ଜିଲ୍ଲାରେ ଡବ୍ଲୁଓଡିସି କାର୍ଯ୍ୟାଳୟ : ପଶ୍ଚିମ ଓଡ଼ିଶାକୁ ପୁଣି ଭୁତାଇଲେ!

ଯୋଜନା ଉପନିର୍ଦେଶକ କାର୍ଯ୍ୟାଳୟକୁ ଦାୟିତ୍ବ
ଡାଟା ଏଣ୍ଟ୍ରି ଅପରେଟର, ପିଅନଙ୍କୁ ଅତିରିକ୍ତ ନିଯୁକ୍ତି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ୧୧ ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳ​ୟ (ଡବ୍ଲୁଓଡିସି) ପ୍ରତିଷ୍ଠା ହେବ। କିଛି ଦିନ ତଳେ ଏମିତି ଘୋଷଣା କରିଥିଲେ ସରକାର। ହେଲେ ବିଜ୍ଞପ୍ତି ସୂଚାଇ ଦେଇଛି, ପଶ୍ଚିମ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ପୁଣି ଭୁତାଇଛନ୍ତି। ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ୧୧ ଜିଲ୍ଲାରେ ଥିବା ଯୋଜନା ଉପନିର୍ଦେଶକ କାର୍ଯ୍ୟାଳୟରେ ହିଁ ଜିଲ୍ଲା ସ୍ତରୀୟ ଡବ୍ଲୁଓଡିସି କାର୍ଯ୍ୟାଳୟ ଚାଲିବ। ଜିଲ୍ଲା ସ୍ତରରେ ଆଜି ପର୍ଯ୍ୟନ୍ତ ଯୋଜନା ଉପନିର୍ଦେଶକ କାର୍ଯ୍ୟାଳୟ ଯାହା କରି ଆସୁଥିଲେ ସେହି କାର୍ଯ୍ୟ ହିଁ କରିବେ। ଏଥିପାଇଁ ଅତିରିକ୍ତ ନୂତନ କାର୍ଯ୍ୟାଳୟ କିମ୍ବା ନୂତନ ଅଧିକାରୀଙ୍କ ନିଯୁକ୍ତି ପାଇବେ ନାହିଁ। ଡବ୍ଲୁଓଡିସି କାର୍ଯ୍ୟ ନେଇ ସେ ଜିଲ୍ଲାପାଳଙ୍କୁ ହିଁ ରିପୋର୍ଟ ଦେବେ। ଏଥିସହିତ ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ, ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଅନୁଦାନ, ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହିତ ଏହି କାର୍ଯ୍ୟାଳୟ କେବଳ ସମନ୍ବୟ ରକ୍ଷା କରିବ। ପ୍ରତିମାସର ଜିଲ୍ଲା ସ୍ତରରେ ମନଟରିଂ କମିଟିର ବୈଠକ ହେବ। ଏ ସଂକ୍ରାନ୍ତରେ ଉନ୍ନୟନ କମିସନର ପିକେ ଜେନାଙ୍କ ବିଜ୍ଞପ୍ତି ଆଧାରରେ ଡବ୍ଲୁଓଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ପଟେଲ ସମସ୍ତ ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ସଂପୃକ୍ତ ଅଧିକାରୀଙ୍କୁ ସହଯୋଗ କରିବା ଲାଗି ଡବ୍ଲୁଓଡିସିର ସ୍ବତନ୍ତ୍ର କର୍ମଚାରୀ ଭାବରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଜଣେ ପିଅନଙ୍କୁ ଅତିରିକ୍ତ ନିଯୁକ୍ତି ଦିଆଯିବ।

ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଏଠାରେ କେତେ ଦିନ ରହିବେ କିମ୍ବା କିଭଳି କାର୍ଯ୍ୟ ପରିଚାଳନା କରିବେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଫଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପ୍ରସଙ୍ଗ ନେଇ ରାଜ୍ୟ ସରକାର ୨୩ ବର୍ଷ ଧରି ଯାହା କରି ଆସୁଥିଲେ ସେଥିରେ ଯେ ବିଶେଷ କିଛି ପରିବର୍ତ୍ତନ ହେବ, ସେ ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି।

ଘଡ଼େଇ କମିଟି ରିପୋର୍ଟ ପ୍ରକାଶିତ ପରେ ପଶ୍ଚିମ ଓଡ଼ିଶାର ସର୍ବାଧିକ ଅଞ୍ଚଳ ପଛୁଆ, ଅତି ପଛୁଆ ହେବା ନେଇ ଦୟନୀୟ ଚିତ୍ର ସାମ୍ନାକୁ ଆସିଥିଲା। ୯୯୮ ମସିହାରେ ପ୍ରତିଷ୍ଠା ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ। ଆଶା ଥିଲା, ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲା ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଏବଂ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ଆଠମଲ୍ଲିକର ଉନ୍ନତି ହେବ। ବିଶେଷକରି କ୍ଷମତା ବିକେନ୍ଦ୍ରୀକରଣ ହେବ। ପଶ୍ଚିମ ଓଡ଼ିଶା ପାଇଁ କ’ଣ ଆବଶ୍ୟକ ସେହି ଅଞ୍ଚଳରେ ନିଷ୍ପତ୍ତି ନିଆଯିବ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ଡବ୍ଲୁଓଡିସିର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ହିଁ ପ୍ରତିଷ୍ଠା ହେଲା। ପଶ୍ଚିମ ଓଡ଼ିଶାବାସୀଙ୍କର ଏଠାରେ କୌଣସି ପ୍ରଭାବ ରହିଲା ନାହିଁ। ଏଥିଯୋଗୁଁ ୨୩ ବର୍ଷ ଧରି ଭୁବନେଶ୍ବର ବଦଳରେ ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହିଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରି ଆସୁଥିଲେ। ଏପରିକି ହାଇକୋର୍ଟ ବେଞ୍ଚ ଭଳି ଡବ୍ଲୁଓଡିସି କାର୍ଯ୍ୟାଳୟ ସ୍ଥାନ ପ୍ରସଙ୍ଗ ନେଇ ପଶ୍ଚିମ ଓଡ଼ିଶାରେ କୌଣସି ବିବାଦ ମଧ୍ୟ ନାହିଁ। ଭୁବନେଶ୍ବର ବଦଳରେ ପଶ୍ଚିମ ଓଡ଼ିଶାର ଯେକୌଣସି ଜିଲ୍ଲାରେ ହେଲେ ବି କାର୍ଯ୍ୟାଳୟ ପ୍ରତିଷ୍ଠା ହେଉ ବୋଲି ସମସ୍ତେ ଚାହାନ୍ତି। ପ୍ରତ୍ୟେକ ନିର୍ବାଚନରେ ଏହା ଏକ ନିୟମିତ ପ୍ରସଙ୍ଗ ମଧ୍ୟ ଅଟେ। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କେବେ ମଧ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ଏହି ନ୍ୟାୟୋଚିତ ଦାବିକୁ ଗୁରୁତ୍ବ ଦେଇ ନାହାନ୍ତି।

୨୦୨୧ ମସିହା ଫେବ୍ରୁଆରି ମାସରେ ଯେତେବେଳେ ସରକାରଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଡବ୍ଲୁଓଡିସି କାର୍ଯ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା ହେଲା ସମସ୍ତେ ସ୍ବାଗତ କରିଥିଲେ। ମାତ୍ର କାର୍ଯ୍ୟାଳୟ ନେଇ ଉନ୍ନୟନ କମିସନରଙ୍କ ବିଜ୍ଞପ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ଘୋଷଣାର ପ୍ରକୃତ ଚିତ୍ର ପଦାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଡବ୍ଲୁଓଡିସି ପାଣ୍ଠି ପରିଚାଳନା ନେଇ ମୁଖ୍ୟାଳୟ ସହିତ ଜିଲ୍ଲାପାଳଙ୍କ ଜରିଆରେ ଯୋଜନା ଉପନିର୍ଦେଶକ ହିଁ କାର୍ଯ୍ୟ କରିଥାଆନ୍ତି। ତାଙ୍କ ଜରିଆରେ ଟଙ୍କା ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଯାଇଥାଏ। ପ୍ରକଳ୍ପ ଅଗ୍ରଗତି, ପାଣ୍ଠି ପରିଚାଳନା, ବିନିଯୋଗପତ୍ର ଦାଖଲ ସଂକ୍ରାନ୍ତରେ ସମୀକ୍ଷା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତି ମାସରେ ଯୋଜନା କମିଟି ବୈଠକରେ କରାଯିବା ପାଇଁ ନିର୍ଦେଶ ରହିଛି। ମାତ୍ର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ବୈଠକ ହୋଇ ପାରୁନଥିବାରୁ ପ୍ରକଳ୍ପ ପାଇଁ ଟଙ୍କା ଠିକ ଭାବରେ ବିନିଯୋଗ ହେଉନଥିବା ନେଇ କିଛି ଦିନ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳମାନଙ୍କୁ ଚିଠି ଦେଇଥିଲେ। ବର୍ତ୍ତମାନ ମଧ୍ୟ ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର