ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦ(ଏନ୍ଓଡିସି) ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ୱାଗତ କରିଛନ୍ତି। ଏକ ପତ୍ର ଲେଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉତ୍ତର ଓଡ଼ିଶାବାସୀଙ୍କ ହିତ ଦୃଷ୍ଟିରୁ ଏହା ଏକ ସମୟ ଉପଯୋଗୀ ପଦକ୍ଷେପ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଯଥାଶୀଘ୍ର ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଗଲେ ରାଜ୍ୟରେ ସମତୁଲ ବିକାଶ ସମ୍ଭବ ହେବ। ପଛୁଆ ହୋଇ ରହିଯାଇଥିବା ଅଞ୍ଚଳ ଗୁଡ଼ିକର ବିକାଶ ପ୍ରକ୍ରିୟା ବଢ଼ିପାରିବ।
ତେବେ ଏନ୍ଓଡିସିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ତଥା ବିକାଶ ଇଞ୍ଜିନ ଭାବେ ଗଢ଼ି ତୋଳିବା ପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି। ତାହା ହେଲା ପ୍ରଶାସନିକ ଦୃଷ୍ଟିରୁ ସୁବିଧା ପାଇଁ ବାଲେଶ୍ୱରରେ ପରିଷଦର ମୁଖ୍ୟାଳୟ ସ୍ଥାପନ କରାଯାଉ। ଏହାସହ ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି, ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ ଓ ଆଗାମୀ ବିଧାନସଭା ଅଧିବେଶନରେ ଏନ୍ଓଡିସି ବିଧେୟକକୁ ପାରିତ କରିବା ଭଳି ପ୍ରସ୍ତାବ ରହିଛି। ଏଥିସହ ରାଜ୍ୟ ବଜେଟର ସମୁଦାୟ ଯୋଜନା ବ୍ୟୟର ୨୦% ଉତ୍ତର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଖର୍ଚ୍ଚ କରିବାକୁ ସେ ଦାବି କରିଛନ୍ତି।
ବାଲେଶ୍ୱରରେ ପରିଷଦର ମୁଖ୍ୟାଳୟ, ୧୦ ହଜାର କୋଟିର କର୍ପସ ପାଣ୍ଠି
ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟିର ବ୍ୟୟବରାଦ
ଆସନ୍ତା ବିଧାନସଭାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକ ଉପସ୍ଥାପନ
ଶ୍ରୀ ପଟ୍ଟନାୟକଙ୍କ କହିବା କଥା ଖଣି ଖାଦାନରେ ଭରପୁର ଉତ୍ତର ଓଡ଼ିଶା ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ୱ ପ୍ରଦାନ କରୁଛି। ହେଲେ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ରହିଯାଇଛି। ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ ସେବା, ପରିମଳ ଭଳି ମୌଳିକ ସୁବିଧାରୁ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ବଞ୍ଚିତ। ଶିଳ୍ପାୟନର ଅଭାବ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ କାରଣରୁ ସ୍ଥାନୀୟ ଯୁବକଯୁବତୀଙ୍କୁ ରୋଜଗାର ମିଳୁନାହିଁ। ବାଧ୍ୟ ହୋଇ ସେମାନେ ରୋଜଗାର ଅନ୍ୱେଷଣରେ ଅନ୍ୟସ୍ଥାନକୁ ପଳାୟନ କରୁଛନ୍ତି। ଏନ୍ଓଡିସି ଦ୍ୱାରା ଏହାକୁ ବହୁମାତ୍ରାରେ ରୋକାଯାଇପାରିବ। ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ଶାସନ କାଳରେ ୧୧ ନଭେମ୍ବର ୧୯୯୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଥିଲା। ଉତ୍ତର ଓଡ଼ିଶାର ୫ଟି ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ଦାବି କରିଆସିଛି। ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଥର ଚିଠି ଲେଖି ଏନ୍ଓଡିସି ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି ଜଣାଇଥିଲି। ତେବେ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ସମତୁଲ ବିକାଶ ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ନିମନ୍ତେ ଏକ ଟାସ୍କଫୋର୍ସ ଗଠନ ନିଷ୍ପତ୍ତି ନିଆଯାଇଛି। ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ।