ଆବାସ ଯୋଜନାରେ ଷ୍ଟିକରିଂ ପ୍ରସଙ୍ଗ : ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି: ବିଜେପି

ରାଜ୍ୟ ସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ନିଷ୍ପତ୍ତି ନେଉଛନ୍ତି

ଭୁବନେଶ୍ୱର : ବିଭିନ୍ନ ଆବାସ ଯୋଜନାରେ ଘର ପାଉଥିବା ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ଲୋଗୋ ଥାଇ ଷ୍ଟିକର୍‌ ଲଗାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହାକୁ ଗ୍ରହଣ କରିନି ରାଜ୍ୟ ବିଜେପି। ଗୋଟିଏ ଷ୍ଟିକର୍‌ରେ ଦୁଇଟି ନାଁ ରଖି ରାଜ୍ୟ ସରକାର ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ପୃଥକ ପୃଥକ ଭାବେ ନାମିତ କରିବାକୁ ବିଜେପି ଦାବି କରିଛି।

ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି‌ ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ. ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ଼ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡ଼ିଶାବାସୀଙ୍କୁ ଭ୍ରମିତ କରିଚାଲିଥିଲେ। କେବଳ ସେତିକି ନୁହେଁ ଏହି ଘର ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ ପତ୍ର ହିତାଧିକାରୀଙ୍କୁ ଦେଇ ସମସ୍ତ ଶ୍ରେୟ ନିଜେ ନେଉଥିଲେ। ବିଜେପି ପକ୍ଷରୁ ଏହା ବିରୋଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଉ ଏବଂ ସରକାରଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦେବା ପରେ ରାଜ୍ୟ ସରକାର ନୂଆ ଷ୍ଟିକର ବାହର କରିଛନ୍ତି। ସରକାର କିଛି ନିଷ୍ପତ୍ତି ନେବା ପୂର୍ବରୁ ସେ ଦିଗରେ ତର୍ଜମା କରିବା ଦରକାର। କିନ୍ତୁ ରାଜ୍ୟ ସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନ।

କୌଣସି ନ୍ୟାସନାଲ ଫ୍ଲାଗସିପ୍‌ ପ୍ରୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚର୍‌କୁ ପରିବର୍ତନ କରାଯାଇପାରିବ ନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି । ଏହା ସତ୍ୱେ ରାଜ୍ୟସରକାର ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଯେଉଁ ମିଥ୍ୟା ସମ୍ବଳିତ ଚିଠି ହିତାଧିକାରୀଙ୍କୁ ପଠାଉଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ନାହିଁ। ଏହି ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ବିଜୁ ପକ୍କା ଘରର ବଡ଼ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟ ସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟ ରାଜକୋଷରୁ ଅଯଥାରେ ଖର୍ଚ୍ଚ ହୋଇଥିବା ଏହି ଅର୍ଥ କାହା ଠାରୁ ଭରଣା କରାଯିବ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଓଡ଼ିଶାର ଶେଷ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବା ପାଇଁ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବିଜେପି ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର