ପୁରୀ : ବିଶ୍ବନିୟନ୍ତା ମହାପ୍ରଭୁଙ୍କ ବନକଲାଗିକୁ ନେଇ ଚାଲିଛି ସାଂଘାତିକ ଖେଳ। ଏହି ସେବାକୁ ନେଇ କେତେବେଳେ ଦତ୍ତ ମହାପାତ୍ର ସେବକ ନଚଉଛନ୍ତି ତ କେତେବେଳେ ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ଭକ୍ତିଭାବ ସହ ବାରମ୍ବାର କୁଠାରାଘାତ ଚାଲିଛି। ଉଭପକ୍ଷଙ୍କ ଜିଦ୍ ଓ ଆତ୍ମବଡ଼ିମା କାରଣରୁ ନୀଳାଦ୍ରି ବିଜେର ୨୮ ଦିନ ପରେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନି। ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁ ବନକଲାଗି ହୋଇଥିଲେ।
ଏମିତି ସମୟରେ ବନକଲାଗି ବିବାଦ ସମାଧାନ ରାସ୍ତା କାଢ଼ିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ନୀତି ସବ୍କମିଟି ବୈଠକ ଡାକିଥିଲା। ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଥିଲେ, ବନକଲାଗି ନୀତି ଓ ନୀତି ବିଶୃଙ୍ଖଳା ଉପରେ ଏହି ଜରୁରୀ ବୈଠକ ଡକାଯାଇଛି। ଦତ୍ତ ମହାପାତ୍ର ସେବକ ବନକଲାଗିରେ ଯେଉଁ ଅବହେଳା କରିଛନ୍ତି, ତା ବିରୋଧରେ କ’ଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ବୈଠକରେ ଆଲୋଚନା ହେବ। କିନ୍ତୁ ଆଜିର ବୈଠକରୁ କିଛି ନିଷ୍କର୍ଷ ବାହାରି ପାରିନି।
ବୈଠକ ଫଳଶୂନ୍ୟ ରହିଛି। ଅଗଷ୍ଟ ୧ ତାରିଖ ପରିଚାଳନା କମିଟି ବୈଠକରେ ଯାହା କିଛି ନିଷ୍ପତ୍ତି ହେବ କହି ବନକଲାଗି ପ୍ରସଙ୍ଗକୁ ଝୁଲାଇ ରଖାଯାଇଛି। ସେପଟେ ଗଣମାଧ୍ୟମ ଆଗରେ ଦତ୍ତ ମହାପାତ୍ରଙ୍କ ଅବହେଳା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଦୃଢ଼ ମତ ରଖୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସଙ୍କ ସ୍ବର ବି ଆଜିର ବୈଠକ ପରେ ନରମି ଯାଇଛି। ଆମେ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛୁ, ଯଦି ଏହି ଦିନ ସମ୍ଭବ ନ ହେଲା, ଆମେ ଗୁରୁବାର ବନକଲାଗି କରିବୁ ବୋଲି ଶ୍ରୀ ଦାସ କହିଛନ୍ତି। ଭକ୍ତ ମହଲ ବି ମୁଖ୍ୟ ପ୍ରଶାସକଙ୍କ ଏହି ମତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି ବୁଧବାର ବଦଳରେ ଗୁରୁବାର କରିବାର ଥିଲା, ଏତେ ନାଟକ କାହିଁ ଚାଲିଥିଲା ବୋଲି ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବି ଅଡ଼ୁଆରେ ପଡ଼ିଛି। କାରଣ ଆସନ୍ତା ବୁଧବାର ଶ୍ରବଣା ମକର ନକ୍ଷେତ୍ର। ଏହିଦିନ ଠାକୁରଙ୍କ ନକ୍ଷେତ୍ର ବନ୍ଦାପନ ନୀତି। ନକ୍ଷେତ୍ର ବନ୍ଦାପନାରେ ମହାପ୍ରଭୁଙ୍କ ବନକଲାଗି ହୋଇପାରିବନି। ଯଦି କରାଯିବ, ନୀତି ବିଳମ୍ବ ହେବ। ସେପଟେ ଗୁରୁବାର ଏକାନ୍ତ ଓ ମାଜଣା। ପୂର୍ବରୁ ଏକାନ୍ତ ଓ ମାଜଣା କାରଣରୁ ଗୁରୁବାର ବନକଲାଗି କଲେ ଦର୍ଶନାର୍ଥୀ ଦର୍ଶନରୁ ବଞ୍ଚିତ ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଯୁକ୍ତି ବାଢ଼ି ଦତ୍ତ ମହାପାତ୍ର ସେବକଙ୍କ ଗୁରୁବାର ବନକଲାଗି ଦାବିକୁ ଟାଳି ଆସୁଥିଲେ। ଏଭଳି ସ୍ଥିତିରେ କେଉଁଦିନ ବନକଲାଗି କରିବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଅକଳରେ ପଡ଼ିଛି।
ମହାପ୍ରଭୁ ମାନବଦେହୀ। ଭକ୍ତ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରନ୍ତି, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର(ବନକଲାଗି) କରାଯାଏ। ସ୍ବତ୍ବଲିପି ଆଧାରରେ କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ନୀଳାଦ୍ରି ବିଜେର ୭/୮ ଦିନ ଭିତରେ ମହାପ୍ରଭୁଙ୍କ ବନକଲାଗି ହୋଇଥାଏ। କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ରଙ୍କ ବିବାଦ କାରଣରୁ ଏହି ନୀତି ହୋଇପାରିନି।
ଏଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଆଜି ନୀତି ସବ୍କମିଟି ବୈଠକ ଡକାଯାଇଥିଲା। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ନୀତି ସବ୍କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ବନକଲାଗି ବିବାଦର ଅନ୍ତ ହେବ ବୋଲି ଆମେ ଖୁବ ଆଶାବାଦୀ। ଆଜିର ବୈଠକରେ ଏହି ପ୍ରସଙ୍ଗ ଉପରେ ଅନେକ ପ୍ରସ୍ତାବ ଆସିଛି, ଯାହା ଗଣମାଧ୍ୟମ ଆଗରେ ପ୍ରକାଶ କରିହେବନି। ଅଗଷ୍ଟ ୧ ତାରିଖ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ ହେବ। ଯେହେତୁ ପରିଚାଳନା କମିଟି ଶ୍ରୀମନ୍ଦିରର ସର୍ବୋଚ୍ଚ କମିଟି, ତାଙ୍କ ନିଷ୍ପତ୍ତି ଅନୁସାରେ ଯାହା କିଛି ହେବ।
ବୈଠକରେ ବନକଲାଗିକୁ ନେଇ ଶାସ୍ତ୍ରସମ୍ମତ ପ୍ରସଙ୍ଗରେ ଆଲୋଚନା ହୋଇଛି। ଶ୍ରୀ ଦାସ କହିଛନ୍ତି, ଅଦ୍ୟାବଧି ଆଲୋଚନାର ସବୁ ଦ୍ବାର ଖୋଲା ରହିଛି। ଆଶା, ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଯେଉଁ ସେବା ପାଇଛନ୍ତି, ତାର ଦୁରୂପଯୋଗ ନ କରି ପ୍ରଶାସନକୁ ସହଯୋଗ କରିବେ। ବନକଲାଗି ବୁଧବାର ହେବା ଶାସ୍ତ୍ରସମ୍ମତ। ଏହା ସପକ୍ଷରେ ନୀତି ସବ୍କମିଟି ରହିଛି। କିନ୍ତୁ ଯଦି ନକ୍ଷେତ୍ର ଅବା ଏକାଦଶୀ ଆଦି ନୀତି ରହିଲା, ଆମେ ଗୁରୁବାର କଥା ବିଚାର କରିବୁ। କିନ୍ତୁ ତାହା ପ୍ରଶାସନିକ ନିଷ୍ପତ୍ତି। ଦତ୍ତ ମହାପାତ୍ରଙ୍କ ସେବାର ବିକଳ୍ପ ରହିଛି ଓ ଏହାର ବାଟ ଖୋଲା ଅଛି ବୋଲି ଶ୍ରୀ ଦାସ କହିଛନ୍ତି। ଅଗଷ୍ଟ ୧ ତାରିଖରେ ହିଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ର କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ଆଜିର ବୈଠକରେ ବନକଲାଗିକୁ ନେଇ ଶ୍ରୀମନ୍ଦିର ସ୍ବତ୍ବଲିପି, ବାମଦେବ ସଂହିତା ଆଦିର ତର୍ଜମା କରାଯାଇଛି ବୋଲି କହିଛନ୍ତି।
ଅନ୍ୟପଟେ ଆଜି ଦତ୍ତ ମହାପାତ୍ର ସେବକ ହଠାତ୍ ମତ ବଦଳାଇବା ଚର୍ଚ୍ଚାର ବିଷୟ ପାଲଟିଛି। ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି, ଆମେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ପ୍ରଶାସନ, ଯଦି ବୁଧବାର କହିବେ ବନକଲାଗି କରିବୁ, ଯଦି ଗୁରୁବାର କହିବେ ବନକଲାଗି କରିବୁ। କିନ୍ତୁ ତିଥି ନକ୍ଷେତ୍ରକୁ ଦେଖି। ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କେହି ଆମ ବିରୋଧରେ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଥିଲା। ସେ ଏବେ ସେହି ବିଭ୍ରାନ୍ତିକୁ ବୁଝି ପାରିଛନ୍ତି ବୋଲି ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Srimandira-photo-750x430-1.jpg)