ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଆଜି ଏଜିଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ

କୋରାପୁଟ : କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ଓଡ଼ିଶା ସରକାର। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଜି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ହେବ। ଏହାପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିବେ।

ମିଳିଥିବା ସୂଚନା ଅନୁସାରେ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ହାଇକୋର୍ଟସ୍ଥିତ ଚ୍ୟାମ୍ବରରେ ପୂରା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ ସୁପ୍ରିମକୋର୍ଟ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ତତ୍ତ୍ବାବଧାନରେ ଏଡିଏମ ଦେବେନ କୁମାର ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସରକାରୀ ଓକିଲ ବିଷ୍ଣୁ ଚରଣ ପାତ୍ର ପ୍ରମୁଖ ଏହି ପ୍ରସଙ୍ଗରେ ଆଡଭୋକେଟ୍ ଜେନେରାଲଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ର ନିର୍ବାଚନ କମିସନଙ୍କ ପକ୍ଷରୁ ଓଡ଼ି‌ଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସିନୋରୀ ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ୧୩ତାରିଖରେ ଏହି ଅଞ୍ଚଳରେ ମତଦାନ ହେବ। ପୂର୍ବରୁ ଏହି ଅଞ୍ଚଳରେ କେବଳ ସରକାରୀ ଯୋଜନା ବିତରଣ କରୁଥିବା ଆନ୍ଧ୍ର ସରକାର ନିର୍ବାଚନ କରି ସୀମାନ୍ତ ଗାଁକୁ ଦଖଲ କରିବାକୁ ନୂଆ ରଣନୀତି କରିଛନ୍ତି। ଯାହାକୁ ପ୍ରତିହତ କରିବାକୁ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତାକାଲି ରଣନୀତି ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିବାକୁ ବି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

୧୯୩୬ ମସିହାରେ ସୀମା ନିର୍ଦ୍ଧାରଣ କରାଯାଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲାବେଳେ ୧୯୫୫ରେ ସୀମା କମିଟି ବସିବା ପରେ ଆନ୍ଧ୍ରପ୍ରଦେଶ ଗଠନ ହେଲା। ତେବେ ସୀମାନ୍ତ ଗାଁକୁ ନେଇ ବିବାଦ ଉପୁଜିବାରୁ ୧୯୬୮ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓଡ଼ିଶା ସରକାର। ସ୍ଥିତାବସ୍ଥା ବଜାୟ ରଖିବାକୁ ସେତେବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି କିଛି ସମସ୍ୟା ଉପୁଜେ ତେବେ ଆପୋସ ବୁଝାମଣା ମଧ୍ୟରେ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବାରମ୍ବାର ଅନୁପ୍ରବେଶ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଚାଲିଛି ଆନ୍ଧ୍ର। ଏମିତି ବିବାଦ ମଧ୍ୟରେ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାରେ କୌଣସି ବୁଥ କରାଯିବ ନାହିଁ କିମ୍ବା ଓଡ଼ିଶାର ଲୋକଙ୍କୁ ଭୋଟର କରାଯିବ ନାହିଁ ବୋଲି ଚୁକ୍ତି ସ୍ବାକ୍ଷର ହୋଇଥିଲା। କିନ୍ତୁ ଏହି ଚୁକ୍ତିକୁ ଆନ୍ଧ୍ର ଉଲ୍ଲଂଘନ କରିଛି ଏବଂ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରକ୍ରିୟା ଜାରି ରଖିଛି। ଫଳରେ, ଚୁକ୍ତିର ଖିଲାପ କରିଥିବାରୁ ଆନ୍ଧ୍ର ସରକାରଙ୍କ ବିରୋଧରେ କୋର୍ଟରେ ମାମଲା ଲଢ଼ିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର