ଭୁବନେଶ୍ୱର : ସ୍କୁଲ ଫି' ଛାଡ଼ ପ୍ରସଙ୍ଗ ହାଇକୋର୍ଟରେ ଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନ୍ ଫୋରମ୍(ଓପାଫ୍) ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଏମ୍ଓୟୁ ବିରୋଧରେ ବିଷୋଦ୍ଗାର କରିଛନ୍ତି। ସଙ୍ଗଠନର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୧ରେ ହାଇକୋର୍ଟ ଶୁଣାଣି କରିବା ସହ ଏକ କମିଟି ଗଠନ କରି ବିଦ୍ୟାଳୟ ଫି' ବାବଦରେ ମତ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ରାଜ୍ୟ ସରକାର ସର୍ବପ୍ରଥମେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ପ୍ରଥମ ପିଟିସନର୍ଙ୍କୁ ଗୁରୁତ୍ୱ ନ ଦେଇ ଅନ୍ୟମାନଙ୍କ ସହ ଭିତିରି ବୁଝାମଣା କରି ଗତ ୨୪ତାରିଖରେ କୋର୍ଟରେ ଏମ୍ଓୟୁ ଦାଖଲ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନଗୁଡ଼ିକ କେବେଠାରୁ ଓ କିଭଳି ଫି' ଲାଗୁ କରିବେ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଯେଉଁ ୬ଟି ଅତିରିକ୍ତ ଫି'ର ନାମ ଏମ୍ଓୟୁରେ ଉଲ୍ଲେଖ କରାଯାଇଛି, ତାକୁ ଛାଡ଼ି ଆହୁରି ଅନେକ ଫି' ରହିଛି। ତା' ବଦଳରେ ଅନ୍ୟ କିଛି ନାମ ଦେଇ ବିଦ୍ୟାଳୟଗୁଡ଼ିକ ଫି' ଆଦାୟ କରିବେ। ଯେଉଁ ବିଦ୍ୟାଳୟର ଫି' ବାର୍ଷିକ ୬ ହଜାର ଟଙ୍କାରୁ ଅଧିକ, ସେମାନଙ୍କୁ ୭.୫% ରିହାତି ମିଳିଥିଲା ବେଳେ ଏକ ଲକ୍ଷ ଟଙ୍କା ଦେଉଥିବା ଅଭିଭାବକଙ୍କୁ ୨୬% ରିହାତି ମିଳିଛି। ଏହା କେଉଁ ଆଧାରରେ ସ୍ଥିର ହୋଇଛି, ତାହା ଜଣାପଡ଼ୁ ନାହିଁ। ମାସକୁ ୫୦୦ ଟଙ୍କା ଫି' ଦେଉଥିବା ଓ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପାଇ ନ ପାରି ବେସରକାରୀ ବିଦ୍ୟାଳୟକୁ ଆପଣେଇଥିବା ଅଭିଭାବକଙ୍କ ଉପରେ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ ନୁହେଁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କରୋନା ଯୋଗୁଁ ପିଲା ଯେତେବେଳେ ଘରେ ଅଛନ୍ତି, ସେତେବେଳେ ହଷ୍ଟେଲ ଫି' ବାବଦକୁ ୭୦% ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ? ସେହିପରି ପରିବହନ ବାବଦରେ ଫି' ଆଦାୟ ନିଷ୍ପତ୍ତିକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯଦି ସରକାର ଏହି ତ୍ରୁଟିଗୁଡ଼ିକୁ ନ ସୁଧାରି ଦାବି ପୂରଣରେ ଅସମର୍ଥ ପ୍ରକାଶ କରନ୍ତି, ତେବେ ଏହା ନ୍ୟାୟପାଳିକା, ରାଜ୍ୟ ସରକାର, ବେସରକାରୀ ବିଦ୍ୟାଳୟ ମାଲିକ, କିଛି ସ୍ୱାର୍ଥପର ଅଭିଭାବକଙ୍କ ସଲାସୁତୁରାର ଫଳ ବୋଲି ବୁଝାପଡ଼ିବ। ଏହି ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଓପାଫ୍ର ସମ୍ପାଦିକା ରୀତାରାଣୀ ସାହୁ, ଉପସଭାପତି ମଧୁସୂଦନ ବିଶ୍ୱାଳ, ଆଇନଜୀବୀ ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/schools.jpg)