ସଂରକ୍ଷଣ ସୀମା ଓ ଜାତିଭିତ୍ତିକ ଗଣନା ପ୍ରସଙ୍ଗ: କେନ୍ଦ୍ରକୁ ଚିଠି ଲେଖନ୍ତୁ ଓବିସି କମିସନ

ବିଧାନସଭାରେ ସଂକଳ୍ପ ପାରିତ, ଅସିଦ୍ଧ କହିଲେ ନରସିଂହ

ଭୁବନେଶ୍ବର : ସଂରକ୍ଷଣରେ ଧାର୍ଯ୍ୟ ସ‌ର୍ବୋଚ୍ଚ ସୀମା ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ତଥା ଓବିସିଙ୍କ ଠିକ୍ ସଂଖ୍ୟା ଜାଣିବା ନିମନ୍ତେ ସେମାନଙ୍କର ଜାତିଭିତ୍ତିକ ଗଣନା କରାଯିବା ପାଇଁ ଭାରତ ସରକାରଙ୍କୁ ପତ୍ର ଲେଖିବେ ରାଜ୍ୟ ଓବିସି କମିସନ୍। କମିସନ୍‌ଙ୍କୁ ଏହି ଅନୁରୋଧ କରାଯାଇ ଏକ ସଂକଳ୍ପ ଆଜି ବିଧାନସଭାରେ ପାରିତ ହୋଇଛି। ରାଜ୍ୟରେ ଓବିସି ସମ୍ପ୍ରଦାୟକୁ ସଂରକ୍ଷଣରେ ଅଧିକ ସୁଯୋଗ ଦେବା ନିମନ୍ତେ ଏହି ପତ୍ର ଲେଖାଯିବ। ତେବେ ସଂକଳ୍ପକୁ ଆଇନଗତ ଅସିଦ୍ଧ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦର୍ଶାଇବା ସହ ସରକାର ଓବିସିଙ୍କ ପ୍ରତି ବେଇମାନୀ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଗୁରୁବାର ଅପରାହ୍ନରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ। ସେ କହିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୨୨.୫% ଅନୁସୂଚିତ ଜନଜାତି, ୧୬.୨୫% ଅନୁସୂଚିତ ଜାତି ଓ ବାକି ଜନସଂଖ୍ୟାର ଏକ ବଡ଼ ଅଂଶ ଓବିସି ଅଟନ୍ତି। ପ୍ରଚଳିତ ସଂରକ୍ଷଣ ନୀତି ଅନୁଯାୟୀ ଏସ୍‌ଟିଙ୍କ ନିମନ୍ତେ ୨୨.୫%, ଏସ୍‌ସିଙ୍କ ନିମନ୍ତେ ୧୬.୨୫% ଓ ଓବିସିଙ୍କ ପାଇଁ ୧୧.୨୫% ସଂରକ୍ଷଣ ରହିଛି। ସୁପ୍ରମିକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖାଯାଇଛି। ମାତ୍ର ଓଡ଼ିଶାର ମୋଟ୍‌ ଜନସଂଖ୍ୟାରେ ଓବିସିଙ୍କ ଆନୁପାତିକ ସଂଖ୍ୟାକୁ ବିଚାର କଲେ ତାହା ସଂରକ୍ଷଣ ନୀତିରେ ସେମାନଙ୍କ ପ୍ରତିନିଧିତ୍ବର ଯଥାର୍ଥତା ପ୍ରଦାନ କରୁନାହିଁ। ଓବିସି ବର୍ଗର ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ସଂକଳ୍ପ ଓ ଆଇନକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରା ରଦ୍ଦ କରାଯାଇଛି। କାରଣ ଏହି ବର୍ଗର ଠିକ୍ ଜନସଂଖ୍ୟାର ପରିସଂଖ୍ୟାନ ନାହିଁ। ତେଣୁ ୨୦୨୧ ଜନଗଣନା ବେଳେ ଏହି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଓବିସି କମିସନ୍‌ ଭାରତ ସରକାରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ନିଜ ଆଭିମୁଖ୍ୟ ଉପସ୍ଥାପନ କରନ୍ତୁ। ରାଜ୍ୟର ଓବିସି ବର୍ଗର ଲୋକଙ୍କୁ ଠିକ୍ ନ୍ୟାୟ ପ୍ରଦାନ ନିମନ୍ତେ ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏହି ସଂକଳ୍ପ ଅଣାଯାଇଛି। ଶାସକ ଦଳର ସଭ୍ୟ ଶଶୀଭୂଷଣ ବେହେରା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସଭ୍ୟ କିଶୋର ନାଏକ, ସ୍ବରୂପ ଦାସ ଓ ମକରନ୍ଦ ମୁଦୁଲି ଆଲୋଚନାରେ ଭାଗ ନେଇ ସଂକଳ୍ପକୁ ସ୍ବାଗତ କରିଥିଲେ। ଆଲୋଚନା ପରେ ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଆଲୋଚନା ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଅନୁପସ୍ଥିତ ଥିଲେ।

ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ପ୍ରସ୍ତାବ ପାରିତ କରିବା ଦୁଃଖଦାୟକ। ମୁଁ ଏହାକୁ ନିନ୍ଦା କରୁଛି। ଜାଣିଶୁଣି ଭୁଲ୍‌ ସଂକଳ୍ପ ପାରିତ କରାଯାଇଛି। ମୁଁ ଆଜି ବାଚସ୍ପତି ଓ ଶାସକ ଦଳର କିଛି ସଭ୍ୟଙ୍କୁ ଏହି ତ୍ରୁଟି ସମ୍ପର୍କରେ କହିଥିଲି। କିନ୍ତୁ କେହି ଶୁଣି ନ ଥିଲେ। ଓବିସି କମିସନ୍‌ଙ୍କୁ ନିର୍ଦ୍ଦେଶ ଦେବାର କ୍ଷମତା ସଂସଦ କି ବିଧାନସଭାର ନାହିଁ। ସାଧାରଣତଃ କମିସନ୍ ସରକାରଙ୍କୁ ସୁପାରିସ୍ କରନ୍ତି। କିନ୍ତୁ ସରକାର କି ବିଧାନସଭା କମିସନ୍‌ଙ୍କୁ ସୁପାରିସ୍ କରିପାରିବେ ନାହିଁ। ଆଇନରେ ଏହି ବ୍ୟବସ୍ଥା ଅଛି। କିନ୍ତୁ ଏପରି ଏକ ତ୍ରୁଟିପୂର୍ଣ୍ଣ ପ୍ରସ୍ତାବ କାହିଁକି ଆସିଲା, ତାହା ବୁଝାପଡ଼ୁ ନାହିଁ। ଜାଣିଶୁଣି ଭୁଲ୍ କରାଯାଉଛି। ତାହାର ଓଲଟା ଫଳ ନିଶ୍ଚିତ ଫଳିବ। କଂଗ୍ରେସ ସ୍ପଷ୍ଟ କରୁଛି ଯେ ଜାତିଭିତ୍ତିକ ଜନଗଣନା କରାଯାଉ। ୫୦% ସଂରକ୍ଷଣ ସୀମା ଉଠାଇବା ପାଇଁ ତଥ୍ୟଭିତ୍ତିକ ଆଇନ କରାଯାଉ। ସମ୍ବିଧାନ ସଂଶୋଧନ କରାଯାଉ।

ଶ୍ରୀ ମିଶ୍ର କହିଛନ୍ତି ଯେ ଓବିସି ସଂରକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ସମ‌ସ୍ତେ ଏହାକୁ ଗୁରୁତ୍ବର ସହ ନେଉଛନ୍ତି। କଂଗ୍ରେସ ମଧ୍ୟ ଓବିସିଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳିବା କଥା କହୁଛି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସୁପ୍ରିମକୋର୍ଟଙ୍କ ରାୟ ବାଧକ ସାଜୁଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଭୁଲ୍‌ ନୁହେଁ। ସ୍ଥଳ ବିଶେଷରେ ୫୦% ସଂରକ୍ଷଣ ସୀମାକୁ ସୁପ୍ରିମକୋର୍ଟ ମଧ୍ୟ କୋହଳ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରାଯାଏ, ତେବେ ୫୦% ସୀମା‌ ନିଶ୍ଚିତ କୋହଳ ହେବ। କିଛି ରାଜ୍ୟ ମଧ୍ୟ ଯୁକ୍ତି ଦର୍ଶାଇ ଓବିସିଙ୍କ ପାଇଁ ସଂରକ୍ଷଣ ଅଧିକ କରିଛନ୍ତି। ଯଦି ରାଜ୍ୟ ସରକାର ତୁରନ୍ତ ଜାତିଭିତ୍ତିକ ଗଣନା କରିବେ, ତେବେ ଓବିସିଙ୍କ ସଂଖ୍ୟା ନେଇ ସ୍ପଷ୍ଟ ତଥ୍ୟ ରହିବ। ତାହାକୁ ଭିତ୍ତି କରି ସମସ୍ତଙ୍କ ମତ ନେଇ ରାସ୍ତା ଖୋଜିଲେ ରାସ୍ତା ବାହାରିବ। କେବଳ ହୀନ ରାଜନୀତି ପାଇଁ ଓବିସି ଭୋଟ୍‌ ହାତେଇବା ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଗଲେ ପୁନର୍ବାର ତାହା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାଟ୍‌ ଖାଇପାରେ। ତାହା ପରେ ସରକାର ବାହାନା ଦେଖାଇବେ ଯେ ଆମେ କରିଥିଲୁ ଓ କୋର୍ଟ ନାକଚ କରିଦେଲେ। ସରକାର ଜାଣିଶୁଣି ଭୁଲ୍‌ ବାଟରେ ଯାଉଛନ୍ତି। ୧୯୯୩ ମସିହାରେ ମୁଁ ଆଇନ ମନ୍ତ୍ରୀ ଥିଲା ବେଳେ ଓବିସିଙ୍କ ସୁରକ୍ଷା ପାଇଁ ଓବିସି କମିସନ୍ ଗଠନ କରାଯାଇଥିଲା। କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାରରେ ଓବିସି କମିସନ୍ ପଦବି ଖାଲି ପଡ଼ିଲା। ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରାଗଲା ପରେ କମିସନ୍‌ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ। କିନ୍ତୁ ଘର, କର୍ମଚାରୀ, ଉପକରଣ ଦିଆଗଲା ନାହିଁ। ଏହାର ଅର୍ଥ କ’ଣ? କାମ କରିବା ପାଇଁ କମିସନ୍‌ଙ୍କ ପକ୍ଷରୁ ବାରମ୍ବାର ଚିଠି ଦିଆଗଲା ପରେ କାର୍ଯ୍ୟାଳୟ ପାଇଁ ସରକାର ଘର ଦେଲେ। ଏଥିରେ ‌ଓବିସିଙ୍କ ପାଇଁ ସରକାରଙ୍କ ଆନ୍ତରିକତା ଧରାପଡ଼ିଯାଉଛି।

ସମ୍ବନ୍ଧିତ ଖବର