ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପ୍ରସଂଗ : ହାଇକୋର୍ଟରେ ରିଭ୍ୟୁ ପିଟିସନ

କଟକ : ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ଫେବ୍ରୁଆରି ୩ରେ ପ୍ରକାଶ କରିଥିବା ରାୟର ପୁନର୍ବିଚାର ପାଇଁ ଏହି ଆବେଦନ ହାଇକୋର୍ଟରେ ଦାୟର କରାଯାଇଥିବା ସୂଚନା ମିଳିଛି।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବା ଦର୍ଶାଇ ଭୁବନେଶ୍ବର ଭିଜିଲାନ୍ସ ସେଲ ୟୁନିଟର ଡିଏସପି ଲୋକାୟୁକ୍ତଙ୍କ ନିକଟରେ କଂପ୍ଲେନ୍ ଦାୟର କରିଥିଲେ। ଭିଜିଲାନ୍ସ ସେଲ୍‌ର ଏକ ଗୁପ୍ତ ଯାଞ୍ଚ ରିପୋର୍ଟ ଉପରେ ଏହି କଂପ୍ଲେନ ଆଧାରିତ ବୋଲି ଏଥିରେ ଦର୍ଶାଯାଇଥିଲା। ଡିସେମ୍ବର ୧୧ରେ ଲୋକାୟୁକ୍ତ କଂପ୍ଲେନର ଶୁଣାଣି କରି ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି କହିଥିଲେ। ଏଥି ସହିତ ଓଡ଼ିଶା ଲୋକାୟୁକ୍ତ ଆଇନ, ୨୦୧୪ର ଧାରା ୨୦(୧)‌ରେ ପ୍ରଦାନ କରାଯାଇଥିବା କ୍ଷମତା ଆଧାରରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ଆଦେଶ ଦିଆଯାଇଥିଲା। ଲୋକାୟୁକ୍ତଙ୍କ ୨୦୨୦, ଡିସେମ୍ବର ୧୧ର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ନିଜେ ଅଭିଯୋଗକାରୀ ହୋଇଥିବା ବେଳେ ଭିଜିଲାନ୍ସକୁ ତଦନ୍ତ ଦାୟିତ୍ବ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନର ହାଇକୋର୍ଟ ଶୁଣାଣି କରି ୨୦୨୧, ଫେବ୍ରୁଆରି ୩ରେ ରାୟ ପ୍ରକାଶ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସକୁ ତଦନ୍ତ ପାଇଁ ଲୋକାୟୁକ୍ତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଇନକ୍ବାରି ୱିଙ୍ଗ ପ୍ରାଥମିକ ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳର ଆପାତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତଙ୍କ ଡିସେମ୍ବର ୧୧ର ଆଦେଶରେ ଥିବା ଉଲ୍ଲେଖକୁ ବି ହାଇକୋର୍ଟ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର