ମୁଖ୍ୟମନ୍ତ୍ରୀଙ୍କ ମାନଚିତ୍ରରେ ପଶ୍ଚିମ ଓଡ଼ିଶା ନାହିଁ : ସୁରେଶ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରସଂଗ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରତିବାଦରେ ଗୁରୁବାର ବିଜେପି ପକ୍ଷରୁ ସମ୍ବଲପୁର ଠାରେ ଆରଡିସି ଅଫିସ ଘେରାଉ କରାଯାଇଥିଲା। ଏଥିରେ ଦୁଇ ସାଂସଦ ଓ ୬ ବିଧାୟକଙ୍କ ସମେତ ବହୁ ସଂଖ୍ୟାରେ ନେତା ଏବଂ କର୍ମୀ ସାମିଲ ହୋଇଥିଲେ।

ଏହି ଅବସରରେ ପ୍ରତିବାଦ ସଭାରେ ବରଗଡ଼ ସାଂସଦ ସୁରେଶ ପଜାରୀ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ସାଂସଦ ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମାନଚିତ୍ରରେ ସମ୍ଭବତଃ ପଶ୍ଚିମ ଓଡ଼ିଶା ନାହିଁ। ସେଥିପାଇଁ ସେ ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଦାଖଲ କରିଥିବା ତାଲିକାରେ ପଶ୍ଚିମାଞ୍ଚଳକୁ ପୂରାପୂରି ଅବହେଳା କରାଯାଇଛି। ସମ୍ବଲପୁର ରାଜସ୍ବ ଡିଭିଜନରେ ଆର୍‌ଡିସି ପଦ ବହୁଦିନ ଧରି ଖାଲି ପଡ଼ିଛି। କୌଣସି ଅଫିସରକୁ ନିଯୁକ୍ତି ଦିଆଯାଉନାହିଁ। ସମ୍ବଲପୁର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଜିଲ୍ଲାପାଳ ୨ ମାସ ଧରି ଲମ୍ବା ଛୁଟିରେ ପଠାଇ ଦିଆଯାଉଥିବାବେଳେ କ‌ୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି କହିଛନ୍ତି। ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରୀ ନାଏକଙ୍କ ପରିଚାଳନ‌ାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସାଂସଦ ଶ୍ରୀ ପୂଜାରୀ ଆହୁରି କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତ ଏବେ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ଅନ୍ୟ ଶତ୍ରୁ ଦେଶଗୁଡ଼ିକ ପାଇଁ ଭାରତକୁ ଭୟ କରୁଛନ୍ତି। ହେଲେ, ଛତିଶଗଡ଼, ପଶ୍ଚିମବଂଗ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକର ଓଡ଼ିଶାର ସୀମାନ୍ତର ଅଂଚଳର ଜମି ନିଜ ଅକ୍ତିଆର କରିନେଲେଣି। ଓଡ଼ିଶା ସରକାର କିନ୍ତୁ ମୂକ ଦର୍ଶକ ସାଜିଛନ୍ତି। ନବୀନ ବାବୁଙ୍କ ହାତରେ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି ଶ୍ରୀ ପୂଜାରୀ ଅଭିଯୋଗ ଆଣିଥିଲେ। ଓଡ଼ିଶାରେ ଖଣି, ପାଣି ସବୁ ଚୋରି ହେଉଥିବା ବେ‌ଳେ ଗରିବ ଲୋକଙ୍କ ଘର ଖାଇ ଯାଉଛନ୍ତି ବୋଲି ଶ୍ରୀ ପୂଜାରୀ ଅଭିଯୋଗ ଆଣିଥିଲେ।

ସେହିପରି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ସହିତ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ସମ୍ପାଦକ ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର, ସୁରେଶ୍ୱର ଶତପଥୀ, ସନତ ଗଡ଼ତିଆ, ଲକ୍ଷ୍ମଣ ବାଗ, ଦିନେଶ ଜୈନ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ, ସୁବର୍ଣ୍ଣପୁରର ପ୍ରମୋଦ ମହାପାତ୍ର, ବଲାଙ୍ଗୀରର ଶିବାଜୀ ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ୍‌ପ୍ରକାଶ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀଙ୍କ ସମେତ ମାନସ ରଞ୍ଜନ ବକ୍ସି, ସଞ୍ଜୟ ଷଡଙ୍ଗୀ, ଅଶ୍ୱିନୀ ମାଝୀ, ଅନ୍ନପୂର୍ଣ୍ଣା ବାରିକ, ସମୀର ରଞ୍ଜନ ବାବୁ, ସଂଯୁକ୍ତା ପ୍ରଧାନ, ସୀତା ଛୁରିଆ, ସୁଷମା ସାହୁ, ଶଶିଭୂଷଣ ତ୍ରିପାଠୀ, ବୃନ୍ଦାବନ ମାଝୀ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ସୁଶାନ୍ତ ପୁରୋହିତ, ଗିରିଜା ସାହୁ ପ୍ରମୁଖ ନେତାମାନେ ଏଥିରେ ସାମିଲ ହୋଇ ରାଜ୍ୟର ବିଜେଡି ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାବାସୀଙ୍କ ନ୍ୟାୟ ପ୍ରଦାନ ପାଇଁ ବିଜେପି ଲଢ଼େଇ ଜାରି ରଖିବ। ରାଜ୍ୟ ସରକାରଙ୍କ ଅବହେଳା ଓ ଅନ୍ୟାୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନେତାମାନେ କହିଥିଲେ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପିର ସାଂସଦ ଓ ବିଧାୟକ ଜିତିଛନ୍ତି, ସେହି ଅଞ୍ଚଳରେ ରାଜ୍ୟ ସରକାର ନିଜର ରାଜନୈତିକ ଶତ୍ରୁତାର ନଗ୍ନ ଚିତ୍ର ପ୍ରଦର୍ଶିତ କରିଛନ୍ତି। ୯ ଜିଲ୍ଲାର ହିତାଧିକାରୀଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଦେବଗଡ଼ ଜିଲ୍ଲାରେ ୧୧୧ ଓ ଝାରସୁଗୁଡା ଜିଲ୍ଲାରେ ମାତ୍ର ୪ ଜଣ ହିତାଧିକାରୀଙ୍କ ସଂଖ୍ୟା ଯେତିକି ଆଶ୍ଚର୍ଯ୍ୟ କରିଛି, ସେତିକି ଚିନ୍ତିତ ମଧ୍ୟ ବୋଲି ଏହି ବିଜେପି ନେତାମାନେ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମାଞ୍ଚଳ ପ୍ରତି ହୋଇଥିବା ପାତରଅନ୍ତର ନୀତି ଓ ରାଜ୍ୟରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆର୍‌ଡିସିଙ୍କ ସଚିବ ଭି.ପି.ଏକ୍କାଙ୍କୁ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର