ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ପ୍ରସଙ୍ଗ : ଅଭିଯାନକୁ ଆନ୍ଦୋଳନର ରୂପ ଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଭିଡିଓ କନଫରେନ୍‌ସିଂ ଜରିଆରେ ବିଶ୍ବ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା
ସାମିଲ ହେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦିଗ୍‌ ଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ଼ ଜନଆନ୍ଦୋଳନର ରୂପ ଦିଆଯିବ। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ବିଶ୍ବ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ଆହ୍ବାନ ଦେଇଛନ୍ତି। ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢ଼େ ୪ କୋଟି ଓଡ଼ିଆ ଶ୍ରମ ଓ ଆର୍ଥିକ ଯୋଗଦାନ ପାଇଁ ବିଚାରବିମର୍ଶ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଲୋଚନାରେ ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ସାମିଲ ହୋଇ ସମସ୍ତ ଓଡ଼ିଆଙ୍କୁ ମହାପ୍ରଭୁଙ୍କ ପାଇଁ ସମର୍ପଣ ଭାବରେ ଆଗେଇ ଆସିବାକୁ କହିଛନ୍ତି।

ଭିଡିଓ କନଫରେନ୍‌ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୩୫ରୁ ଅଧିକ ଦେଶରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ସମ୍ବୋଧନ କରି କହିଥିଲେ, ଏକବିଂଶ ଶତାବ୍ଦିରେ ୮୦୦ ବର୍ଷରୁ ପୁରୁଣା ପୁରୀ ଶ୍ରୀମନ୍ଦିର ଉନ୍ନତି ପାଇଁ ଉଦ୍ୟମ କରାଯିବା ପ୍ରଶଂସନୀୟ। ପୁରୀ ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହିତ ଭାରତ ସରକାର ବି ସହଯୋଗର ହାତ ବଢ଼ାଇଛନ୍ତି। ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିରକୁ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରି ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିଥିଲେ। ଶ୍ରୀମନ୍ଦିର ହେଉଛି ଓଡ଼ିଆ ଜାତିର ପରିଚୟ। ଆଗକୁ ହଜାର ହଜାର ବର୍ଷ ପାଇଁ ଏହାକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର। ଏଥିପାଇଁ ସମର୍ପଣ ନିଧି ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବାର ଆବଶ୍ୟକତା ରହିଛି।
ଶ୍ରୀ ପ୍ରଧାନ କହିଥିଲେ, ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଗରିବ ଲୋକମାନେ ଶ୍ରମଦାନ ଓ ଆର୍ଥିକ ସମ୍ପନ୍ନ ଲୋକମାନେ ଶ୍ରୀମନ୍ଦିର ବିକାଶ ପାଇଁ ଆର୍ଥିକ ସହଯୋଗ କରିବାକୁ ଆଗଇ ଆସନ୍ତୁ। ଏହି ଆଲୋଚନା କାର୍ଯ୍ୟକ୍ରମରେ ଆମେରିକା, ସ୍ବିଡେନ୍‌, ଜାପାନ୍‌, ମିଆଁମାର୍‌, ଚୀନ୍‌, ଦକ୍ଷିଣକୋରିଆ, କେନିଆ, ତୁର୍କି, ସାଉଦି ଆରବ, ବାହାରିନ୍‌, ମରିସସ୍‌, ଅଷ୍ଟ୍ରେଲିଆ, କୁଏତ୍‌, ସିଙ୍ଗାପୁର, ମାଲେସିଆ, ଇଂଲଣ୍ଡ, ଆୟରଲ୍ୟାଣ୍ଡ୍‌, ନାଇଜେରିଆ, ଋଷ, କାନାଡ଼ା, ଜର୍ମାନୀ, ନାଇଜେରିଆ, କାଜାକିସ୍ତାନ, ପର୍ତ୍ତୁଗାଲ୍‌, ବେଲଜିୟମ୍‌, ନେଦରଲ୍ୟାଣ୍ଡ୍‌, ସ୍ପେନ୍‌, ଇଣ୍ଡୋନେସିଆ, ଭିଏତନାମ୍‌ ଓ ଥାଇଲ୍ୟାଣ୍ଡ୍‌ ଦେଶରେ ରହୁଥିବା ଓଡ଼ିଆ ଲୋକମାନେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ିହୋଇ ଆଲୋଚନାରେ ଭାଗ ନେଇଥିଲେ।

ପ୍ରକାଶଥାଉକି, କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ଗସ୍ତ କରି ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ ରାଶି ପ୍ରଦାନ କରିଥିଲେ। ଗତ ୫ ତାରିଖରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବାରେ ଗଜପତିଙ୍କର ସହଯୋଗ ଲୋଡ଼ିଥିଲେ। ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ପ୍ରସ୍ତୁତ ହେଲେ ସମଗ୍ର ବିଶ୍ବର ହିନ୍ଦୁ ସମାଜ ବିଶେଷ ଭାବରେ ସାଢ଼େ ୪ କୋଟି ଓଡ଼ିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର