ଆଦିବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ପିଏମ୍‌ଓକୁ ଚିଠି : ୯ ଛାତ୍ରୀଙ୍କ ବୟାନ ରେକର୍ଡ଼, ୩ ଅଧ୍ୟାପକଙ୍କୁ ବି ପଚରାଉଚରା

ବ୍ରହ୍ମପୁର : ଆଦିବାସୀ ଛାତ୍ରୀଙ୍କୁ ଯୌନ ନର୍ଯାତନା ସଂପର୍କିତ ଏକ ଅଭିଯୋଗ ପତ୍ରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଚିଠି ଆସିବା ପରେ ବ୍ରହ୍ମପୁର ପୁଲିସ ତନାଘନା ଆରମ୍ଭ କରିଛି। ଜଣେ ଆଦିବାସୀ ଛାତ୍ରୀ ନିଜ ନାମ ଗୋପନ ରଖି ଏଭଳି ଅଭିଯୋଗ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ପଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ରାଜ୍ୟ ଗୃହ ବିଭାଗ, ଡିଜି, ଆଇଜିଙ୍କ ଅଫିସରୁ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ପୁଲିସ। ଏଭଳି ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ଏକ ମହାବିଦ୍ୟାଳୟର ଛାତ୍ରୀ ଓ ସେ ତିନି ଜଣ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦେଇଛନ୍ତି। ଅଭିଯୋଗ ଅନୁସାରେ ୨୦୧୬ରୁ ଏହି ଅଧ୍ୟାପକମାନେ ତାଙ୍କ ସମେତ ଅନ୍ୟ ଛାତ୍ରୀଙ୍କୁ ଏଭଳି ଶାରୀରିକ ଶୋଷଣ କରି ଆସୁଥିଲେ। ଗତ ୫ ବର୍ଷ ମଧ୍ୟରେ ମହାବିଦ୍ୟାଳୟର ଏକାଧିକ ଛାତ୍ରୀ ନିର୍ଯାତନାର ଶିକାର ହୋଇଥିବା ସେ ଜାଣିଥିବା ନେଇ ବି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଏଭଳି ଚିଠି ଆସିବା ପରେ ପୁଲିସ ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ତଦନ୍ତ କରୁଛି।

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅର୍ନ୍ତଗତ ଖାରିଆଗୁଡ଼ା ସ୍ଥିତ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ଶାସ୍ତ୍ରୀ(ଯୁକ୍ତ-୩)ର ଜଣେ ଆଦିବାସୀ ଛାତ୍ରୀଙ୍କୁ ଉକ୍ତ ମହାବିଦ୍ୟାଳୟର ୩ ଅଧ୍ୟାପକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆଦିବାସୀ ଛାତ୍ରୀଙ୍କ ପକ୍ଷରୁ ଏକ ସାଂଘାତିକ ଅଭିଯୋଗ ହୋଇଥିବାରୁ ଚିକିଟି ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଏସ୍‌ଡ଼ିପିଓ ଶ୍ରୀ ମୁର୍ମୁ ଉକ୍ତ ମହାବିଦ୍ୟାଳୟକୁ ଯାଇ ଯେଉଁ ୩ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ସେମାନଙ୍କୁ ପଚାରାଉଚୁରା କରି ବୟାନ ରେକର୍ଡ଼ କରିଛନ୍ତି। ୨୦୧୬ ମସିହାରେ ଏହି ମହାବିଦ୍ୟାଳୟର ଶାସ୍ତ୍ରୀ ବିଭାଗରେ ୩୪ଜଣ ଛାତ୍ରୀ ପଢୁଥିଲେ। ଗତ ବର୍ଷ ବି ୩୦ଜଣ ପଢୁଥିଲେ। ଅଧିକାଂଶ ଗଜପତି ଜିଲ୍ଲାର ଛାତ୍ରୀ। ଗଜପତି ଜିଲ୍ଲାର ଆର.ଉଦୟଗିରି, ରାମଗିରି ଓ ମୋହନା ଥାନା ଇଲାକାର ସମୁଦାୟ ୯ଜଣ ଛାତ୍ରୀଙ୍କୁ ଏସ୍‌ଡ଼ିପିଓ ଶ୍ରୀ ମୁର୍ମୁ ଆଜି ଭେଟି ପଚରାଉଚୁରା କରିବା ସହ ବୟାନ ରେକର୍ଡ କରିଛନ୍ତି। ତେବେ ଏଥିନେଇ ଜରଡ଼ା ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି ମାମଲା ବି ରୁଜୁ ହୋଇନାହିଁ। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପ‌ରେ ଏସ୍‌ଡ଼ିପିଓ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଏହି ଘଟଣାର ସତ୍ୟତା ଥିବା ଭଳି ମନେ ହେଉନାହିଁ ବୋଲି ଏସ୍‌ଡ଼ିପିଓ ଶ୍ରୀ ମୁର୍ମୁ କହିଛନ୍ତି। ତଦନ୍ତ ପରେ ଏସ୍‌ପିଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି। ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ସଂପୃକ୍ତ ତିନି ଅଧ୍ୟାପକ ରାଜନୈତିକ ପ୍ରଭାବଶାଳୀ ଥିବା ଯୋଗୁଁ ସ୍ଥାନୀୟ ପୁଲିସ ଉପରେ ଭରସା ନଥିବା ଉଲ୍ଲେଖ କରିଛନ୍ତି।

ପ୍ରକାଶ ଥାଉକି, ମହାବିଦ୍ୟାଳୟର ଏକାଧିକ ଆଦିବାସୀ ଛାତ୍ରୀଙ୍କୁ ଉକ୍ତ ମହାବିଦ୍ୟାଳୟର ୩ ଜଣ ଅଧ୍ୟାପକ ଗତ କିଛି ବର୍ଷ ହେଲା ନିର୍ଯାତନା ଦେଉଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ୨୦୧୬ରେ ଜଣେ ଅଧ୍ୟାପକ ସମ୍ପୃକ୍ତ ଛାତ୍ରୀଙ୍କୁ ଷ୍ଟାଫ୍‌ କମନ ରୁମ୍‌କୁ ଡାକି କେହି ନ ଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥ‌ିଲେ। ୨୦୨୦ ଜାନୁଆରି ମାସରେ ଆଉ ଜଣେ ଅଧ୍ୟାପକ କଲେଜର ୨ନମ୍ବର କକ୍ଷକୁ ସମ୍ପୃକ୍ତ ଛାତ୍ରୀଙ୍କୁ ଡାକି ପ୍ରୋଗ୍ରେସ୍‌ ରିପୋର୍ଟ ଦେଖିଥିଲେ। କେହି ନ ଥିବାର ସୁଯୋଗ ନେଇ ସେ ଅସଦାଚରଣ କରିଥିଲେ। ଏହି କଥା କାହାକୁ କହିଲେ କ୍ୟାରିୟର ନଷ୍ଟ କରିଦେବାକୁ ଅଧ୍ୟାପକ ଜଣକ ଧମକ ଦେଇଥିବା ନେଇ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର