୧୮ ଲକ୍ଷ ପିଲା ସ୍କୁଲ ନଆସିବା ପ୍ରସଙ୍ଗ: ଶିକ୍ଷକଙ୍କୁ ସହାୟତା କରିବେ ସରପଞ୍ଚ

ସକାଳୁଆ ସ୍କୁଲ ଯୋଗୁଁ କମିଛି କି ଉପସ୍ଥାନ? ଘରକୁ ଯାଇ ପିଲାଙ୍କୁ ଖୋଜିବା କଷ୍ଟ ହେବ: ଓଷ୍ଟା

ଭୁବନେଶ୍ବର : କାହିଁକି ସ୍କୁଲ ଆସୁନାହାନ୍ତି ପିଲା? ସକାଳୁଆ ସ୍କୁଲ ସମସ୍ୟା ନା ଅନ୍ୟ କୌଣସି କାରଣ? ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ି ଦେଇଛନ୍ତି କି? ପ୍ରଥମରୁ ଦ୍ବାଦଶ ଶ୍ରେଣୀର ୩୦% ଅର୍ଥାତ୍‌ ୧୮ ଲକ୍ଷ ପିଲା ଦୈନିକ ସ୍କୁଲ ଆସୁ ନ ଥିବା ନେଇ ଜଣାପଡ଼ିବା ପରେ ଗଣଶିକ୍ଷା ବିଭାଗ ଖୋ‌ଳତାଡ଼ ଆରମ୍ଭ କରିଛି। ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଗତକାଲି ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଆଉ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁ ପିଲାମାନେ ନିୟମିତ ଭାବେ ସ୍କୁଲ ଆସୁନାହାନ୍ତି ସେମାନଙ୍କ ଘରକୁ ଶିକ୍ଷକମାନେ ଯିବେ। ପିଲାମାନେ କାହିଁକି ସ୍କୁଲ ଆସୁନାହାନ୍ତି ଓ ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପଦକ୍ଷେପ ନେବେ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ବୁଝାଇବେ। ଆବଶ୍ୟକ ପଡ଼ିଲେ ସରପଞ୍ଚମାନଙ୍କ ସହାୟତାରେ ସେମାନେ ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ସ୍କୁଲ ପରିଚାଳନା କମିଟି, ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ନେଇପାରିବେ। ଆସନ୍ତା ଶିକ୍ଷାବର୍ଷରୁ ଏହି ସବୁ ପିଲାମାନେ ଯେପରି ପୁଣିଥରେ ସ୍କୁଲକୁ ‌ଫେରିବେ ସେଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଗତକାଲି ଜାରି ହୋଇଥିବା ୫ ସୂତ୍ରୀ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ୧୮ ଲକ୍ଷ ପିଲା ସ୍କୁଲ ଆସୁ ନ ଥିବା ଚିନ୍ତାର ବିଷୟ। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇ ପିଲାଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବାକୁ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ପିଲା ଅଧାରୁ ପାଠ ଛାଡ଼ିଥିବା କିଛି ମାତ୍ରାରେ ଠିକ୍‌। ମାତ୍ର ଏହାକୁ ଶତ ପ୍ରତିଶତ ମାନିନେବା ଉଚିତ ହେବନି। କାରଣ ପ୍ରତିବର୍ଷ ଏହି ସମୟରେ ଗ୍ରୀଷ୍ମ ଛୁଟି ହୋଇଥାଏ। ସେମାନଙ୍କ ପାଇଁ ସକାଳ ୬ଟାରୁ କ୍ଲାସ କରାଯାଉଛି। ଏତେ ସକାଳୁ ପିଲାମା‌ନେ ସ୍କୁଲ ଆସିବାକୁ ଅମଙ୍ଗ ହେଉଛନ୍ତି। ପିଲାଙ୍କୁ ଖୋଜିବାକୁ ଶିକ୍ଷକମାନେ ଘରକୁ ଘର ବୁଲିବେ ତାହା କାର୍ଯ୍ୟକାରୀ ହେବା କଷ୍ଟକର ହୋଇପଡ଼ିବ। ୪୦ ଡିଗ୍ରି ଖରାରେ ଶିକ୍ଷକମାନେ ପାଠପଢ଼ା ସାରି ପିଲାଙ୍କ ଘରେ ପହଞ୍ଚିବା ଆଦୌ ସମ୍ଭବପର ହେବ ନାହିଁ। ବରଂ ଅଭିଭାବକ, ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।

ପଶ୍ଚିମ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସବୁଠାରୁ ଅଧିକ ନୈରାଶ୍ୟଜନକ। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ସବୁଠାରୁ କମ୍‌ ଉପସ୍ଥାନ ସମ୍ବଲପୁର, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲାରେ ରହିଛି। ଏହି ୪ ଜିଲ୍ଲାରେ ପିଲାଙ୍କ ଉପସ୍ଥାନ ହ୍ରାସ ପଛର କାରଣ କ’ଣ ରହିଛି ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି। ଶିକ୍ଷାବିତ୍‌ ବାସୁଦେବ ଛାଟୋଇଙ୍କ କହିବା କଥା ହେଉଛି ଯେ ପିଲା କୁଆଡ଼େ ଯାଇନାହାନ୍ତି। ପ୍ରାଥମିକ ସ୍କୁଲ ପିଲାଙ୍କ ଉପସ୍ଥାନ କମିବା ପଛରେ ସକାଳୁଆ ସ୍କୁଲ ଦାୟୀ। ତା’ପରେ ଏବେ ପିଲାଙ୍କୁ ପୁରୁଣା ପାଠ ପଢ଼ାଯାଉଛି। ତେଣୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ଖରାରେ ସ୍କୁଲକୁ ପଠାଇବାକୁ ମନ ବଳାଉନାହାନ୍ତି। କରୋନା ସମୟରେ ଗତ ଦୁଇ ବର୍ଷ ହେଲା ୮ମରୁ ୯ମ ଶ୍ରେଣୀକୁ ଉନ୍ନୀତ ହୋଇଥିବା ପିଲା ଉପଯୁକ୍ତ ଦିଗ୍‌ଦର୍ଶନ ଓ ସ୍କୁଲ ସୁବିଧା ପାଇ ନ ଥିବାରୁ ପାଠପଢ଼ା ଛାଡ଼ିଥାଇପାରନ୍ତି। ୨୦୨୧ରେ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କୁ ବିକଳ୍ପ ମୂଲ୍ୟାୟନ ଜରିଆରେ ଉତ୍ତୀର୍ଣ୍ଣ କରାଗଲା। ଅଧିକାଂଶ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେମାନେ ପିଲାଙ୍କୁ ପରବର୍ତୀ ଶ୍ରେଣୀରେ ପଢ଼ାଇ ପାରି ନାହାନ୍ତି। ଭଲ ପଢ଼ୁ ନ ଥିବା ପିଲାମାନେ ବି ଦଶମ ଓ ଦ୍ବାଦଶ ପାସ୍‌ କରିବା ପରେ ପାଠପଢ଼ାରୁ ଦୂରେଇ ଯାଇଛନ୍ତି। ଯେଉଁମାନେ ଦୂରେଇ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଏବେ ସହଜ ହେବ ନାହିଁ।

ସମ୍ବନ୍ଧିତ ଖବର