ରଦାନ କରିବାକୁ ମାନ୍ୟବର ହାଇକୋର୍ଟଙ୍କୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରୁଛି ବୋଲି ସେ କହିଛନ୍ତି।

ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର କହିଲେ, ସମ୍ବଲପୁର ବିଶ୍ବବିଦ୍ୟାଳୟର କ୍ରମାଗତ ଅବହେଳା ଯୋଗୁ ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଇନ ଶିକ୍ଷାଦାନରେ ବିଭ୍ରାଟ ଏବଂ ଏଠାକାର ଅବ୍ୟବସ୍ଥାକୁ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ ପ୍ରକାଶ କରିଛି। ଲଜପତ ରାୟ ଆଇନ ମହାବିଦ୍ୟାଳୟର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନିମନ୍ତେ ଏହାକୁ ଲଜପତ ରାୟ ଆଇନ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଦାବି କରାଯାଇଛି। ଦକ୍ଷିଣାଂଚଳ ରାଜସ୍ବ ଜୋନ୍, ବ୍ରହ୍ମପୁର ଅଧୀନରେ ଥିବା ବୌଦ୍ଧ ଜିଲ୍ଲାକୁ ଉତ୍ତରାଂଚଳ ଆର୍‌ଡିସି ଜୋନ୍, ସମ୍ବଲପୁରରେ ସାମିଲ କରିବାକୁ ଦାବି କରାଯାଇଛି। ପଶ୍ଚିମ ଓଡ଼ିଶାରେ ଥିବା ବୌଦ୍ଧ ଜିଲ୍ଲାକୁ ବିଭିନ୍ନ କାମ ପାଇଁ ସୁଦୂର ବ୍ରହ୍ମପୁରକୁ ଯିବା ପାଇଁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ, ବୌଦ୍ଧ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଜିଲ୍ଲାକୁ ଉତ୍ତାରାଂଚଳ ରାଜସ୍ବ ଜୋନ୍‌ରେ ସାମିଲ କରିବାକୁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଶନିବାର ଦିନ ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକରେ ଏହାର ସହ-ଆବାହକ ରଘୁମଣି ପଟେଲ, ପ୍ରମୋଦ ଦାଶ, ଯୁଗ୍ମ ଆବାହକ ନିରଂଜନ ତ୍ରିପାଠୀ, ସାଧାରଣ ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ସହିତ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସମେତ ବଲାଂଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜି ଓକିଲ ସଂଘ, ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର, ବରପାଲି, ଭେଡ଼େନ ଆଦି ୨୫ଟି ଓକିଲ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଂପାଦକ ସରୋଜ ସାହୁଙ୍କ ସହିତ ଡ. ପ୍ରମୋଦ ରଥ, ମନୋରଂଜନ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧିତ ଖବର