ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁରେ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ତଦନ୍ତ ନାଁରେ ଦୋଷୀକୁ ଘଣ୍ଟ ଘୋଡ଼ାଉଛି ଶ୍ରମ ବିଭାଗ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଉପରୁ ପଡ଼ି ଗତ ଦେଢ଼ମାସ ମଧ୍ୟରେ ୩ ଜଣ ବାହାର ରାଜ୍ୟର ଶ୍ରମିକଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଶ୍ରମ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଜିଲ୍ଲା ଶ୍ରମ ବିଭାଗ ଅତ୍ୟନ୍ତ ହାଲୁକା ଭାବେ ନେଇ ତଦନ୍ତ ନାଁରେ ସମ୍ପୃକ୍ତ ଠିକାସଂସ୍ଥାର ସୁରକ୍ଷା ବ୍ୟବସ୍ଥାରେ କରିଥିବା ଦୋଷ ତ୍ରୁଟିକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।

ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନଙ୍କୁ ଦୁର୍ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଜିଲ୍ଲାପାଳ, ଏସ୍‌ପି ଏବଂ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏଣୁ ଏଣିକି ଶତ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ କାର୍ଯ୍ୟ କରାଯିବ ବୋଲି କହିବା ସହ ସେଠାରେ ଆମେ ଏକ କ୍ୟାମ୍ପ କରି କାର୍ଯ୍ୟରେ ନିୟୋଜିତ ଅଧା ଶ୍ରମିକଙ୍କର ରେଜିଷ୍ଟ୍ରେସନ କରିଛୁ। ଆଉଥରେ କ୍ୟାମ୍ପ କରି ସମସ୍ତଙ୍କର ରେଜିଷ୍ଟ୍ରେସନ କରିବୁ ବୋଲି କହିଥିଲେ। ହେଲେ ସେତୁ ପ୍ରକଳ୍ପ ନିର୍ମାଣ କରୁଥିବା ରାଜ୍ୟ ବାହାରର ଉକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର୍‌ଷ୍ଟେଟ ମାଇଗ୍ରାଣ୍ଟ ୱାର୍କର ଲାଇସେନ୍ସ, ଲେବର ଲାଇସେନ୍ସ ଓ ଏମଟିଡବ୍ଲୁ ଲାଇସେନ୍ସ ଅଛି ନା ନାହିଁ ପଚାରାଯିବାରୁ ମୁଁ ଦେଖିକି କହିବି ବୋଲି କହିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଶ୍ରମ ନିୟମ ଅନୁଯାୟୀ କୌଣସି ବୃହତ ପ୍ରକଳ୍ପ ନିର୍ମାଣ କରିବାକୁ ହେଲେ ସମ୍ପୃକ୍ତ ଠିକାସଂସ୍ଥା ଏହିସବୁ ଲାଇସେନ୍ସ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଆଜକୁ ୪ରୁ ୫ ବର୍ଷ ହେଲା ଶହ ଶହ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରୁଥିବା ବାହାର ରାଜ୍ୟର ଏକ ଘରୋଇ ଠିକସଂସ୍ଥା ନିକଟରେ ଏହି ଲାଇସେନ୍ସ ଅଛି ନା ନାହିଁ ଯଦି ଅଛି ତାହାର ନିୟମ ଅନୁଯାୟୀ ନବୀକରଣ ହୋଇଛି ନା ନାହିଁ ଏ ଖବର ଜିଲ୍ଲା ଶ୍ରମ ବିଭାଗ ନିକଟରେ ନାହିଁ। ବାରମ୍ବାର ସୁରକ୍ଷାଗତ ତ୍ରୁଟି ଯୋଗୁଁ ବାହାର ରାଜ୍ୟର ତିନି ତିନି ଜଣ ନିରୀହ ଶ୍ରମିକ ପ୍ରାଣ ହରାଇବା ପରେ ବି ତଦନ୍ତ ଅଧିକାରୀମାନେ କାହିଁକି ଏ ବିଷୟରେ ତଦନ୍ତ କରିନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର