ଅନ୍ଧାରରେ ଶ୍ରମ ବିଭାଗ, ଗାଁରେ ମାତିଛନ୍ତି ଦଲାଲ
ଗୁଣ୍ଟୁରରୁ ଫେରିଲେ ଆଉ ୭ ସ୍କୁଲ୍ ଛାତ୍ରଙ୍କ ସମେତ ୩୩

Advertisment

ରାୟଗଡ଼ା : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦଲାଲ୍ କଥାରେ ପଡ଼ି କାମ କରିବାକୁ ଯାଇ ଅକାଳରେ ଜୀବନ ହାରିଛନ୍ତି। ମୃତକଙ୍କ ମଧ୍ୟରେ ୫ ସ୍କୁଲ୍ ଛାତ୍ର ଥିବାରୁ ଏହି ଅଘଟଣ ପାଇଁ ଦୋଷ ମୁଣ୍ଡାଇବ କିଏ? ଶ୍ରମ ବିଭାଗ, ପ୍ରଶାସନ ନା ସ୍କୁଲ୍ କର୍ତ୍ତୃପକ୍ଷ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ କେବଳ ଗୁଣପୁର ବ୍ଲକ୍‌ରୁ ୩୪ ଶ୍ରମିକ ଅଛନ୍ତି। ଯାହାଙ୍କ ମଧ୍ୟରେ ଅଧିକାଂଶ ନାବାଳକ। କିପରି ଏବଂ କେଉଁ ପରିସ୍ଥିତିରେ ସ୍କୁଲ୍ ଛାତ୍ର ଓ ଶିଶୁ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଗଲେ ଏବଂ ଏ ସଂପର୍କରେ ଶ୍ରମ ବିଭାଗ, ଚାଇଲଡ୍ ଲାଇନ୍ ଓ ସ୍କୁଲ୍ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିନା ପଞ୍ଜୀକରଣରେ ଶ୍ରମିକମାନେ ବାହାର ରାଜ୍ୟକୁ ଯିବା ଉପରେ ସରକାର ରୋକ୍ ଲଗାଇଥିବା ସତ୍ତ୍ବେ ଦଲାଲମାନେ ଗାଁକୁ ଗାଁ ବୁଲି ଅଧିକ ପାରିଶ୍ରମିକ ପ୍ରଲୋଭନ ଦେଖାଇ ଶ୍ରମିକ ଚାଲାଣ କରୁଛନ୍ତି। କିନ୍ତୁ ଏ ଦିଗରେ ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଉନି। ଆଜି ସୁଦ୍ଧା ଜଣେ ବି ଦଲାଲଙ୍କୁ ଠାବ କରିବାରେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଶ୍ରମ ବିଭାଗ ସକ୍ଷମ ହୋଇନଥିବାରୁ ପ୍ରତିଦିନ ଶହ ଶହ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। କାର୍ଯ୍ୟସ୍ଥଳୀରେ ଶ୍ରମିକମାନେ ଅକଥନୀୟ ନିର୍ଯାତନାର ଶିକାର ହେବା ସହ ଅସାବଧାନତା ଯୋଗୁ ଜୀବନ ହାରୁଛନ୍ତି। ଯାହା ଗୁରୁବାର ରାତିରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଲଙ୍କାଭାନିଦିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଅଘଟଣରୁ ସ୍ପଷ୍ଟ।

ମୃତକଙ୍କ ପରିବାରକୁ ଓଡ଼ିଶା ସରକାର ୨ ଲକ୍ଷ, ଆନ୍ଧ୍ର ସରକାର ୩ ଲକ୍ଷ, ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ମାଲିକ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବାବେଳେ ସହାୟତା ରାଶିକୁ ଢାଲ କରି ଉଭୟ ରାଜ୍ୟର ପ୍ରଶାସନ, ଶ୍ରମ ବିଭାଗ କର୍ତ୍ତୃପକ୍ଷ ଖସିଯିବାକୁ ଉଦ୍ୟମ କରୁଛନ୍ତି। ତେବେ ଅକାଳରେ ଚାଲି ଯାଇଥିବା ଜୀବନକୁ ଫେରାଇବ କିଏ? ଏଥିପାଇଁ ଦଣ୍ଡିତ ହେବ କିଏ? ବୋଲି ମୃତକଙ୍କ ସଂପର୍କୀୟ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଶ୍ରମିକଙ୍କ ମୃତ ଦେହ ଆଣିବାକୁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଛାତ୍ର ଜନତା ଦଳ ରାୟଗଡ଼ା ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା ଗୁଣ୍ଟୁରରେ ପହଞ୍ଚିବା ପରେ ଗୁଣପୁର ଉପଖଣ୍ଡର ଶତାଧିକ ଶ୍ରମିକ ସେମାନଙ୍କ ଦୁର୍ଦ୍ଦାଶାର କାହାଣୀ କହିଥିଲେ। ଗୁଣପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଗୁଣ୍ଟୁରରେ କାମ କରୁଥିବା ଆଉ ୭ ସ୍କୁଲ୍ ଛାତ୍ରଙ୍କ ସମେତ ୩୩ ଶ୍ରମିକ ସ୍ବତନ୍ତ୍ର ବସ୍ ଯୋଗେ ନିଜ ଗାଁକୁ ଫେରିଛନ୍ତି।