ଧର୍ମଗଡ଼ରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପ୍ରସଙ୍ଗ: ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଇନ୍‌ଡୋର୍‌ ଷ୍ଟାଡିୟମ ଓ ସ୍ପୋର୍ଟସ କଂପ୍ଲେକ୍ସ ପାଇଁ ସବୁଜ ସଂକେତ

ଧର୍ମଗଡ଼ : ଧର୍ମଗଡ଼ରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବୁଧବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଧାୟକ ଶ୍ରୀ ବାଗଙ୍କ ନେତୃତ୍ୱରେ ଧର୍ମଗଡ଼ ଅଂଚଳର ୫ ଜଣ ମହିଳା କ୍ରୀଡ଼ାବିତ୍ ରୋଜି ନାଏକ, ମିନା ସେନା, ଚାନ୍ଦିନୀ ସୁନାନୀ, ରାକ୍ଷୀ ଦାସ, ଜୁଲି ମେହେର, ୫ଜଣ ପୁରୁଷ କ୍ରୀଡ଼ାବିତ୍‌ ମହେଶ ଚନ୍ଦ୍ର ନାଗ, ଯଶୋବନ୍ତ ମାଝୀ, ନିରଂଜନ ସୁନାନୀ, ସଂଜୟ ଭୋଇ, ବିକାଶ ଅଗ୍ରୱାଲ, ୩ ଜଣ ପୂର୍ବ କାଉନସିଲର ମାୟା ନାଏକ, ଡିଙ୍ଗରଧର ନାଏକ ଓ ପ୍ରଦୀପ ରାଉତ ଭିଡିଓ କନଫରେନ୍ସିଂ ଜରିଆରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ। ଭବାନୀପାଟଣା ଏନ୍‌ଆଇସି ଭିଡିଓ କନଫରେନ୍ସ ହଲଠାରେ ଆୟୋଜିତ ଏହି ଆଲୋଚନାରେ ଧର୍ମଗଡ଼ରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକ ଇନ୍‌ଡୋର ଷ୍ଟାଡିୟମ ଓ ଏକ ମଲ୍‌ଟି ସ୍ପୋର୍ଟସ କଂପ୍ଲେକ୍ସର ଆବଶ୍ୟକତା ନେଇ କ୍ରୀଡ଼ା ବିଶେଷଜ୍ଞ ରାଜେନ୍ଦ୍ର ମୁନୀ ସବିଶେଷ ତଥ୍ୟ  ଉପସ୍ଥାପନ କରିଥିଲେ। ୫-ଟି ସଚିବଙ୍କ ପରାମର୍ଶକ୍ରମେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଧାୟକ ଶ୍ରୀ ବାଗଙ୍କୁ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୫-ଟି ସଚିବ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ସମୟରେ ୨୦୦୩ ମସିହାରେ ଧର୍ମଗଡ଼ଠାରେ ଜିମ୍‌ର ନିର୍ମାଣ କରିଥିଲେ। ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଆଜି ତାହାର ଅବସ୍ଥା କିପରି ଅଛି ବୋଲି ସେ ପଚାରି ବୁଝିଥିଲେ। ଉପସ୍ଥିତ କ୍ରୀଡ଼ାବିତମାନେ ଏହାର ଉନ୍ନତୀକରଣର ଆବଶ୍ୟକତା ରହିଥିବା ନେଇ ୫-ଟି ସଚିବଙ୍କ ସହଯୋଗ କାମନା କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ଉନ୍ନତୀକରଣ କରାଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଏହି ଭିଡିଓ କନଫରେନ୍ସିଂ ପରେ ଧର୍ମଗଡ଼ଠାରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଇନ୍‌ଡୋର୍‌ ଷ୍ଟାଡିୟମ ଓ ଏକ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ପାଇଁ ଜାଗା ଚୟନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଧାୟକ ଶ୍ରୀ ବାଗଙ୍କ ସହ ସହରର ଅନେକ କ୍ରୀଡ଼ାବିତ୍‌, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର