ପୁଲିସ ଷ୍ଟେସନ ବାହାରେ ପଡ଼ି ରହିବା ପ୍ରସଂଗ: ୩୧୪୬ର ଗାଡ଼ିର କେହି ଦାବିଦାର ନାହାନ୍ତି

କଟକ : ବିଭିନ୍ନ ମାମଲାରେ ଜବତ ହୋଇ ପୁଲିସ ଷ୍ଟେସନ ପରିସରରେ ପଡ଼ି ରହିଥିବା ୩ ହଜାର ୧୪୬ଟି ଗାଡ଼ିର କେହି ଦାବିଦାର ନାହାନ୍ତି। ଏଭଳି ୧୯୦ଟି ଗାଡ଼ି ସଂକ୍ରାନ୍ତରେ ନିୟମ ଅନୁସାରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଅବଶିଷ୍ଟ ୨ ହଜାର ୯୫୬ଟି ଗାଡି ପ୍ରସଂଗ ବିଚାରାଧୀନ ରହିଛି। ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଦାଖଲ କରିଥିବା ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୨୨, ମେ ୧ ସୁଦ୍ଧା ରାଜ୍ୟର ବିଭିନ୍ନ ପୁଲିସ ଥାନାରେ ୨୨,୭୦୯ଟି ଜବତ ଗାଡ଼ି ପଡ଼ି ରହିଥିବା ବେଳେ ଏହିସବୁ ଗାଡ଼ିର ମାଲିକଙ୍କ ସଂକ୍ରାନ୍ତରେ ତଥ୍ୟ ଉପଲବ୍ଧ। ଏଥିମଧ୍ୟରୁ ୪୬୯୫ଟି ଗାଡ଼ି ଅଦାଲତଙ୍କ ନିର୍ଦ୍ଦେଶରେ ଉପଯୁକ୍ତ ବ୍ୟକ୍ତିଙ୍କ ଜିମାରେ ଛଡ଼ାଯାଇଛି। ଅବଶିଷ୍ଟ ଗାଡ଼ିଗୁଡ଼ିକ ପ୍ରସଂଗରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ, ଜବତ ଗାଡ଼ିଗୁଡିକ ପ୍ରସଂଗରେ ନିଷ୍ପତ୍ତି ନିଆଯିବା ସଂକ୍ରାନ୍ତୀୟ ସମୟସୀମା ନେଇ ସତ୍ୟପାଠରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ପରବର୍ତ୍ତୀ ଶୁଣାଣିର ଦୁଇ ସପ୍ତାହ ପୂର୍ବରୁ ଏହି ପ୍ରସଂଗରେ ବିସୃତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଆଶିଷ ରଂଜନ ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର