ସିଟିଜେନ୍ ପୋର୍ଟାଲରେ ଏତଲା କପି ଅପ୍‌ଲୋଡ୍ ପ୍ରସଙ୍ଗ: ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସିଟିଜେନ ପୋର୍ଟାଲ ବା ଅଫିସିଆଲ‌ ୱେବସାଇଟରେ ଏତଲା (ଏଫଆଇଆର) କପି ଅପ୍‌ଲୋଡ୍ ପ୍ରସଙ୍ଗରେ ବିଚାରକରି ନିଷ୍ପତ୍ତି ନେବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ରହିଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପ୍ରସଙ୍ଗକୁ ‌ନେଇ ଆବେଦନକାରୀ ପୂର୍ବରୁ ଦାଖଲ କରିଥିବା ସ୍ମାରକପତ୍ର (ରିପ୍ରେଜେନଟେସନ୍) ଉପରେ ଶୁଣାଣି କରି ଡିସେମ୍ବର ଶେଷ ସୁଦ୍ଧା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସୁପ୍ରିମ‌କୋର୍ଟଙ୍କ ରାୟ ଆଧାରରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ସାମ୍ବାଦିକ ବାବାଜୀ ସାହୁଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସୁପ୍ରିମକୋର୍ଟ ୟୁଥ୍ ବାର ଆସୋସିଏସନ ଅଫ୍ ଇଣ୍ଡିଆ ମାମଲାର ୨୦୧୬, ସେପ୍ଟେମ୍ବର ୭ରେ ଶୁଣାଣି କରି ସିଆରପିସିର ଧାରା ୧୫୪ ଓ ୨୦୭ର ତର୍ଜମାପୂର୍ବକ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୧୬ ନଭେମ୍ବର ୧୫ ସୁଦ୍ଧା ଅନ୍‌ଲାଇନରେ ଏତଲା କପି ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଏତଲା କପି ପୋର୍ଟାଲରେ ଅପଲୋଡ୍ ପ୍ରସଙ୍ଗ ଏ ପର୍ଯ୍ୟନ୍ତ ସଂର୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି। ସିଆରପିସିର ଧାରା ୧୫୪(୨) ଅନୁଯାୟୀ ଏତଲାକାରୀଙ୍କୁ ମାଗଣାରେ ଏତଲା କପି ଯୋଗାଇ ଦିଆଯାଉଛି। ମାତ୍ର, ପ୍ରଭାବିତ ପକ୍ଷଙ୍କୁ ଏତଲା କପି ଯୋଗାଇବା ଲାଗି କୈାଣସି ବ୍ୟବସ୍ଥା ନଥିବାରୁ ସେମାନେ ସିଆରପିସିର ଧାରା ୪୩୮ରେ ଆଗୁଆ ଜାମିନ ବ୍ୟବସ୍ଥାର ସୁଯୋଗ ନେବାରେ ସମସ୍ୟା ହେଉଥିଲା। ଇତିମଧ୍ୟରେ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ସରକାର ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିସାରିଛନ୍ତି। କିନ୍ତୁ, ଓଡ଼ିଶା ସରକାର କେବଳ ସିଟିଜେନ ପୋର୍ଟାଲ ଖୋଲିଛନ୍ତି।

ଅଧିକାଂଶ କ୍ଷେତ୍ରରେ ପୋର୍ଟାଲରେ ଏତଲା କପି ଅପଲୋଡ୍ କରାଯାଉ ନାହିଁ। ଥାନା ଗୁଡିକରେ ଉଚ୍ଚକ୍ଷମତା ସଂପନ୍ନ ନେଟୱର୍କ ଲି‌ଙ୍କ୍‌ ଜରୁରୀ। ବିଶେଷକରି, ଆଦିବାସୀ ଅଞ୍ଚଳରେ ଏ ସଂପର୍କିତ ଭିତ୍ତିଭୂମିର ଅଭାବ ରହିଛି। ସମଗ୍ର ବ୍ୟବସ୍ଥାର ଡିଜିଟାଲାଇଜେସନ୍ କରିବା ଲାଗି ବିପୁଳ ପାଣ୍ଠିର ଆବଶ୍ୟକତା ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ଦରକାର ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍‌ଲାଇନରେ ଏତଲା କପି ରହିଲେ ଉକ୍ତ ଦସ୍ତାବିଜ୍‌ କ୍ରାଇମ୍ ଆଣ୍ଡ୍ କ୍ରିମିନାଲ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ୍ ସିଷ୍ଟମ୍ସ(ସିସିଟିଏନଏସ)ରେ ସୁରକ୍ଷିତ ଭାବେ ରହିପାରିବ। ସବୁ ଥାନାରେ ଏତଲା ପଞ୍ଜୀକରଣର ୨୪ ଘଣ୍ଟା ମଧ୍ୟରେ ଯେପରି ଅପଲୋଡ୍ ହୋଇ ପାରିବ, ଏଥିପାଇଁ ସବୁ ଜିଲ୍ଲା ଏସ୍‌ପି ଓ ଡିସିପିମାନଙ୍କ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୋମା ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର