ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ: ରହିତାଦେଶକୁ ମାନୁନି ଓପିଏସ୍‌ସି

ଉଚ୍ଚଶିକ୍ଷା ସଚିବ, ଓପିଏସସି ସଚିବଙ୍କ ଉପରେ ବର୍ଷିଲା ୟୁଜିସି
ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ୟୁଜିସିର ନିର୍ଦେଶ

ଭୁବନେଶ୍ବର : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ -୨୦୨୦କୁ ନେଇ ବିବାଦ ଥମିବାର ନାଁ ଧରୁନି। ଅଧିନିୟମ ଉପରେ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିବା ବେଳେ ଏହାକୁ ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୦ ତାରି‌ଖରେ ସର୍ବୋଚ୍ଚ ଅଦାଲତଙ୍କ ରହିତାଦେଶ ସତ୍ତ୍ବେ ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସିକୁ ଚିଠି ଲେଖାଯାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା କୁହାଯାଇଛି।

ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଲେଖିଥିବା ପୃଥକ ପୃଥକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମେ’ ୨୩ରେ ଓପିଏସସି ପକ୍ଷରୁ ସାମାଜିକ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳ ପ୍ରକାଶ ପାଇଛି। ୨୪ ତାରିଖରେ ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦବି ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ ନେଇ ସୁପ୍ରିମକୋର୍ଟରେ ଏସ୍‌ଏଲପି ବିଚାରାଧୀନ ରହିଛି। ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡ(ଏସଏସବି)ର ଅଣ ଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ଉଭୟ ରାଜ୍ୟ ସରକାର ଓ ଓପିଏସ୍‌ସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ। ନହେଲେ ଆବଶ୍ୟକ ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ପତ୍ରରେ ତାଗିଦ୍ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ୬୨% ପ୍ରଫେସର ପଦବି ଖାଲି ରହିଥିଲା। ୧୧ଟି ବିଶ୍ବବିଦ୍ୟାଳୟ ଲାଗି ମୋଟ ୧୬୬୩ ଜଣ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଅନୁମୋଦନ ହୋଇଛନ୍ତି। ସେଥିମଧ୍ୟରୁ ୧୦୩୩ ପଦ ଖାଲି ରହିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୬୦୬ଟି ପଦ ପୂରଣ ଲାଗି ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସ୍‌ସିକୁ ଚିଠି ଲେଖାଯାଇଥିଲା। ସେହି ଆଧାରରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସୁପ୍ର୍ରିମକୋର୍ଟଙ୍କ ରହିତାଦେଶ ପରେ ମଧ୍ୟ ଓପିଏସ୍‌ସି ପକ୍ଷରୁ ସାମାଜିକ ବିଜ୍ଞାନ ବିଭାଗରେ ନିଯୁକ୍ତି ଦିଆଯାଇଥିବା ନେଇ ଗତ ୨୪ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର