ପାର୍ବଣରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ଏବେ ରାଜନୀତି ତେଜିଲା’

ଭର୍ତ୍ତୃହରି ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି: ସୁବାସ ସିଂହ

କଟକ : ପାର୍ବଣରେ ମୂର୍ତ୍ତି ଉଚ୍ଚତା କଟକଣା ପ୍ରସଙ୍ଗକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି ସେହି ଦଳର ରାଜ୍ୟସଭା ସାଂସଦ ସୁବାସ ସିଂହ।

ଗତକାଲି ମହାନଗର ଶାନ୍ତି କମିଟି ଓ ପୂଜା କମିଟି ବୈଠକରେ ଭର୍ତ୍ତୃହରିଙ୍କ ବକ୍ତବ୍ୟକୁ ସମାଲୋଚନା କରି ଶନିବାର ସୁବାସ ସିଂହ କହିଛନ୍ତି ଯେ ଭର୍ତ୍ତୃହରି ଏଭଳି କହି ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି। ମୂର୍ତ୍ତି ଉଚ୍ଚତା କମ୍‌ ହେଲେ ବିଘ୍ନ ଘଟିବ ଭଳି ଅପ୍ରାସଙ୍ଗିକ ବକ୍ତବ୍ୟ ଭର୍ତ୍ତୃହରି ରଖିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଓ ଏସ୍‌ଆରସିଙ୍କ ସହିତ ଶାନ୍ତି କମିଟି କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କର ଯେଉଁ ବୈଠକ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିଲା, ସେଦିନ ଭର୍ତ୍ତୃହରି ଅନୁପସ୍ଥିତ ଥିଲେ। ତେଣୁ ବର୍ତ୍ତମାନ ସେ ସବୁ ଯାହା କହୁଛନ୍ତି ତାହା ହେଉଛି ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଭର୍ତ୍ତୃହରିଙ୍କୁ ସେହି ବୈଠକକୁ ଡକାଯାଇଥିଲା କି ନାହିଁ, ସେ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ‌ଦେଇନାହାନ୍ତି ଶ୍ରୀ ସିଂହ।

YouTube

ଅନ୍ୟପଟେ ସୁବାସ ସିଂହ କହିଛନ୍ତି ଯେ ମୂର୍ତ୍ତି ଉଚ୍ଚତା ହ୍ରାସ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି; ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ରାୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜ୍ୟବାସୀଙ୍କ ଗୋଟିଏ ଜୀବନ ବି ମୂଲ୍ୟବାନ। ଜୀବନ ଓ ଜୀବିକାକୁ ବିଚାର କରି ଏବେ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି। ମୂର୍ତ୍ତି ବଡ଼ ହେଲେ ଆକର୍ଷଣୀୟ ହେବ। ବିସର୍ଜନ ସମୟରେ ବି ତାହାକୁ ନେଇ ସମସ୍ୟା ହେବ। ଫଳରେ କୋଭିଡ୍ କଟକଣା ନିୟମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ସମସ୍ୟା ହେବ। ତେଣୁ ସମସ୍ତେ ଏଥିରେ ସହଯୋଗ କରି ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଓ କଟକଣାକୁ ମାନିବା ଆବଶ୍ୟକ। କେରଳ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି କ’ଣ ହୋଇଛି, ତାହା ଆମେ ସମସ୍ତେ ଦେଖୁଛେ। ତେଣୁ ଲୋକଙ୍କ ଭାବାବେଗକୁ ନେଇ ଏହି ପ୍ରସଙ୍ଗକୁ ରାଜନୀତି ରୂପ ଦେବା ଅନୁଚିତ ବୋଲି ଶ୍ରୀ ସିଂହ କହିଛନ୍ତି।

DNA India

ଉଲ୍ଲେଖଯୋଗ୍ୟ ‌ଯେ ଗତକାଲିର ବୈଠକ‌ରେ ୪ ଫୁଟ୍ ମୂର୍ତ୍ତି କଟକଣାକୁ ନେଇ ସରକାରଙ୍କ ଯୁକ୍ତି ସହିତ ସେ ଆଦୌ ସହମତ ହୋଇ ପାରୁନାହାନ୍ତି ବୋଲି ଭର୍ତ୍ତୃହରି କହିଥିଲେ। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପାର୍ବଣ ସମୟରେ ନିଆଯାଇଥିବା ନିଷ୍ପତ୍ତିର ସେ ଉଦାହରଣ ଦେଇଥିଲେ। ପୁରୀ ରଥଯାତ୍ରା ଗତବର୍ଷ ଓ ଚଳିତ ବର୍ଷ କିଭଳି ଆୟୋଜନ ହେଲା ସେ ସଂପର୍କରେ ବି ସେ ସୂଚନା ଦେଇଥିଲେ। କିନ୍ତୁ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟି ସହମତି ଭିତ୍ତିରେ ଏ ସଂପର୍କରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଭର୍ତ୍ତୃହରି ପରାମର୍ଶ ଦେଇଥିଲେ। ମୂର୍ତ୍ତି କଟକଣାକୁ ନେଇ ସେ ଦେଉଥିବା ବକ୍ତବ୍ୟ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି କେତେକ ଆଲୋଚନା କରୁଛନ୍ତି ବୋଲି ମଧ୍ୟ ଗତକାଲିର ବୈଠକରେ ଭର୍ତ୍ତୃହରି କହିଥିଲେ।

ଆଜି ଭର୍ତ୍ତୃହରିଙ୍କ ବକ୍ତବ୍ୟ ଉପରେ ସୁବାସ ସିଂହଙ୍କ ଏଭଳି ଟୀପ୍ପଣି ପୁଣିଥରେ କଟକ ବିଜେଡି ରାଜନୀତିକୁ ସରଗରମ କରିଛି। ପୂର୍ବରୁ ଭର୍ତ୍ତୃହରିଙ୍କ ବକ୍ତବ୍ୟକୁ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ସିଧାସଳଖ ସମାଲୋଚନା କରିଥିଲେ। ମୂର୍ତ୍ତି ଉଚ୍ଚତା ବଢିଲେ କୋଭିଡ ସଂକ୍ରମଣ ବଢିବ ନାହିଁ ସେ ଗ୍ୟାରେଣ୍ଟି ଭର୍ତ୍ତୃହରି ଦିଅନ୍ତୁ ବୋଲି ଦେବାଶିଷ କହିଥିଲେ।

ସମ୍ବନ୍ଧିତ ଖବର